Unknown

 

 

 

 

 

 

 

 

 

ନାରୀ ଜଗତ

ଶ୍ରୀମତୀ ସରଳା ଦେବୀ

 

ସୂଚୀପତ୍ର

 

.

ଜାଗ୍ରତ ମୁସ୍‍ଲିମ୍‍ ନାରୀ

 

ତୁରସ୍କର ନାରୀ ଜାଗରଣ

 

ମିଶରର ନାରୀ ଜାଗରଣ

 

କାଇରୋ

 

ପେଲେଷ୍ଟାଇନ୍‌

 

ସ୍ପେନ୍‌

 

ରୁଷିଆ

 

ପାରସ୍ୟ

 

ଭାରତବର୍ଷ

 

ଆଫ୍‌ଗାନିସ୍ଥାନ

.

ନବୀନ ରୁଷିଆରେ ନାରୀର ସ୍ଥାନ

.

ଇଂଲଣ୍ଡର ମହିଳା ପ୍ରଗତିର ସଂକ୍ଷିପ୍ତ ଇତିହାସ

.

ଆମେରିକାର ନାରୀ ପ୍ରଗତି

.

ଚୀନ ଦେଶରେ ନାରୀ ଆନ୍ଦୋଳନ

.

ପାଶ୍ଚାତ୍ୟ ନାରୀର ଅବସ୍ଥା

 

ଜର୍ମାନୀ

 

ଇଟାଲୀ

.

ଭାରତୀୟ ନାରୀ ପ୍ରଗତି

.

ନାରୀତ୍ୱ

Image

 

ଜାଗ୍ରତ ମୁସ୍‍ଲିମ୍‍ ନାରୀ

 

ମୁସଲମାନ ଧର୍ମ ପ୍ରବର୍ତ୍ତକ ହଜରତ ମହମ୍ମଦଙ୍କ ସମୟର ଇତିହାସରୁ ଜଣାଯାଏ ଯେ, ତାଙ୍କର ଆବିର୍ଭାବ କାଳରେ ମୁସଲମାନ ନାରୀମାନେ ସ୍ୱାଧୀନ ଭାବରେ ଚଲାବୁଲା କରି ପାରୁଥିଲେ । ଏପରି କି ଧର୍ମଯୁଦ୍ଧାଭିଯାନରେ ମଧ୍ୟ ମୁସ୍‍ଲିମ୍‍ ନାରୀ ଯୋଗ ଦେଇ ପାରୁଥିଲେ । ମହମ୍ମଦଙ୍କ ସ୍ୱର୍ଗାରୋହଣ ପରେ ଶିଷ୍ୟମଣ୍ଡଳୀ ଯେତେବେଳେ ଦେଶ ବିଦେଶ ଅଧିକାର କରୁଥିଲେ, ସେତେବେଳେ ସେମାନଙ୍କ ସହିତରେ ସେମାନଙ୍କର ଗୃହଲକ୍ଷ୍ମୀମାନେ ମଧ୍ୟ ଯୁଦ୍ଧ କରିଥିଲେ । ଆରବର ବୀରକନ୍ୟା ଖାଓଲା ବୟତୁଲ ହାୟାତ୍‌ ଯୁଦ୍ଧରେ ତାଙ୍କର ଅପୂର୍ବ ବୀରତ୍ୱର ପରିଚୟ ଦେଇଥିବା କଥା ଇତିହାସପାଠକ ଜାଣନ୍ତି । କି ରାଜନୀତି, କି ଧର୍ମ, କି ଜ୍ଞାନ କୌଣସି ବିଷୟରେ ମୁସଲମାନ ନାରୀ ବଞ୍ଚିତ ହୋଇ ରହି ନ ଥିଲା । ବିଦୁଷୀ ମୁସ୍‍ଲିମ୍‍ ମହିଳାଙ୍କ ଗୃହରେ ମୁସଲମାନ ପଣ୍ଡିତମାନେ ଜ୍ଞାନାଲୋଚନା, ଧର୍ମ ଚର୍ଚ୍ଚା କରୁଥିଲେ । କାଦସିଆ ଓ ଏରମୁକ ଯୁଦ୍ଧରେ ଆରବ ରମଣୀ ସ୍ୱହସ୍ତରେ ଅସ୍ତ୍ର ଧାରଣ କରି ଯେପରି ଶତ୍ରୁପକ୍ଷର ଶଙ୍କାର କାରଣ ହୋଇଥିଲେ, ସେହିପରି ସ୍ୱପକ୍ଷର ନିଃସହାୟ ସୈନ୍ୟମାନଙ୍କୁ ଉତ୍ସାହ ଦାନ କରି ଉତ୍ତେଜିତ କରି ପାରିଥିଲେ ଓ ଯୁଦ୍ଧ ଜୟ କରାଇ ପାରିଥିଲେ । ସେହି ସମୟରେ ଓ୍ୟାହେଦ ବଦର ପ୍ରଭୃତି ପ୍ରତି ଧର୍ମ ଯୁଦ୍ଧରେ ନାରୀମାନଙ୍କର ସହଯୋଗ ଅପରିହାର୍ଯ୍ୟ ଥିଲା । ହଜରତ ମହମ୍ମଦଙ୍କ ପତ୍ନୀ ଆୟେଶା ଅଧିକାଂଶ ଯୁଦ୍ଧ ଅଭିଯାନରେ ତାଙ୍କର ଅନୁଗମନ କରିଥିଲେ । ହଜରତ ମହମ୍ମଦଙ୍କ ସମୟରେ ଜଣେ ମହିଳା ତାଙ୍କୁ ପଚାରିଥିଲେ, ‘‘ବୁରୁଖା ଅଭାବରେ କୌଣସି ନାରୀ ବାହାରକୁ ଯିବାକୁ ଅସମର୍ଥ ହେଲେ ତାଙ୍କର କର୍ତ୍ତବ୍ୟ କ’ଣ ?’’ ମହମ୍ମଦ କହିଥିଲେ, ‘‘ପ୍ରତିବେଶୀ ନିକଟରୁ ବୁରୁଖା ମାଗି ଆଣି ବ୍ୟବହାର କରିବ, କିନ୍ତୁ ବିଶ୍ୱାସୀ ଧାର୍ମିକ ମୁସଲମାନଙ୍କର ଧର୍ମସଭାରେ ଯୋଗଦାନ କରିବାକୁ ତ୍ରୁଟି କରିବ ନାହିଁ ।’’ ମହମ୍ମଦ ତାଙ୍କର ପତ୍ନୀଙ୍କୁ ପ୍ରୟୋଜନୀୟ ଜିନିଷପତ୍ର ନିଜେ ଖରିଦ କରି ଆଣିବାକୁ ଅନୁମତି ଦେଉଥିଲେ । ସେ କହିଛନ୍ତି, ‘‘ପ୍ରୟୋଜନ ହେଲେ ନାରୀଜାତିକୁ ବାହାରକୁ ଯିବାର ଅଧିକାରରୁ ଈଶ୍ୱର ବଞ୍ଚିତ କରି ନାହାନ୍ତି । ସେ ଅଧିକାର ଈଶ୍ୱର ନାରୀକୁ ଦେଇଛନ୍ତି * ।’’ ସହୁରା ଯୁଦ୍ଧରେ ଉମ୍ମେଏବାନ୍‌, ଓକିୟା, ସଲମା ପ୍ରଭୃତି ବହୁ ଆରବ ବୀରାଙ୍ଗନା ଅତୁଳ ଶୌର୍ଯ୍ୟରେ ରୋମ ସେନାପତି ପଟରଙ୍କ ସୈନ୍ୟ ବିଧ୍ୱସ୍ତ କରିଥିଲେ । ସୁତରାଂ ମୁସଲମାନ ଧର୍ମ ଯେ ନାରୀର ଅବରୋଧ ପ୍ରଥା ସମର୍ଥନ କରେ ନାହିଁ, ନାରୀ ଶିକ୍ଷାର ବିରୋଧି ନୁହେଁ, ତାହା ଐତିହାସିକ ସତ୍ୟ । କିନ୍ତୁ କାଳକ୍ରମେ ଧର୍ମାନ୍ଧ ମୋଲ୍ଲାମାନଙ୍କ ଯୋଗୁଁ ଧର୍ମର ପତନ ହୋଇ ମୁସ୍‍ଲିମ୍‌ ସମାଜର ଘୋର ଅଧଃପତନ ଘଟିଥିଲା । ଧର୍ମ ନାମରେ ଯେତେ ରକମର କୁସଂସ୍କାର ଓ କୁପ୍ରଥା ତଥା ଅଯୌକ୍ତିକ ବିଧିବିଧାନମାନ ସବୁ ଅତ୍ୟାଚାର ଓ ‘ଅନାଚାର’ ରୂପରେ ଦେଶରେ ପ୍ରତିଫଳିତ ହୋଇଥିଲା ।

 

* ‘‘Does Islam favour Seclusion’’ by Khwaja Kamaluddin.

 

ପରେ ଆଧୁନିକ ଯୁଗର ନବ ଆଲୋକ ସମ୍ପାତରେ ଯେତେବେଳେ ମୁସଲମାନ ହାରେମରେ ଚହଳ ପଡ଼ିଗଲା, ସେତେବେଳେ ଯୁଗ ଯୁଗର ଅବରୋଧ ବନ୍ଦିନୀ ଅଶିକ୍ଷିତା ମୁସ୍‌ଲିମ୍‍ ମହିଳା ନିଜର ଅନ୍ଧ ହାରେମର ସ୍ୱର୍ଣ୍ଣ ଶୃଙ୍ଖଳକୁ ଛିଣ୍ଡାଇ ପକାଇ ଆସି ବିଶ୍ୱର ବିସ୍ତୀର୍ଣ୍ଣ ସଭ୍ୟତା ଦୁଆରେ ଛିଡ଼ା ହୋଇ ପାରିଲା । ତାହାର ସଚେତନ ମନ ଓ କୁହେଳିକାମୁକ୍ତ ଭାସ୍ୱର ବୁଦ୍ଧି ତାହାକୁ ନେଇ ଯେଉଁଠି ଉପନୀତ କରିପାରିଛି, ସେହିଠି ତା’ର ଅନାବୃତ ଆତ୍ମିକ ସୌନ୍ଦର୍ଯ୍ୟର ଅବଦାନ ବିଶ୍ୱବାସୀଙ୍କୁ ସଚକିତ କରି ଦେଇଛି ଏବଂ ମୁଗ୍ଧନୟନରେ ସାରା ବିଶ୍ୱ ସେମାନଙ୍କର ଗୌରବମୟ ଅଭିଯାନକୁ ଅଭିନନ୍ଦିତ କରି ଅଛନ୍ତି । ବର୍ତ୍ତମାନ ଯୁଗର ମୁସ୍‍ଲିମ୍‍ ନାରୀ ପରିସ୍ଥିତି ବିଷୟରେ ନିମ୍ନରେ ଯେଉଁ ସଂକ୍ଷିପ୍ତ ସୂଚନା ଦିଆଗଲା, ସେଥିରୁ ବର୍ତ୍ତମାନ ସେମାନଙ୍କର ଅବସ୍ଥା କଣ, ସେ ସମ୍ୱନ୍ଧରେ ଗୋଟିଏ ଧାରଣା ହୋଇ ପାରିବ ।

 

 

Image

 

ତୁରସ୍କର ନାରୀ ଜାଗରଣ

 

୨୦ ବର୍ଷ ପୂର୍ବେ ତୁରସ୍କ ରମଣୀମାନଙ୍କର ଅବସ୍ଥା ମୁସଲମାନ ଜଗତରେ ନିତାନ୍ତ ଶୋଚନୀୟ ଥିଲା । ବର୍ତ୍ତମାନ ଯେ ଅନେକ ଦୂର ଅଗ୍ରସର ହୋଇ ପାରିଛନ୍ତି ଏହା କୁହାଯାଇ ନ ପାରିଲେ ମଧ୍ୟ ମୁସ୍ତାଫା କେମାଲ ପାଶାଙ୍କର ରାଜତ୍ୱରେ ସେମାନେ ଖୁବ୍‌ ଉନ୍ନତି କରି ଯାଇଛନ୍ତି, ଏଥିରେ ସନ୍ଦେହ ମାତ୍ର ନାହିଁ । ବାଲ୍ୟବିବାହ, ବୁର୍ଖା, ଦାସୀତ୍ୱ, ଅଶିକ୍ଷା ପ୍ରଭୃତି କେତେକ ବିଷମ ରୋଗର ନିରାକରଣ ହୋଇ ପାରିଅଛି ସତ୍ୟ, କିନ୍ତୁ ତା’ର ଫଳ ଭୋଗ କରି ଜାତିଟା ଯେ ଏକାବେଳକେ ଅନ୍ତଃସାରଶୂନ୍ୟ ହୋଇପଡ଼ିଛି, ତାହା ଯେ କୌଣସି ଲୋକ ସ୍ୱୀକାର କରିବାକୁ ବାଧ୍ୟ-। ଏହି ୨୦ ବର୍ଷ ମଧ୍ୟରେ ବିଶେଷତଃ କେମାଲଙ୍କ ଅଧିନାୟକତ୍ୱରେ ତୁରସ୍କ ଯାହା କରିଯାଇଛି ତାହା ଦେଖିଲେ ବାସ୍ତବିକ ଆଶ୍ଚର୍ଯ୍ୟ ହେବାକୁ ହୁଏ ।

 

ବର୍ତ୍ତମାନ ତୁରସ୍କର ନାରୀସମାଜ ଯେଉଁ ଘୋର ବିପ୍ଳବ ଦେଇ ଇପ୍ସିତ ଲକ୍ଷ୍ୟଆଡ଼କୁ ଗତି କରୁଛି, ତାହା କେବଳ ମୁସଲମାନ ଜଗତରେ ନୁହେଁ, ସମଗ୍ର ପୂର୍ବଖଣ୍ଡର ଦୃଷ୍ଟି ଆକର୍ଷଣ କରି ପାରିଅଛି ।

 

ତୁରସ୍କ ରମଣୀ ସାରା ଜୀବନ ପତିକୁ ଖୁସାମତ କରି ରଖିବାରେ, ପତିକୁ ସବୁବେଳେ ସନ୍ତୁଷ୍ଟ ରଖିବାରେ ନିଜର ସମସ୍ତ ଚିନ୍ତା ଓ ଶକ୍ତି ଲଗାଇ ଥିଲା । ସେ ଗୃହରେ ଗୋଟିଏ କିମ୍ଭୂତକିମାକାର ଜନ୍ତୁ ଛଡ଼ା ମନୁଷ୍ୟରୂପେ ବିବେଚିତ ହେଉ ନ ଥିଲା । ଆର୍ଥିକ ସ୍ୱାତନ୍ତ୍ର୍ୟ ତ ଗୋଟିଏ ହାସ୍ୟାସ୍ପଦ ବିଷୟ !

 

କିନ୍ତୁ ଆଜି ତା’ର ଅବସ୍ଥାର ଢେର ପରିବର୍ତ୍ତନ ହୋଇଯାଇଛି । କେତେକ ମହୀୟସୀ ରମଣୀ ଓ ମହାମନା ପୁରୁଷଙ୍କ ପ୍ରଗାଢ଼ ଯତ୍ନ ଓ ମହାନ୍‌ ତ୍ୟାଗ ବଳରେ ଆଜି ତୁରସ୍କ ରମଣୀ ଯୁଗ ଯୁଗାନ୍ତର ଘନ ଅନ୍ଧକାର ଭେଦ କରି ଯେଉଁ ଆଲୋକକ୍ଷେତ୍ରରେ ଉପନୀତ ହୋଇପାରିଛି, ତାହା କମ୍‌ ଆଶାଜନକ ବିଷୟ ନୁହେଁ ।

 

ତୁରସ୍କର ନାରୀ ଜାଗରଣ ପ୍ରକୃତରେ କହିବାକୁ ଗଲେ ସେହି ବିଖ୍ୟାତ ଉପନ୍ୟାସ ଲେଖିକା ହାଲିଦେ ହାନୁମଙ୍କ ଠାରୁ ଆରମ୍ଭ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ନାରୀ ଜାତିର ଉନ୍ନତି ପାଇଁ ହାନୁମ୍‌ ଯାହା କରି ଯାଇଛନ୍ତି, ତାହା ତୁରସ୍କ ଜାତି ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥିବ ।

 

ଏହି ମହୀୟସୀ ରମଣୀର ଅଙ୍ଗୁଳି ସଙ୍କେତରେ ନାରୀଜାତିର ଅଭ୍ୟୁତ୍‍ଥାନର ଯେ ବୀଜରୋପିତ ହୋଇଥିଲା, ତାହା ଆଜି ବୃକ୍ଷ ରୂପରେ ଦଣ୍ଡାୟମାନ ହୋଇ ଚକ୍ଷୁକୁ ଝଲସାଇ ଦେଇଛି । ସେ ଉଦାତ୍ତ ଗମ୍ଭୀର କଣ୍ଠରେ ଜାତିକୁ ଲକ୍ଷ୍ୟ କରି ଜାତିର ବିପନ୍ନ କାଳରେ ଯେଉଁ ବାଣୀ ଶୁଣାଇ ଯାଇଅଛନ୍ତି, ତାହାର ପ୍ରେରଣାରେ ସମସ୍ତ କାର୍ଯ୍ୟ ସଂଗଠିତ ହୋଇଅଛି କହିଲେ ଚଳେ । ସେ କହିଲେ, ‘‘ଆମ୍ଭମାନଙ୍କର ହତାଶ ହେବାର କୌଣସି କାରଣ ନାହିଁ । ୪୦ବର୍ଷ ପୂର୍ବରେ ଏହି ତୁରସ୍କ ଫ୍ରାନ୍‍ସ, ଜର୍ମାନୀଦ୍ୱାରା ଯେପରି ଭାବରେ ଅପମାନିତ ହୋଇଥିଲା, ତାହା କିଏ ନ ଜାଣେ-? କିନ୍ତୁ ୨୫ବର୍ଷ ପରେ ତା’ର ପୂର୍ବ ଗୌରବ ସେ ଫେରିପାଇଛି । ଗ୍ରୀସ୍‌ ଦିନେ ତୁରସ୍କର ଅଧୀନ ଥିଲା । କିନ୍ତୁ ଆଜି ସେହି ଗ୍ରୀସ୍‌ ତୁରସ୍କର ପ୍ରତିଦ୍ୱନ୍ଦୀ । ଆମ୍ଭେମାନେ ତୁରସ୍କର ମାତୃଜାତି ସ୍ତନର ଦୁଗ୍ଧ ସଙ୍ଗେ ସଙ୍ଗେ ସନ୍ତାନମାନଙ୍କ ଅଙ୍ଗରେ ଦେଶାନୁରାଗ ସଞ୍ଚାରିତ କରି ଦେବୁ—ଏହି ବ୍ରତ ଆମ୍ଭମାନଙ୍କର ଜାତିର ଉନ୍ନତିପାଇଁ ହେବା ଉଚିତ । ଆମ୍ଭମାନଙ୍କର କାପୁରୁଷ ସନ୍ତାନ ରହିବେ ନାହିଁ-। ତୁର୍କୀଜାତିକୁ ଆମ୍ଭେମାନେ ମରିବାକୁ ଦେବୁ ନାହିଁ । ଆଶା ଆମ୍ଭମାନଙ୍କୁ ବଳଦାନ କରୁ-। ଆଶାର ସଞ୍ଜିବନୀ ମନ୍ତ୍ରରେ ଉଦ୍‌ବୋଧିତ କରି ନର ନାରୀଙ୍କ ସେବାରେ ନିଯୁକ୍ତ କରୁ-। ସେତେବେଳେ କୌଣସି ବାଧା, ବାଧା ବୋଲି ପ୍ରତୀୟମାନ ହେବ ନାହିଁ, କୌଣସି ତ୍ୟାଗ କଷ୍ଟକର ବୋଧ ହେବ ନାହିଁ । ମୃତ୍ୟୁର ଡାକ ପଡ଼ିଲେ ଆମ୍ଭେମାନେ ଯେପରି କହିପାରୁଁ, ଦେଶପାଇଁ ଆମେ ରାତ୍ରିରେ ନିଦ୍ରା ଯାଇ ନାହୁଁ, କିମ୍ୱା ଦିନରେ ବିଶ୍ରାମ କରି ନାହୁଁ । ସେତେବେଳେ ଆମର ଦେଶ ଅନ୍ୟାନ୍ୟ ସମସ୍ତ ସ୍ୱାଧୀନ ଶକ୍ତିମାନ୍‌ ଜାତିପାର୍ଶ୍ୱରେ ମସ୍ତକୋତ୍ତଳନ କରି ଦଣ୍ଡାୟମାନ ହୋଇପାରିବ—ତାକୁ କେହି ଅବହେଳା କରି ପାରିବେ ନାହିଁ । ସମସ୍ତେ ତାକୁ ଗୌରବ ଆସନ ଛାଡ଼ି ଦେବେ । ସେହି କବି, ଲେଖିକା, ଶିକ୍ଷୟିତ୍ରୀ, ସୈନିକା, କୂଟରାଜନୀତିକ ରମଣୀର ଏହି ଅମୃତମୟ ବାଣୀ କେବଳ ତୁରସ୍କପାଇଁ କାହିଁକି ପ୍ରାଚ୍ୟ ଖଣ୍ଡର ଯେ କୌଣସି ଜାତି ପକ୍ଷରେ ପ୍ରଯୁଜ୍ୟ ।

 

ବର୍ତ୍ତମାନ ଜଗତ ଆଡ଼କୁ ଚାହିଁଲେ ଦେଖାଯାଏ, ମୁସ୍‌ଲିମ୍‍ ନାରୀର ଶୌର୍ଯ୍ୟ, ଶିକ୍ଷା ଓ ବୁଦ୍ଧିର ଶକ୍ତିମୟ ପ୍ରେରଣା ଫଳରୁ ତୁର୍କୀ ଦେଶ ତାହାର ବିଷମ ପରାଧୀନତାର ପରିସ୍ଥିତିରୁ ଲମ୍ଫ ଦେଇ ଉନ୍‌ମୁକ୍ତ ଆକାଶତଳେ ନିଜର ଜାତୀୟ ଜୟ ପତାକା ଉତ୍ତୋଳିତ କରି ସମଗ୍ର ପୃଥିବୀର ସମ୍ମାନ ଲାଭ କରିବାରେ ସମର୍ଥ ହୋଇଛି । ବିଗତ ମହାସମର ପ୍ରାଙ୍ଗଣରେ ଚିରଅନ୍ଧକାର-ନିବାସିନୀ ତୁର୍କୀ ନାରୀମାନଙ୍କର ଅପୂର୍ବ ସମାଗମ ଯଦି ସମ୍ଭବପର ହୋଇ ପାରି ନ ଥାନ୍ତା, ତେବେ ଆଜି ତୁରସ୍କର ଭାଗ୍ୟାକାଶରେ ମଧ୍ୟାହ୍ନ ସୂର୍ଯ୍ୟର ପ୍ରଖର ଦୀପ୍ତି ସମଗ୍ର ବିଶ୍ୱବାସୀଙ୍କର ଚକ୍ଷୁ ଝଲସିତ କରି ପାରି ନ ଥାନ୍ତା । ତୁରସ୍କର ଶିକ୍ଷାମନ୍ତ୍ରୀ ଖାଲେଦାଆଜିବ ଖାନମ୍‌ ତୁରସ୍କର ନବଜାଗରଣ ଦିନରୁ ଜ୍ଞାନ, ପ୍ରତିଭା, ସ୍ୱଦେଶାନୁରାଗର ଉଜ୍ଜ୍ୱଳ ମହିମାରେ ଖ୍ୟାତି ଲାଭକରି ସାରା ଦେଶର ସମ୍ମାନର ପାତ୍ରୀ ରୂପେ ବିବେଚିତ ହୋଇ ପାରିଛନ୍ତି । କାମାଲ ପାଶାଙ୍କର ବିଶ୍ୱତ୍ରାସୀ ଶକ୍ତିର ପ୍ରେରଣାଦାତ୍ରୀ ରୂପେ ତାଙ୍କର ବୀରଜାୟାଙ୍କର ପ୍ରଭାବ ଅତି ବାସ୍ତବ ରୂପେ ପ୍ରତିଭାତ ହୋଇପାରିଛି-

 

ରାଷ୍ଟ୍ରର ଉନ୍ନତିକଳ୍ପେ ବହୁ ତୁର୍କୀ ନାରୀ ଦୂର ପାଶ୍ଚତ୍ୟ ଦେଶର ବିଜ୍ଞାନ ମନ୍ଦିରମାନଙ୍କୁ ପ୍ରେରିତ ହୋଇଛନ୍ତି । ପୁଣି ବର୍ତ୍ତମାନ ସେମାନଙ୍କର ସେବାରେ ତୁର୍କ ଜାତି ଗଠିତ ହୋଇ ଉଠୁଅଛି-

 

ସେ ଦିନ ଯାଇଛି—ଯେଉଁଦିନ ତୁର୍କୀ ନାରୀଙ୍କର ଆଦର୍ଶ ଥିଲା, କେବଳ ପରିଜନବର୍ଗ ଓ ସ୍ୱାମୀଙ୍କୁ ଖୁସାମତ କରି ତୁଷ୍ଟ ରଖିବାକୁ ଆପ୍ରାଣ ଚେଷ୍ଟା କରିବା । ସେଠାରେ ନାରୀର ଆର୍ଥିକ ସ୍ୱତନ୍ତ୍ରତାର ପ୍ରଚେଷ୍ଟା ତ ଗୋଟିଏ ହାସ୍ୟକର ବିଷୟ ଥିଲା । କିନ୍ତୁ କାଳକ୍ରମେ କେତେକ ଯୁଗପ୍ରବର୍ତ୍ତିକା ମହିଳାଙ୍କର ପ୍ରଗାଢ଼ ଯତ୍ନ, ଅଧ୍ୟବସାୟ, ତ୍ୟାଗ ଓ ଚେଷ୍ଟା ଫଳରେ ଆଜି ସେହି ଦେଶର ନାରୀ ବହୁଯୁଗର ଘନ ଅନ୍ଧକାର ଭେଦ କରି ପ୍ରଭାତର ଅରୁଣ ଆଲୋକକୁ ଆନନ୍ଦ ଚିତ୍ତରେ ଅଭ୍ୟର୍ଥନା କରି ପାରିଛନ୍ତି । ସେମାନେ ଆଜି ଯେଉଁ ସ୍ଥଳରେ ଉପନୀତ ହୋଇଛନ୍ତି, ତାହା ପୃଥିବୀର ଯେ କୌଣସି ସଭ୍ୟ ଜାତିର ମହିଳା-ଜଗତଙ୍କ ସହିତ ସମକକ୍ଷ ।

 

ତୁର୍କୀ ନାରୀ ଜାଗରଣର ଜନ୍ମଦାତ୍ରୀରୂପେ ମାଦାମ ହାଲିଦେ ହାନୁମ୍‌ ଯେ ଅକ୍ଳାନ୍ତ ସେବା କରି ଯାଇଛନ୍ତି, ତାହା ସେହି ଦେଶ ଜାତିର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଏହି ମହିମାନ୍ୱିତ ନାରୀଙ୍କ ଅଙ୍ଗୁଳି ସଙ୍କେତରେ ନାରୀ ଅଭ୍ୟୁତ୍ଥାନର ଯେ ବୀଜରୋପିତ ହୋଇଥିଲା, ତାହା ରାଷ୍ଟ୍ରନାୟକ କେମାଲ ପାଶାଙ୍କ ଶକ୍ତି, ସଙ୍କଳ୍ପ ଓ ଅସାଧାରଣ ବ୍ୟକ୍ତିତ୍ୱ ତଥା ସାହସଦ୍ୱାରା ସଂସାରରେ ଅସମ୍ଭବକୁ ସମ୍ଭବପର କରି ଥୋଇ ଦେଇଛି ।

 

ପ୍ରକୃତରେ କହିବାକୁ ଗଲେ ୧୯୦୯ ସାଲଠାରୁ ଏହି ନାରୀ ବିଦ୍ରୋହର ପ୍ରଥମ ସୂଚନା-। ସେହି ଦିନୁଁ ତୁର୍କୀ ନାରୀ ବହୁଯୁଗର କୃଷ୍ଣଆବରଣକୁ ଛିନ୍ନ କରି ଧୂଳିରେ ଲୋଟାଇ ଦେବାର ସଂକଳ୍ପ କରି ଆସିଥିଲା । ଗତ ମହାଯୁଦ୍ଧପରେ ତୁର୍କୀର ଅବସ୍ଥା ଏକାବେଳକେ ଓଲଟା ହୋଇଯାଇଛି । ଏହି ପନ୍ଦର ବର୍ଷ ଭିତରେ ତୁର୍କୀ ଯେପରି ଯୁଦ୍ଧଭୂମିକୁ ଅଗ୍ରସର ହୋଇ ନିଜର ହୃତଭାଗ୍ୟକୁ ଲେଉଟାଇ ଆଣି ବିଶ୍ୱ ଜାତିସଂଘରେ ନିଜର ଅନବଦ୍ୟ ଆସନପାତ କରି ପାରିଅଛି, ତୁର୍କୀ ନାରୀ ସେହିପରି ଆତ୍ମିକ ବିଦ୍ରୋହ ପରେ ନିଜର ମୁକ୍ତି ଘୋଷଣା କରିଅଛି । ଆଜି ସେଠାର ନାରୀ ଯେ କେବଳ ବୁରୁଖା ଫିଙ୍ଗି ୟୁରୋପୀୟ ବେଶଭୂଷା ଧରିଛି, ତାହା ନୁହେଁ, ରୀତିମତ ସ୍ୱାମୀ ସହିତ ବିଦେଶ ଯାଇ ଏବଂ କ୍ଷେତ୍ରବିଶେଷରେ ସ୍ୱୟଂ ବିଦେଶରୁ ଶିକ୍ଷିତା ହୋଇ ଆସି ତୁର୍କ ଗଣତନ୍ତ୍ର ପାଠଶାଳାମାନଙ୍କରେ ଶିକ୍ଷୟିତ୍ରୀ ହୋଇ ଦେଶକୁ ଜ୍ଞାନର ଆଲୋକ ପରିବେଶନ କରି ପାରିଛି । କି ଡାକ୍ତରୀ, କି ଧାତ୍ରୀ, କି ସରକାରୀ ବିଭାଗର କର୍ମମାନ—ସମସ୍ତ ବିଷୟରେ ସେମାନଙ୍କର ନିପୁଣତାର ତୁଳନା ନାହିଁ । ବୁରୁଖା ସ୍ଥଳରେ ସେମାନେ ସୁବିଧାନୁଯାୟୀ ୟୁରୋପୀୟ ଶିରାସ୍ତ୍ରାଣ ପିନ୍ଧୁଛନ୍ତି । ସ୍ୱାମୀ ମନୋନୟନ କରିବାର ଦାୟିତ୍ୱ ସେମାନଙ୍କ ସ୍କନ୍ଧରେ ସେମାନେ ନେଇଛନ୍ତି-। ଘରେ, ବାହାରେ, ରାଷ୍ଟ୍ରରେ ସେମାନଙ୍କୁ ନେଇ ନବୀନ ତୁର୍କୀସ୍ଥାନ ଗଠିତ ହୋଇ ଆଜି ପରାକ୍ରମରେ, ଶିକ୍ଷା ଦୀକ୍ଷାରେ, ସଭ୍ୟତା ସାହିତ୍ୟରେ, ବିଜ୍ଞାନ, ରାଜନୀତି, କଳାକାରୁରେ, ଅର୍ଥନୀତିରେ, ସମାଜ ଗଠନରେ, କୌଣସି ଦିଗରେ ତ୍ରୁଟି ରଖିବାର ସ୍ଥାନ ରଖି ନାହିଁ । ‘‘ଆଜି ଆମ୍ଭେମାନେ ଆମ୍ଭମାନଙ୍କର ମହିଳାମାନଙ୍କୁ ପାରିସ୍‌ ମହିଳାଙ୍କପରି ସୌଖିନ୍‌ ଓ ସୁଚତୁରା ଯେପରି କରିବାକୁ ଯାଉଛୁଁ, ଜର୍ମାନ୍‌ ଓ ସୁଇସ୍‌ ମହିଳାଙ୍କପରି ସେହିପରି ସର୍ବାଙ୍ଗସମ୍ପୂର୍ଣ୍ଣ ଶିକ୍ଷିତା ଓ ଇଂରାଜ ତଥା ମାର୍କିନ୍‌ ମହିଳାଙ୍କ ପରି ଚରିତ୍ରରେ ପ୍ରଶାନ୍ତ ତଥା ସୁଦୃଢ଼ ଅବୟବଯୁକ୍ତା କରି ତିୟାର କରିବାକୁ ଚାହୁଁଛୁ ।’’ —ଆଜି ଏହି ଭାବ ଦେଶରେ ଓତଃପ୍ରୋତ ହୋଇ ଖେଳି ଗଲାଣି । ପ୍ରାଚୀନ କୁସଂସ୍କାର ଓ ଅନ୍ଧତା ଏକାବେଳକେ ଲୋପ ପାଇଛି । ପ୍ରାଚୀନ ନାରୀଙ୍କ କଥା ଜାଣିବାକୁ ହେଲେ କିମ୍ୱଦନ୍ତୀରୁ କିମ୍ବା ଇତିହାସରୁ ଅବଗତ ହେବାକୁ ପଡ଼ୁଛି । ତୁର୍କୀ ନାରୀର ନବଯୁଗରେ ନବୀନ ଜୟ ଘଟିଛି-। ସେ ନିଜେ ପୂର୍ଣ୍ଣ ସ୍ୱାଧୀନା ହୋଇଛି ଏବଂ ସ୍ୱାଧୀନତାର ଉପଯୁକ୍ତ ବ୍ୟବହାରପାଇଁ ନିଜକୁ ଉପଯୁକ୍ତ ଭାବରେ ପ୍ରସ୍ତୁତ କରିବାରେ ଅନେକ ପରିମାଣରେ ସଫଳ ହୋଇ ପାରିଅଛି ।

 

ବର୍ତ୍ତମାନ ପୃଥିବୀରେ ଯେତେ ମୁସଲମାନ ଦେଶ ଅଛି, ତହିଁ ମଧ୍ୟରୁ ତୁର୍କୀରେ ନାରୀଶିକ୍ଷା ବହୁ ବିସ୍ତୃତ ହୋଇ ପଡ଼ିଅଛି । କନଷ୍ଟାଣ୍ଟିନୋପଲରେ ମହିଳାଙ୍କପାଇଁ ବୃହତ୍‌ ବିଶ୍ୱବିଦ୍ୟାଳୟ ଅଛି ଏବଂ ଦେଶର ବିଭିନ୍ନ କେନ୍ଦ୍ରମାନଙ୍କରେ ବହୁ ଉଚ୍ଚଶ୍ରେଣୀର ସ୍କୁଲମାନ ବିଦ୍ୟମାନ । ୧୯୧୯ ପୂର୍ବରୁ ୧୯୯୦ ମହିଳା କଲେଜରୁ ସର୍ବୋଚ୍ଚ ଉପାଧିମାନ ପାଇଥିଲେ । ସେହି ବର୍ଷ ୨୦ ଜଣ ଆଇନ ବ୍ୟବସାୟୀ, ୧୪ଜଣ ଡାକ୍ତରୀ, ବିଜ୍ଞାନରେ ୩୧ଜଣ ଛାତ୍ରୀ ସର୍ବୋଚ୍ଚ ଉପାଧି ପାଇଥିଲେ । ତୁର୍କୀନାରୀ ଦେଶର ଅନେକ ପତ୍ରପତ୍ରିକାର ସମ୍ପାଦନା ମଧ୍ୟ କରୁଅଛି । ବକ୍ତୃତାରେ ସେ ଦେଶର ବହୁ ମହିଳା ଦେଶ ବିଦେଶରେ ଖ୍ୟାତି ଅର୍ଜନ କରି ପାରିଛନ୍ତି-। ଫଳତଃ ମୁସ୍‍ଲିମ୍‌ ନାରୀ ଆଜି ପୁରୁଷ ସହିତ ସମ ପଦବିକ୍ଷେପରେ ଚାଲି ପାରୁଅଛି । ବର୍ତ୍ତମାନ ମୁସ୍‍ଲିମ୍‍ ନାରୀ ଜାଗରଣ ମୂଳରେ ନବରୁଷ୍‌ର ଗଣବିପ୍ଳବ ଓ ତୁର୍କୀରେ କେମାଲଙ୍କର ଏକାଧିପତ୍ୟ ରାଜତ୍ୱ ବିଶେଷ ଭାବରେ କାର୍ଯ୍ୟ କରିଅଛି । ଏହାରି ଫଳରେ ତୁର୍କୀରେ ନାରୀର ଅବସ୍ଥା ଏକାବେଳକେ ପରିବର୍ତ୍ତିତ ହୋଇଯାଇଛି । ଅନ୍ୟାନ୍ୟ ଦେଶରେ ଏ ବିପ୍ଳବର ପ୍ରଭାବ ପଡ଼ିଥିଲେ ମଧ୍ୟ କେମାଲପାଶାଙ୍କ ପରି ସବଳ ଶାସକଙ୍କ ଅଭାବରୁ ଉନ୍ନତି ବିଶେଷ ଅଗ୍ରସର ହୋଇପାରିନାହିଁ ।

Image

 

ମିଶର ଦେଶ

 

ମିଶରର ଜାତୀୟ ନବଜାଗରଣ ମୂଳରେ ମଧ୍ୟ ନାରୀର କଲ୍ୟାଣହସ୍ତର ଅଶେଷ ଅବଦାନ ଲକ୍ଷିତ ହୁଏ । ହତାଶ ଜାତି ପ୍ରାଣରେ ଯେ ବିଜୟଉନ୍ମାଦିନୀ ଶକ୍ତି ସଞ୍ଚାରିତ ହୋଇଥିଲା, ତାହା ଦେଶର ନାରୀଙ୍କ ପ୍ରସାଦରୁ । ଜାତିର ଭାଗ୍ୟନିୟନ୍ତା ଜଗଲୁଲ୍‌ ପାଶା ଯେତେବେଳେ ଦେଶରୁ ନିର୍ବାସିତ ହୋଇଥିଲେ, ସେତେବେଳେ ତାଙ୍କର ସୁଯୋଗ୍ୟାପତ୍ନୀ ସୋଫିୟା ଖାନୁମ୍‌ ଦେଶବାସୀଙ୍କୁ ପରିଚାଳନ କରିଥିଲେ । ଏହି ତେଜସ୍ୱିନୀ ନାରୀ ଅଗଣନ ଜନସଭାମାନଙ୍କରେ ଯେଉଁ ଅଗ୍ନିଗର୍ଭ ଆଶାମୟୀ ବାଣୀ ଶୁଣାଉଥିଲେ, ତାହାଦ୍ୱାରା ସେମାନେ ପ୍ରାଣରେ ଜୀବନର ଜୟ ଦୁନ୍ଦୁଭି ଶୁଣି ପାରିଥିଲେ । ସେ ଦେଶରେ ବିଦେଶୀ ବର୍ଜନ ଆନ୍ଦୋଳନରେ ଯେତେବେଳେ ଦେଶର ଅଗଣିତ ମୁସ୍‍ଲିମ୍‍ ନାରୀ ସହରମାନଙ୍କର ପ୍ରତ୍ୟେକ ଦୋକାନରେ ପିକେଟିଂ କରି ଜାତୀୟ ଆନ୍ଦୋଳନକୁ ଗୋଟିଏ ସୁଦୃଢ଼ ଭିତ୍ତି ଦାନ କରି ପାରିଥିଲେ । ସେହି ସମୟରେ ପୃଥିବୀ ବିସ୍ମିତ ନୟନରେ ସେମାନଙ୍କ କର୍ମପଟୁତା ଆଡ଼କୁ ଚାହିଁ ରହିଥିଲା । ସେହି ଦେଶର ନାରୀମାନେ ମଧ୍ୟ ଯଥେଷ୍ଟ ଉନ୍ନତି କରୁଛନ୍ତି । ସେଠାରେ ବହୁ ବିଦୁଷୀ ନାରୀମାନେ ନିଜର ପ୍ରତିଭାର ବିକାଶ ଦ୍ୱାରା ନାନାଦେଶର ମନିଷୀମାନଙ୍କର ଶ୍ରଦ୍ଧା ଆକର୍ଷଣ କରି ପାରିଛନ୍ତି ।

 

୧୮୯୨ ଖ୍ରୀଷ୍ଟାବ୍ଦରେ ଯେତେବେଳେ ମିଶର ଦେଶରେ ‘ଏଲ୍‌ଫନଲ୍‌’ ନାମକ ମହିଳାଗଣଙ୍କ କର୍ତ୍ତୃକ ସମ୍ୱାଦପତ୍ରଟି ପ୍ରକାଶିତ ହୁଏ, ସେତେବେଳେ ସେ ଦେଶ ନାରୀମାନଙ୍କର ଶିକ୍ଷା ସେତେ ଅଗ୍ରସର ହୋଇ ନ ଥିଲା ଏବଂ ପୁରୁଷମାନଙ୍କର ଦୃଷ୍ଟିକୋଣ ସେହି ଦିଗରେ ପରିବର୍ତ୍ତିତ ବା ପ୍ରଶସ୍ତ ହୋଇ ପାରି ନ ଥିଲା । ୧୯୦୫ ସାଲରେ ଜଣେ ମିଶରୀୟ ମହିଳା ଶିକ୍ଷାର୍ଥିନୀ ଲଣ୍ଡନକୁ ପଠା ଯାଇଥିଲା । ସେହି ସମୟରୁ ଏଯାବତ୍‌ ଯେଉଁସବୁ ପରିବର୍ତ୍ତନ ଘଟିଛି, ତାହା ଭବିଷ୍ୟତ୍‌ ଅବସ୍ଥା ପ୍ରତି ଶୁଭସୂଚନା ଦିଏ ।

 

୧୯୨୧ ସାଲରେ ପ୍ରଧାନମନ୍ତ୍ରୀ ଓ ନେତା ଜଗଲୁଲ୍‌ ତାଙ୍କର ପତ୍ନୀଙ୍କୁ ପର୍ଦା ଅନ୍ତରାଳରୁ ଉନ୍ମୁକ୍ତ କର୍ମକ୍ଷେତ୍ରକୁ ଆଣିଥିଲେ । ୧୯୨୮ ସାଲରେ ସେ ଦେଶରେ ୨୨୪ଟି ବାଳିକା ସ୍କୁଲ ଥିଲା ଏବଂ ତହିଁରେ ୩୬୬୦୦ ଛାତ୍ରୀ ଖାସ୍‌ ସରକାରୀ ସ୍କୁଲମାନଙ୍କରେ ପଢ଼ୁଥିଲେ-। ଏହା ଛଡ଼ା ବହୁତ ଘରୋଇ ସ୍କୁଲମାନଙ୍କରେ ମଧ୍ୟ ପଢ଼ୁଥିଲେ । ମିଶରୀୟ ଷ୍ଟେଟ୍‌ ଇଉନିଭରସିଟିରେ ଉଚ୍ଚଶିକ୍ଷାର ସୁବିଧା ମହିଳାଙ୍କୁ ଦିଆଯାଉଥିଲା ଏବଂ ୧୯୨୮ ସାଲରେ ୭ଜଣ ନାରୀ ଉଚ୍ଚ ଡାକ୍ତରୀ ପାଶ୍‌ କରିଥିଲେ ।

 

୧୯୧୯ ସାଲର ଜାତୀୟ ଆନ୍ଦୋଳନରେ ମିଶରୀୟ ମହିଳା ନବ ଆଲୋକ ପାଇଥିଲେ । ଜଗଲୁଲ୍‍ ପାଶାଙ୍କ ପତ୍ନୀ ସୋଫିୟା ଖାନମ୍‌ ଓ ଶ୍ରୀମତୀ ହୋଦା ଖରୁବୀ ନିଜ ଦେଶର ନାରୀଙ୍କପାଇଁ ଯାହା କରି ଯାଇଅଛନ୍ତି ତାହା ସେହି ଦେଶର ଐତିହାସିକ ଭୁଲିପାରିବେ ନାହିଁ । ଆଜି ପର୍ଯ୍ୟନ୍ତ ଦେଶ ସୋଫିୟାଙ୍କୁ ଦେଶର ‘‘ଜନନୀ’’ ବୋଲି ବରଣ କରୁଅଛି । ସେଠାର ମହିଳା ଆନ୍ଦୋଳନର କାର୍ଯ୍ୟକ୍ରମ ବେଶୀ ପରିମାଣରେ ସାମାଜିକ । କିପରି ଦେଶରେ ବିଭିନ୍ନ ସ୍ଥାନରେ ବାଳିକା ସ୍କୁଲ ଖୋଲା ହେବ, କିପରି ଅନାଥ ଦରିଦ୍ର ନିରାଶ୍ରୟମାନେ ନାରୀଜାତିର ସେବା ପାଇ ପାରିବେ ଓ କିପରି ନାରୀଜାତି ନିଜର ସନ୍ତାନମାନଙ୍କୁ ସୁଶିକ୍ଷିତ କରି ପାରିବେ, ଏ ଦିଗରେ ସେମାନଙ୍କର ଚେଷ୍ଟା ଅତୁଳନୀୟ । ନାରୀଜାତିର ସାମାଜିକ ଅଧିକାର ବୃଦ୍ଧି କରିବା ନିମିତ୍ତ, ମିଶର ସରକାର ପୁରୁଷମାନଙ୍କର ସ୍ତ୍ରୀ ତ୍ୟାଗ ପ୍ରଥାକୁ କଡ଼ା କରିଦେଲେ ଏବଂ ନାରୀମାନେ ଯଥେଷ୍ଟ କାରଣ ଥିଲେ ସ୍ୱାମୀ ତ୍ୟାଗ କରିପାରିବେ ବୋଲି ୧୯୨୯ରେ ଆଇନ୍‌ କରି ଦେଲେ ।

 

କାୟରୋ

 

କାୟରୋ ଦେଶୀୟ ମହିଳାଗଣ ମଧ୍ୟ ନିଜର ସର୍ବବିଧ ଉନ୍ନତି ପାଇଁ ଆଜି ପ୍ରଗାଢ଼ ଯତ୍ନବତୀ । ଇରାକ୍‌ ଓ ସିରୀୟାରେ କିନ୍ତୁ ପ୍ରଗତି ମନ୍ଥର ଗତିରେ ଚାଲୁଛି । ୧୯୨୭ ସାଲରେ ସିରୀୟା ନାରୀଙ୍କର ପ୍ରଥମ ସମ୍ମିଳନୀ ବସିଥିଲା । ମହିଳାଙ୍କର ଶିକ୍ଷା, ବ୍ୟବସାୟ ଓ ବିବାହ ସମ୍ୱନ୍ଧୀୟ ଆଇନ୍‌କାନୁନ୍‌ ସମ୍ୱନ୍ଧରେ ବହୁ ଆଲୋଚନା ହୋଇଥିଲା ।

 

ପେଲେଷ୍ଟାଇନ୍‌

 

୧୯୨୯ରେ ପେଲେଷ୍ଟାଇନରେ ସିରୀୟ ମହିଳାମାନଙ୍କର ପ୍ରଭାବରେ ସର୍ବପ୍ରଥମ ସମ୍ମିଳନୀ ବସିଥିଲା । ଆରବ ଦେଶର ରାଜନୈତିକ ସ୍ୱାଧୀନତା ନେଇ ସେମାନେ ବ୍ୟସ୍ତ ଥିବାରୁ ସେମାନଙ୍କର ସାମାଜିକ ତଥା ଅନ୍ୟାନ୍ୟ କ୍ଷେତ୍ରର ପ୍ରଗତି ସମ୍ୱନ୍ଧରେ କାର୍ଯ୍ୟ କରିବାକୁ ସେମାନେ ସେତେ ସୁବିଧା ପାଇନାହାନ୍ତି ।

 

ସ୍ପେନ୍‌

 

ସ୍ପେନ୍‌ ଦେଶରେ ଯେତେବେଳେ ମୂରମାନେ ରାଜତ୍ୱ କରୁଥିଲେ, ସେହି ସମୟରେ ସେଠାର ମୁସଲମାନ ନାରୀମାନେ ସାହିତ୍ୟ, ଶିଳ୍ପକଳା ଆଦିରେ ଶୀର୍ଷସ୍ଥାନ ଅଧିକାର କରିଥିଲେ । ସେଠାରେ ସେ ସମୟରେ କେତେକ ବିଦୁଷୀଙ୍କ ସହିତରେ ଦେଶର ବଡ଼ ବଡ଼ ପଣ୍ଡିତଗଣ ଜ୍ଞାନ ଚର୍ଚ୍ଚା କରୁଥିଲେ । ବର୍ତ୍ତମାନ ନାନାଜାତିର ସଙ୍ଘର୍ଷରେ ଆସି ମୁସ୍‍ଲିମ୍‍ ମହିଳା ଇପ୍ସିତ ଲକ୍ଷ୍ୟରେ ପହଞ୍ଚି ପାରିଛି ।

 

ରୁଷିଆ

 

ରୁଷ୍‌ ଦେଶରେ ବହୁ ମୁସଲମାନ ବସତି । ସେଠାରେ ନବଯୁଗର ଉଦ୍‌ବୋଧନରେ ଉଦ୍‌ବୋଧିତ ହୋଇ ମୁସଲମାନ ନାରୀ ଆଜି ବିଶ୍ୱର ମହିଳା ସଭାରେ ସମ୍ମାନର ଆସନ ପାଇଛି । ୧୯୨୩ରେ ଆଜର ବାଇଜାନ୍‌ ସାଧାରଣତନ୍ତ୍ରର ରାଜଧାନୀ ବାକୁ ସହରରେ ଯେ ସମ୍ମିଳନୀ ହୋଇଥିଲା, ତହିଁରେ ରୁଷ୍‌ ସୋଭିଏଟ୍‌ ଗଣତନ୍ତ୍ରର ବିଭିନ୍ନ ପ୍ରଦେଶରୁ ବହୁ ମୁସ୍‍ଲିମ୍‍ ନାରୀ ଯୋଗ ଦେଇଥିଲେ । ୧୯୨୫ରେ ଲୁଖା ପ୍ରଦେଶର ବ୍ୟବସ୍ଥା ପରିଷଦରେ ଦଶଜଣ ମୁସ୍‍ଲିମ୍‍ ମହିଳା ନିର୍ବାଚିତ ହୋଇଛନ୍ତି । ଦେଶକୁ ଅଗ୍ରସର ହେବା ମନ୍ତ୍ରରେ ପୁରୁଷଠାରୁ ନାରୀ ହିଁ ଆଜି ଦୀକ୍ଷିତ କରିଛି ବେଶୀ ।

 

ପାରସ୍ୟ

 

ପାରସ୍ୟ ମହିଳାମାନେ ମଧ୍ୟ ଗୃହକୋଣରେ ନିଦ୍ରିତା ନାହାନ୍ତି । ଏହି ମହାଜାଗରଣ ଯୁଗରେ ସେମାନେ ଜାଗ୍ରତ ହୋଇ ସଂହତିର ଉନ୍ନତିପାଇଁ ଜୀବନ ପଣ କରିଛନ୍ତି । ସେମାନେ ପତ୍ରପତ୍ରିକାର ସମ୍ପାଦନାରେ ବେଶୀ କୃତିତ୍ୱ ଦେଖାଇ ପାରିଛନ୍ତି । ‘ଖିଜାର’ ସମ୍ପାଦିକା ଆଫିପା ଖାନମ୍‌ ଓ ‘ଜବାଇ ଜାନାନ୍‌’ ପତ୍ରିକା ସମ୍ପାଦିକା ସିଦିକା ଖାନମ୍‌ ପ୍ରଭୃତି କେତେକ ମହିଳା ସେହି ଦେଶର ଜାତୀୟଆକାଶରେ ଧ୍ରୁବତାରାରୂପେ ଦେଦୀପ୍ୟମାନ ହେଉଛନ୍ତି ।

 

ଭାରତବର୍ଷ

 

ଭାରତବର୍ଷରେ ମୁସଲମାନ ରାଜତ୍ୱକାଳରେ ସର୍ବଶ୍ରେଣୀର ନାରୀମାନଙ୍କର ଉନ୍ନତି ଯଦିଓ ସେପରି ଦେଖାଯାଇ ନ ଥିଲା ତଥାପି ରାଜ ଅନ୍ତଃପୁରିକାମାନେ ସାହିତ୍ୟ, କାବ୍ୟ, ରାଜନୀତି, ଶିଳ୍ପ କଳା, ସଙ୍ଗୀତ, ଯୁଦ୍ଧବିଦ୍ୟା, ରାଜ୍ୟଶାସନ ଆଦିରେ ଶୀର୍ଷସ୍ଥାନ ଅଧିକାର କରିଥିଲେ । ସୁଲ୍‌ତାନା ରେଜିୟା ବେଗମ୍‌, ସାମ୍ରାଜ୍ଞୀ ନୁରଜାହାନ୍‌, ଚାନ୍ଦବିବି ପ୍ରମୁଖ ଇତିହାସପ୍ରସିଦ୍ଧ ବୀରାଙ୍ଗନାମାନଙ୍କର ଦେଶାନୁରାଗ, କୂଟରାଜନୈତିକ ବୁଦ୍ଧି, ରାଜ୍ୟଶାସନ ଚାତୁର୍ଯ୍ୟରେ ବିଶ୍ୱ ସ୍ତମ୍ଭିତ ହୋଇଥିଲା । ଏହା ଛଡ଼ା ଗୁଲ୍‌ବଦନ ଜାହାନାରା, ଜେବୁନ୍ନିସା ପ୍ରଭୃତି ଭାରତୀୟ ମୁସଲମାନ ନାରୀମାନେ ସେ କାଳରେ ଶିକ୍ଷା, ଜ୍ଞାନଚର୍ଚ୍ଚା, କାବ୍ୟ ଶିଳ୍ପାଦିରେ ଯଥେଷ୍ଟ ଯଶସ୍ୱିନୀ ହୋଇ ପାରିଥିଲେ । ରାଜାନ୍ତଃପୁରଚାରିଣୀମାନେ ଶିଳ୍ପ, ସଙ୍ଗୀତ, କାବ୍ୟ ଓ ଜ୍ଞାନଚର୍ଚ୍ଚାଦ୍ୱାରା ନିଜ ନିଜ ଜୀବନକୁ ଧନ୍ୟ କରି ସମସ୍ତଙ୍କ ପ୍ରଶଂସା ଲାଭ କରି ପାରିଥିଲେ । ଆଧୁନିକ କାଳରେ ଆଲିଗଡ଼ ମୁସଲମାନ କଲେଜର ଲେଡ଼ି ଚାନ୍‌ସେଲର, ବହୁ ଇଂରେଜୀ ଗ୍ରନ୍ଥପ୍ରଣେତ୍ରୀ ଭୂପାଳେଶ୍ୱରୀ ସୁଲତାନ୍‌ ଜାହାନ୍‌ ବେଗମଙ୍କ ଅଦ୍ଭୁତ ମନୀଷା ଓ ଶିକ୍ଷାର ଉତ୍କର୍ଷତା ହେତୁ ପୃଥିବୀ ତାଙ୍କପ୍ରତି ପ୍ରଶଂସମାନ ଦୃଷ୍ଟିପାତ କରିଅଛି । ପୃଥିବୀର ଇତିହାସରେ ଏହି କେବଳ ଏକମାତ୍ର Lady Chanceller । ସୁସଭ୍ୟ ୟୁରୋପ ଆଜିପର୍ଯ୍ୟନ୍ତ ଏହି ଅଧିକାର ନାରୀକୁ ଦେଇପାରି ନାହିଁ । ଭାରତୀୟ ମୁସଲମାନ ମହିଳାର ଏହି ସମ୍ମାନରେ ମୁସଲ୍‍ମାନ ଜାତି ଓ ଭାରତବର୍ଷ ସମ୍ମାନିତ ହୋଇଛି ।

 

ଏହା ଛଡ଼ା ବିଦୁଷୀ ମିସ୍‌ ନଜୀର ବାଈ ଶେଖ୍‌ ବାଳିକାମାନଙ୍କ ବ୍ୟାୟାମ ଶିକ୍ଷାଲାଗି ଯେ ବିଶାଳ ଶିକ୍ଷାୟତନ ପ୍ରତିଷ୍ଠା କରିଛନ୍ତି, ତହିଁରେ ବରୋଦାର ଗାଇକୋଆଡ଼ ଓ ସେଣ୍ଟ ନିହାଲ ସିଂହ ପ୍ରଭୃତି ଧନୀ, ମାନୀ, ଜ୍ଞାନୀ ଲୋକେ ମୁଗ୍ଧ ହୋଇଅଛନ୍ତି ।

 

ଆଫ୍‌ଗାନିସ୍ଥାନ

 

ଆଫଗାନ ମହିଳା ଯୁଗ ଯୁଗର ବୁରୁଖା ଛାଡ଼ି ଆଜି ଦେଶର ସର୍ବାଙ୍ଗୀନ ଉନ୍ନତିରେ ଅଗ୍ରସର ହୋଇ ପାରିଛି । ମୁକୁଟତ୍ୟାଗୀ ରାଜା ଅମାନୁଲ୍ଲା ରାଣୀ ସୁରିୟାଙ୍କୁ ପର୍ଦା ତ୍ୟାଗ କରାଇ ୟୁରୋପୀୟ ବେଶ ପିନ୍ଧାଇ ୟୁରୋପକୁ ନେଇଥିଲେ । ତେଣୁ ଫେରିଆସି ରାଜା ରାଣୀ ଦୁହେଁ ସମାଜ-ସଂସ୍କୃତି ପାଇଁ ଜୀବନ ପଣ କରି ଲାଗିଥିଲେ । ବିଦେଶରୁ ସୁରିୟା ଫେରିଲାଦିନୁଁ ବଡ଼ ବଡ଼ ବାଳିକା ସ୍କୁଲମାନ ବସିବାକୁ ଲାଗିଲା । ଫ୍ରାନ୍‍ସର ଆଫଗାନ ରାଜଦୂତଙ୍କ ପତ୍ନୀ ଓ ସ୍ୱୟଂ ଅମୀର୍‍ଙ୍କ ପତ୍ନୀ ଦୁଇଜଣଯାକ ସେଠାର ନାରୀଶିକ୍ଷା ଓ କୁସଂସ୍କାର ନିବାରଣ କରିବାରେ ବ୍ରତୀ ହୋଇଥିଲେ । ଏହାରି ଫଳରେ ମଧ୍ୟ ରାଷ୍ଟ୍ରବିପ୍ଳବ ହୋଇ ଅନ୍ଧ ମୋଲ୍ଲାମାନେ ଷଡ଼ଯନ୍ତ୍ର କରିବାରୁ ଅମୀର୍‌ ସ୍ୱେଚ୍ଛାରେ ରାଣୀଙ୍କ ସହିତ ନିର୍ବାସନ ଦଣ୍ଡ ବରଣ କରିଥିବାର କଥା ସମସ୍ତଙ୍କୁ ଜଣାଥିବ ।

 

ହିନ୍ଦୁ ନାରୀମାନଙ୍କ ସହିତ ମୁସଲମାନ ନାରୀଙ୍କର ପ୍ରଗତି ସମାନ ନ ହେଲେହେଁ, ଏହି ଦିଗରେ ଦେଶର ଚିନ୍ତାଧାରା କ୍ରମେ କ୍ରମେ ବଦଳି ଯିବାର ଲକ୍ଷଣମାନ ଦିଶୁଅଛି । ରାଜନୀତି, ଶିକ୍ଷା, ସେବା, ଶିଳ୍ପ ଆଦିରେ ମୁସଲମାନ ମହିଳା କ୍ରମଶଃ ଅଗ୍ରସର ହେବେ ବୋଲି ଭରସା ହୁଏ ।

 

ଯେତେଦୂର ଜଣାଯାଏ ଅବରୋଧ ପ୍ରଥା ଜଗତର ମୁସଲିମ୍‍ ନାରୀମାନଙ୍କୁ ଅଭିଶପ୍ତା ଅହଲ୍ୟା ତୁଲ୍ୟ ପକାଇ ରଖିଛି । କିନ୍ତୁ ବହୁପୂର୍ବେ ହଜରତ ମହମ୍ମଦଙ୍କ ସମୟରୁ ମଧ୍ୟ ମୁସ୍‍ଲିମ ନାରୀ ଯେ ଯୁଦ୍ଧ କରିଛି, ଅବରୋଧ ପ୍ରଥା ଭାଙ୍ଗି ଦେଇଛି ଏବଂ ଅବରୋଧ ଅନ୍ଧତା ଓ ମୂର୍ଖତା ରହିବା ଯେ କୋରାନ୍‍ ଧର୍ମଗ୍ରନ୍ଥରେ ନିର୍ଦ୍ଦିଷ୍ଟ ଭାବରେ ଲିଖିତ ନାହିଁ, ତାହାର ପ୍ରମାଣ ଆଧୁନିକ ମୁସଲମାନ ନାରୀଜଗତ ବୁଝି ପାରିଲେଣି ।

 

୧୯୩୦ ସାଲରେ ଡମସ୍କସ୍‌ଠାରେ ସାରା ପୃଥିବୀର ମୁସଲିମ୍‍ ନାରୀଜଗତରୁ ବହୁ ନାରୀ ପ୍ରତିନିଧିମାନେ ସେଠାରେ ହେଉଥିବା ମହିଳା କଂଗ୍ରେସରେ ଯୋଗଦାନ କରିବାକୁ ଯାଇଥିଲେ । କ୍ରମେ ସେମାନଙ୍କର ମହିଳା କଂଗ୍ରେସ ଆନ୍ତର୍ଜାତୀୟ ନାରୀ ସଭା ସହିତ ସଂଯୁକ୍ତ ହୋଇ ଏ ଯୁଗରେ ନାରୀର ଦାବୀ କ’ଣ ସେହି ସମ୍ୱନ୍ଧରେ ଅବହିତ ହେଉଅଛନ୍ତି ।

Image

 

ନବୀନ ରୁଷିଆରେ ନାରୀର ସ୍ଥାନ

 

ପୃଥିବୀର କୌଣସି ଦେଶରେ ଯଦି ନାରୀଜାତିର ସମ୍ପୂର୍ଣ୍ଣ ସ୍ୱାଧୀନତା ଏବଂ ପୁରୁଷମାନଙ୍କ ସହିତ ସମାନ ଅଧିକାର ଥାଏ, ତେବେ ତାହା ହେଉଛି ରୁଷିଆ ଦେଶ । ଏହି ଦେଶରେ ଅଳ୍ପ କେତେକ ବର୍ଷ ତଳେ ନାରୀଙ୍କ ଅବସ୍ଥା ବର୍ତ୍ତମାନ ଭାରତର ନାରୀଙ୍କ ଅପେକ୍ଷା କୌଣସି ଅଂଶରେ ଉନ୍ନତ ନ ଥିଲା । ଗୃହପାଳିତ ପଶୁପରି ସେମାନେ ଜୀବନ କଟାଉଥିଲେ । ଶିକ୍ଷାର ପ୍ରସାର ଖୁବ୍‌ କମ୍‌ ଥିଲା । ରୁଷିଆର ରାଷ୍ଟ୍ରବିପ୍ଳବ ସମୟଠାରୁ ଦେଶର ରାଜନୈତିକ ଅବସ୍ଥା ପରିବର୍ତ୍ତନ ସହିତରେ ନାରୀଙ୍କ ଅବସ୍ଥାର ପରିବର୍ତ୍ତନ ହୋଇଆସୁଅଛି । ଦରିଦ୍ର ପ୍ରଜା ମଜୁରିଆ ଓ ନିରୀହ ମହିଳାମାନଙ୍କ ସ୍ୱାର୍ଥରକ୍ଷା ନିମନ୍ତେ ରୁଷିଆର ବିପ୍ଳବ ହୋଇଥିଲା । ଏହି ବିପ୍ଳବ ପରେ ସେମାନଙ୍କର ଅବସ୍ଥା ଏକାବେଳକେ ଲେଉଟି ପଡ଼ିଲା । ନାରୀର ଦୁର୍ଗତି ଏକାବେଳକେ ଲୋପ ପାଇଲା ଏବଂ ସେ ନବଜୀବନ ଲଭି ପ୍ରଗତି ପଥରେ ଦ୍ରୁତଗତିରେ ଅଗ୍ରସର ହେବାକୁ ଲାଗିଲା ।

 

ଆଜି ରୁଷ୍‌ ମହିଳାର ଉନ୍ନତି ଦେଖି ଅନ୍ୟାନ୍ୟ ଦେଶର ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି । ଏତେ ବଡ଼ ଜାତିର ପ୍ରାଚୀନ ଇତିହାସରେ ଏ ଘୋର ପରିବର୍ତ୍ତନ ଆସିଛି । ତା’ର ଇତିହାସ ଆଲୋଚନା କରିବାପାଇଁ ସ୍ୱତଃ ମନରେ କୌତୂହଳ ଜନ୍ମିବା କଥା ।

 

ଅତି ପ୍ରାଚୀନ ଯୁଗରେ, ଖ୍ରୀଷ୍ଟପୂର୍ବ ଯୁଗରେ, ରୁଷିଆର ନାରୀମାନଙ୍କ ଅବସ୍ଥା ଆଲୋଚନା କଲେ ଜଣାପଡ଼େ, ସେମାନେ ପୁରୁଷମାନଙ୍କ ସହିତ ସମଆସନ ଅଧିକାର କରିଥିଲେ-। ନାରୀମାନଙ୍କର ଯଥେଷ୍ଟ ସ୍ୱାଧୀନତା ଥିଲା । ସ୍ୱାମୀ ନିର୍ବାଚନରେ ଓ ଅନ୍ୟାନ୍ୟ ସାମାଜିକ କର୍ମରେ ତାହାର ସ୍ୱାଧୀନତା ଥିଲା । ଗୃହର ଯାବତୀୟ କାର୍ଯ୍ୟରେ ନାରୀମାନଙ୍କର ଆଧିପତ୍ୟ ଥିଲା-। ପୁରୁଷମାନେ ଅନେକ କାଳ ପର୍ଯ୍ୟନ୍ତ ଶିକାରରେ କାଳ କଟାଉଥିଲେ ଏବଂ ସ୍ତ୍ରୀମାନେ ତାଙ୍କର ଅନୁପସ୍ଥିତିରେ ଜମିବାଡ଼ିର, ଘରଦ୍ୱାରର ସମସ୍ତ ଭାର ବହନ କରୁଥିଲେ । ମାତୃଜାତି କେବଳ ସମାଜର କେନ୍ଦ୍ର ଥିଲା । ମାତୃଜାତିର ଆଦର ବହୁତ ଥିଲା ।

 

କିନ୍ତୁ କାଳକ୍ରମେ ସେମାନଙ୍କ ସ୍ୱାଧୀନତା ଖର୍ବ ହେବାକୁ ଲାଗିଲା । ଖ୍ରୀଷ୍ଟୀୟ ଯୁଗରେ ଅନ୍ୟାନ୍ୟ ଜାତିମାନଙ୍କର ପ୍ରଭାବରେ ଆସି ରୁଷିଆର ସାମାଜିକ ଅବସ୍ଥାରେ ପରିବର୍ତ୍ତନ ଦେଖାଦେଲା । ଖ୍ରୀଷ୍ଟଧର୍ମର ପ୍ରଚାର ଫଳରେ ରୁଷିଆର ନାରୀମାନଙ୍କର ଅବସ୍ଥା ଶୋଚନୀୟ ହେବାକୁ ଲାଗିଲା । ନାରୀମାନେ ସବୁବେଳେ ଧର୍ମପଥର କଣ୍ଟକ ବିବେଚିତ ହେଲେ । ଏହି ସଂସାରରେ ଯାବତୀୟ ଜଞ୍ଜାଳରୁ ଉଦ୍ଧାର ପାଇବାକୁ ହେଲେ, ମୁକ୍ତ ହେବାକୁ ହେଲେ ସ୍ତ୍ରୀମାନଙ୍କ ସଂସର୍ଗ ତ୍ୟାଗ କରିବାକୁ ହେବ ବୋଲି ଲୋକମାନଙ୍କ ମନରେ ଧାରଣା ଜନ୍ମାଇ ଦିଆଗଲା । ଖ୍ରୀଷ୍ଟଧର୍ମର ନିର୍ଦ୍ଦେଶାନୁସାରେ ସମାଜର ନିୟମକାନୁନ ଗଢ଼ା ହେବାକୁ ଲାଗିଲା । ତାରି ଫଳରେ ସ୍ତ୍ରୀମାନଙ୍କର ସ୍ୱାଧୀନତାକୁ ସବୁ କ୍ଷେତ୍ରରୁ କାଢ଼ି ନିଆଗଲା । ପୂର୍ବପରି ସ୍ୱାମୀ ନିର୍ବାଚନରେ କି ଗୃହକର୍ମରେ ତା’ର ଆଉ ସେ ପ୍ରଭୁତ୍ୱ ରହିଲା ନାହିଁ । କ୍ରମଶଃ ତା’ର ଅବସ୍ଥା ଶୋଚନୀୟ ହେବାକୁ ଲାଗିଲା । ରୁଷିଆର ଧନୀ ବ୍ୟକ୍ତିମାନେ ମହିଳାମାନଙ୍କୁ ଅନ୍ତଃପୁରରେ ଆବଦ୍ଧ ରଖିବାକୁ ଆରମ୍ଭ କଲେ । ଦେଶରେ ଅସଂଖ୍ୟ ହେରମ ଦେଖାଗଲା । ସ୍ତ୍ରୀମାନଙ୍କୁ ସେଠାରେ ବନ୍ଦିନୀ ତୁଲ୍ୟ ରଖାଗଲା ।

 

ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀ ସରିକି ମଧ୍ୟ ନାରୀମାନଙ୍କର ଶୋଚନୀୟ ଅବସ୍ଥାର କୌଣସି ପରିବର୍ତ୍ତନ ଘଟି ନ ଥିଲା । ପ୍ରକୃତରେ କହିବାକୁ ଗଲେ ସେମାନଙ୍କ ଅବସ୍ଥା ଆହୁରି ଖରାପ ହେବାକୁ ଲାଗିଲା । ହେରମର ବନ୍ଧନ ଦୃଢ଼ରୁ ଦୃଢ଼ତର ହେବାକୁ ଲାଗିଲା । ବିବାହଠାରୁ ସ୍ତ୍ରୀମାନଙ୍କର ବିଚିତ୍ର ରକମର ପୋଷାକ ପିନ୍ଧିବାର ବ୍ୟବସ୍ଥା ହେଲା । ଗିରିଜାରେ ମହିଳାମାନଙ୍କପାଇଁ ସ୍ୱତନ୍ତ୍ର ସ୍ଥାନର ନିର୍ଦ୍ଦେଶ କରାଗଲା । ଧନୀ ଘରମାନଙ୍କରେ ସ୍ତ୍ରୀମାନଙ୍କର ଦୁର୍ଦ୍ଦଶା ବୃଦ୍ଧି ପାଇବାକୁ ଲାଗିଲା । ଅବସ୍ଥା ଏତେ ଉତ୍କଟ ହେବାକୁ ଲାଗିଲା ଯେ, ସେ ସମୟର ସାମାଜିକ ନିୟମ କାନୁନ ପଢ଼ିଲେ ବାସ୍ତବିକ୍‌ ଆଶ୍ଚର୍ଯ୍ୟାନ୍ୱିତ ହେବାକୁ ହୁଏ ।

 

ଷୋଡ଼ଶ ଶତାବ୍ଦୀର ମଧ୍ୟଭାଗରେ ଜାର୍‍ ଆଇଭାନ୍‍ (Tsar Ivan the Terrible) ଡୋମଷ୍ଟ୍ରୋଇ (Domostroy) ନାମକ ଯେଉଁ ସାମାଜିକ ନିୟମ ପ୍ରଣୟନ କରିଥିଲେ, ତାହା ପ୍ରକୃତରେ ଚମକପ୍ରଦ ।

 

ଯଦି ପତ୍ନୀ ସ୍ୱାମୀର କଥା ନ ଶୁଣିଲା, ତା’ର ଆଦେଶମତେ କାର୍ଯ୍ୟ ନ କଲା, ତେବେ ତା’ର ଦୋଷର ପରିଣାମ ଅନୁସାରେ ତାକୁ ମାଡ଼ ଦେବା, ବେତ୍ରାଘାତ କରିବା ଆବଶ୍ୟକ, ଚାରିଜଣଙ୍କ ଆଗରେ ନୁହେଁ—ଏକାନ୍ତ ସ୍ଥାନରେ । ଯଦି ସେ ଗୁରୁତର ଦୋଷ କରିଥାଏ, ତେବେ ତାକୁ ଆଉ ଟିକିଏ ବେଶୀ ମାଡ଼ ଦେବାର ବନ୍ଦୋବସ୍ତ ଅଛି । ଜାର୍‍ ଆଇଭାନ୍‍ଙ୍କ ଉକ୍ତ ଡୋମଷ୍ଟ୍ରୋଇରେ କିପରି ଭାବରେ ମାଡ଼ ହେବାର କଥା, ତାହା ସୁନ୍ଦର ଭାବରେ ବର୍ଣ୍ଣିତ ଅଛି । କାଠରେ କି ଲୁହାରେ ମାଡ଼ ଦେବ—କେଉଁ ସ୍ଥାନରେ ମାଡ଼ ଦିଆଯିବ, ତହିଁରେ ସେ ସବୁର ବର୍ଣ୍ଣନା ହୋଇଛି ।

 

ବିବାହରେ ଆମ ଦେଶରେ ପ୍ରଚଳିତ କନ୍ୟା ପଦ୍ଧତି ପରି ସେଠାରେ ମଧ୍ୟ ଗୋଟିଏ ଜଡ଼ପଦାର୍ଥ ତୁଲ୍ୟ କନ୍ୟାକୁ ଜ୍ଞାନ କରା ହେଉଥିଲା । ସେଠାରେ ଏତେ ପର୍ଦା ଥିଲା ଯେ, ବାଳିକା ବିବାହ ପୂର୍ବରୁ ଭାବୀସ୍ୱାମୀକୁ ଦେଖୁ ନ ଥିଲା । ବିବାହବେଳେ କନ୍ୟାପିତା ବରକୁ ଏକ ଚାବୁକ ଉପହାର ଦେଉଥିଲା ଏବଂ ତାହା ଦମ୍ପତିଙ୍କ ଶୟନଗୃହର ଶୋଭା ବର୍ଦ୍ଧନ କରୁଥିଲା । ଯଦି ମାଡ଼ ନ ହେଉଥିଲା, ତେବେ ସେ ଗୃହର ଶ୍ରୀ ତୁଟିଯିବାର ସୂଚନା ମିଳୁଥିଲା । ଯେ ଯେତେ ପିଟୁଥିଲା, ସେ ବଡ଼ ପତ୍ନୀପ୍ରେମୀ ଥିବାର ପ୍ରମାଣ ମିଳୁଥିଲା । ରୁଷିଆରେ ଆଜି ପର୍ଯ୍ୟନ୍ତ ଯେଉଁ ପ୍ରବଚନ ଶୁଣାଯାଏ, ସେ ସବୁ ଶୁଣିଲେ ଆଶ୍ଚର୍ଯ୍ୟାନ୍ୱିତ ହେବ । ଉକ୍ତ ପ୍ରବାଦଗୁଡ଼ିକ ଆଲୋଚନା କଲେ ସେଗୁଡ଼ିକର ଯେଉଁ ସାରାଂଶ ହୁଏ, ତାହା ଏହିପରି—

 

‘‘ଯେଉଁ ସ୍ୱାମୀ ନ ମାରେ, ସେ ପ୍ରେମିକ ନୁହେଁ । ଯାହାକୁ ସେମାନେ ପ୍ରୀତି କରନ୍ତି, ତାକୁ ମାରନ୍ତି । ନାରୀକୁ ଆତ୍ମାରୁ ଅଧିକ ଯେ ସ୍ୱାମୀ ଭଲ ପାଇବ, ସେ ଗଛ ଭଳି ତାକୁ କେବେ କେବେ ହଲାଇ ଝଡ଼ାଇ ଦେଉଥିବ । ଏକୁଟିଆ ରହିବାଠାରୁ ସ୍ତ୍ରୀ ସହ ରହିବା ଦୁଇଗୁଣ ମନ୍ଦ ଭାଗ୍ୟ-। କୁକୁଡ଼ା ପକ୍ଷୀ ନୁହେଁ କି ନାରୀ ମନୁଷ୍ୟ ନୁହେଁ । The chicken is not a bird and a woman is not a human being. ରନ୍ଧନ ପାତ୍ର ଭଳି ତାକୁ ଯେତେ ବାଡ଼େଇବ ସେ ଅଭଙ୍ଗା ରହିବ ଓ ଯାହା ପକାଇବ ସେ ଫୁଟେଇବ । ଜୀବନରେ ତାକୁ ଦି ଥର ଭଲପାଇବ—ସେ ତମ ଘରକୁ ଆସିଲା ବେଳେ ଓ ତାକୁ ବିଦା କରିଦେଲା ବେଳେ । ସେ ବରାବର ମାଡ଼ ଖାଉଥିଲେ ଜ୍ଞାନ ତା’ର ବଢ଼ୁଥିବ ।’’

 

ଅତ୍ୟାଚାର ଏପରି କ୍ରମଶଃ ବଢ଼ୁଥିଲା । ପିଟର ଦି ଗ୍ରେଟ୍‌ ରାଜାଙ୍କ ରାଜତ୍ୱରେ ଏ ସବୁ ଅତ୍ୟାଚାର କ୍ରମଶଃ ଲୋପ ପାଇଲା ଓ ନାରୀ ତାଙ୍କର ନ୍ୟାଯ୍ୟ ଦାବୀ ପାଇବାକୁ ଲାଗିଲେ । ୧୭୦୪ ସାଲରେ ନାରୀଙ୍କୁ ପିଟର ଦାସତ୍ୱ -ଶୃଙ୍ଖଳରୁ ମୁକ୍ତ କଲେ । କନ୍ୟାମାନଙ୍କୁ ବିବାହ କରିବାକୁ ଯେ ବଳ ପ୍ରୟୋଗ ହେଉଥିଲା, ତାହା ବନ୍ଦ ହେଲା । ନାରୀମାନେ ସ୍ୱାଧୀନ ଭାବରେ ନିଜର ଆତ୍ମଶକ୍ତିର ପରିଚୟ ଲାଭ କରିଥିଲେ । ନାରୀମାନେ ସାମାଜିକ, ରାଜନୀତିକ କ୍ଷେତ୍ରରେ ମଧ୍ୟ କର୍ମ କରିବାକୁ ସୁବିଧା ପାଇଲେ । କ୍ୟାଥରିନ ଦ୍ୱିତୀୟଙ୍କ ଅମଳରେ ନାରୀମାନଙ୍କର ବହୁତ ଉନ୍ନତି ହୋଇଥିଲା । ଅନେକ ନାରୀଲେଖିକା ବାହାରିଥିଲେ ଏବଂ ସାହିତ୍ୟ କ୍ଷେତ୍ରରେ କୃତିତ୍ୱ ଦେଖାଇ ପାରିଥିଲେ । ଏହି ସମୟଠାରୁ ରୁଷିଆରେ ପାଶ୍ଚାତ୍ୟ ଦେଶମାନଙ୍କର ସଭ୍ୟତା କ୍ରମଶଃ ପ୍ରବେଶ କରିବାକୁ ଲାଗିଲା ଏବଂ ତା’ର ଫଳରେ ରୁଷିଆରେ ନବଜାଗୃତି ଘଟିଥିଲା ।

 

୧୮୬୧ ସାଲରେ ରାଜା ୨ୟ ଆଲେକଜାଣ୍ଡରଙ୍କ ଘୋଷଣା ଅନୁସାରେ ଦାସତ୍ୱର ଲୋପ ହେଲା । ଏହିଦିନଠାରୁ ନାରୀମାନଙ୍କ ଉନ୍ନତି ଖୁବ୍‌ ଦ୍ରୁତଗତିରେ ଚାଲିବାକୁ ଲାଗିଲା । ପ୍ରତ୍ୟେକ କ୍ଷେତ୍ରରେ ସେମାନେ ପ୍ରବେଶ କରିବାକୁ ଲାଗିଲେ । ଶିକ୍ଷାର ପ୍ରତ୍ୟେକ ବିଭାଗରେ ସେମାନେ ଅଧ୍ୟୟନ କରିବାର ସୁବିଧା ପାଇଲେ । ନିଷ୍କର୍ମା ନାରୀମାନେ କର୍ମକ୍ଷେତ୍ର ପାଇଲେ । ଦେଶର ଧନଦୌଲତ ନାରୀମାନଙ୍କ ହେତୁ ବୃଦ୍ଧି ପାଇବାକୁ ଲାଗିଲା । ସ୍ୱାଧୀନ ଭାବରେ ଶିକ୍ଷାଲାଭ କରି ଜୀବିକା ଅର୍ଜନ କରିବାକୁ ଲାଗିଲେ । ନିଜର ଇଚ୍ଛାନୁଯାୟୀ ବିବାହ କରିବାର ସୁବିଧା ପାଇଲେ । ପ୍ରାୟ ସବୁ କ୍ଷେତ୍ରରେ ସେମାନଙ୍କର ସ୍ୱାଧୀନତା ସ୍ଥାପିତ ହେଲା ।

 

ବିଶେଷତଃ ବିଂଶ ଶତାବ୍ଦୀର ବିପ୍ଳବ ପୂର୍ବେ ଓ ପରେ ନାରୀମାନଙ୍କର ଯେଉଁ ପ୍ରଗତି ହୋଇଛି, ତାହା ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ହୁଏ ।

 

ଯେଉଁ ଯେଉଁ ସ୍ଥାନମାନଙ୍କରେ ସେମାନେ ଆଦୌ ପାଦ ପକାଇବାପାଇଁ ସୁବିଧା ପାଉ ନ ଥିଲେ, ଆଜି ସେହି ସେହି ସ୍ଥାନମାନଙ୍କରେ ସେମାନଙ୍କର ଆଧିପତ୍ୟ ଦେଖିଲେ କିଏ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବ ?

 

ଦେଶର ଶାସନ ବିଭାଗରେ ନାରୀମାନେ ଖୁବ୍‌ ଦକ୍ଷତା ସହକାରେ କାର୍ଯ୍ୟ କଲେଣି । ୧୯୩୧ ସାଲ ନିର୍ବାଚନରେ ଶତକଡ଼ା ୭୫ଜଣ ସ୍ତ୍ରୀ ଭୋଟ୍‍ ଦେଇଥିଲେ । ଗ୍ରାମପଞ୍ଚାୟତମାନଙ୍କରେ ସଭ୍ୟସଂଖ୍ୟାର ଶତକଡ଼ା ୨୧ଜଣ ସ୍ତ୍ରୀ ଅଛନ୍ତି । ସୋଭିଏଟ୍‌ ୟୁନିଅନରେ ଗ୍ରାମ ଓ ସହର ପଞ୍ଚାୟତମାନଙ୍କରେ ପ୍ରାୟ ୫୦୦୦ ସ୍ତ୍ରୀ ସଭାପତିରୂପେ କାର୍ଯ୍ୟ ନିର୍ବାହ କରୁଛନ୍ତି-। ବର୍ତ୍ତମାନ ପ୍ରାୟ ପାଞ୍ଚଲକ୍ଷ ନାରୀ ଶାସନର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବାର ଜଣାଯାଏ । ନିଖିଳ ରୁଷିଆ ସୋଭିଏଟ୍‌ ସମ୍ମିଳନୀର ପଞ୍ଚଦଶ ଅଧିବେଶନରେ ଯୋଗଦାନ କରିଥିବା ପ୍ରତିନିଧିମାନଙ୍କର ଶତକଡ଼ା ୨୩ରୁ ଅଧିକ ସ୍ତ୍ରୀ ଅଟନ୍ତି । ରୁଷିଆ ସରକାରଙ୍କ କେନ୍ଦ୍ର ପରିଚାଳନା ସମିତିରେ ୧୯୩୧ ସାଲରେ ୮୯ଜଣ ମହିଳା ସଭ୍ୟ ଥିଲେ । ସେ ଦେଶରେ ଏପରି କୌଣସି ଦାୟିତ୍ୱପୂର୍ଣ୍ଣ ଅନୁଷ୍ଠାନ ନାହିଁ, ଯେଉଁଠାରେ କି ମହିଳାମାନେ କାର୍ଯ୍ୟଦର୍ଶୀ ରୂପେ ନିଯୁକ୍ତ ନାହାନ୍ତି ।

 

ପରିଶ୍ରମର ମର୍ଯ୍ୟାଦା ସମ୍ୱନ୍ଧରେ ରୁଷ ସରକାର ଉଦାସୀନ ନୁହନ୍ତି । ନାରୀ ଓ ପୁରୁଷ ସମାନ ପରିଶ୍ରମପାଇଁ ସମାନ ମଜୁରୀ ପାଉଛନ୍ତି । ଏହି ସୁବିଧା ହେତୁ ମହିଳା ଶ୍ରମିକମାନଙ୍କର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ପ୍ରାୟ ଆଠ ବର୍ଷ ତଳେ ନାରୀ ଶ୍ରମିକମାନଙ୍କର ସଂଖ୍ୟା ୨୩,୬୪,୦୦୦ ଥିଲା; କିନ୍ତୁ ବର୍ତ୍ତମାନ ଏହା ୭୫ ଲକ୍ଷରେ ପହଞ୍ଚିଲାଣି ଅର୍ଥାତ୍‌ ପ୍ରାୟ ତିନି ଗୁଣ ବଢ଼ି ସାରିଲାଣି । ସ୍ତ୍ରୀ ମଜୁରୀଦାରମାନଙ୍କ ପାଇଁ ସରକାର ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଯେଉଁମାନେ କାର୍ଯ୍ୟ କରିବାକୁ ଯିବେ, ସେମାନଙ୍କ ଅନୁପସ୍ଥିତିରେ ପିଲାମାନଙ୍କର ଲାଳନ ପାଳନ ପାଇଁ ସୁନ୍ଦର ବ୍ୟବସ୍ଥା ହୋଇଛି । ସବୁ ପିଲାମାନଙ୍କୁ ଗୋଟିଏ ସ୍ୱତନ୍ତ୍ର ଘରେ ରଖାଯାଏ । ସେଠାରେ ଧାଈମାନେ ରହି ପିଲାମାନଙ୍କ ବିଷୟ ବୁଝନ୍ତି । ଏହି ଘରର ନାମ କ୍ରେସେ (Creche) । ଶିଶୁ ପ୍ରସବ ପୂର୍ବରୁ ଆଠ ସପ୍ତାହ ଓ ପରେ ଆଠ ସପ୍ତାହ ଏପରି ଚାରିମାସ ମହିଳା କର୍ମୀମାନଙ୍କୁ ଛୁଟି ମିଳେ । ଏହି ଛୁଟି ସମୟରେ ସେମାନେ ପୁରା ବେତନ ପାନ୍ତି । ପ୍ରତ୍ୟେକ ନବଜାତ ଶିଶୁକୁ କିଛି କିଛି ଭତ୍ତା ମିଳେ ଓ ବିନା ବ୍ୟୟରେ ମଧ୍ୟ ଚିକିତ୍ସା ମିଳେ ।

 

ବିଚାର ବିଭାଗରେ ମଧ୍ୟ ଅନେକ ମହିଳା କାମ କରୁଛନ୍ତି । ସେନା ବିଭାଗରେ, କି ଜଳ, କି ସ୍ଥଳ, କି ଆକାଶ, ପ୍ରତ୍ୟେକ ବିଭାଗରେ ନାରୀଙ୍କ ସ୍ଥାନ ଅବ୍ୟାହତ ରହିଅଛି । ସେନାପତିଠାରୁ ଆରମ୍ଭ କରି ସର୍ଦାର ପର୍ଯ୍ୟନ୍ତ ନାରୀମାନେ କର୍ମଦାୟିତ୍ୱ ନେଇଛନ୍ତି ।

 

ସାହିତ୍ୟ ଦିଗରେ ନାରୀଙ୍କ କୃତିତ୍ୱ କମ୍‌ ନୁହେଁ । ଅଶିକ୍ଷିତ, ଅର୍ଦ୍ଧଶିକ୍ଷିତ ରୁଷିଆକୁ ଶିକ୍ଷିତ ଓ ସଭ୍ୟ କରିବାକୁ ଯେଉଁମାନେ ଜୀବନ ଉତ୍ସର୍ଗ କରିଛନ୍ତି, ସେମାନଙ୍କ ମଧ୍ୟରେ ମହିଳା ସଂଖ୍ୟା କିଛି କମ୍‌ ନୁହେଁ । ଲେନିନ୍‍ଙ୍କର ସେହି ମହତ୍‌ ବାଣୀ ‘‘It is impossible to build up a Socialist Society in an illiterate country—ଅଶିକ୍ଷିତ ଦେଶରେ ସାମ୍ୟବାଦ ଶାସନର ଚେଷ୍ଟା ଅସମ୍ଭବ କଥା’’ର ନିର୍ଦ୍ଦେଶ ଅନୁଯାୟୀ ନାରୀମାନେ ନିଜର ଜନ୍ମଭୂମିକୁ ଶିକ୍ଷିତ କରିବାକୁ ପ୍ରାଣପଣେ ଚେଷ୍ଟା କରିଛନ୍ତି । ଆବାଳବୃଦ୍ଧବନିତା ସମସ୍ତେ ଶିକ୍ଷାର୍ଜନ କରିବାରେ ଲାଗିଛନ୍ତି । ୬୦-୭୦ ବର୍ଷର ବୃଦ୍ଧାମାନେ କାଗଜ କାଳି ଧରି ଅକ୍ଷର ପରିଚୟ କରୁଛନ୍ତି-। ବିଶେଷତଃ ଏ ଚାରି ପାଞ୍ଚବର୍ଷ ଭିତରେ ସ୍ତ୍ରୀଶିକ୍ଷା ଦ୍ରୁତ ଗତିରେ ଚାଲିଛି । ଯେଉଁମାନେ କଳକାରଖାନାରେ କାର୍ଯ୍ୟ କରୁଛନ୍ତି ସେମାନେ ମଧ୍ୟ କିପରି ଶିକ୍ଷା ଲାଭ କରିବେ, ସେ ଚେଷ୍ଟାରେ ଅଛନ୍ତି । ଶିକ୍ଷା ଅର୍ଜନ କରିବା ସମସ୍ତଙ୍କ ବ୍ରତ ହୋଇଛି ।

 

‘‘ଆମେ ପଢ଼ିବୁ, ପଢ଼ିବୁ, ପଢ଼ିବୁ—ବିଦ୍ୟା ଯେପରି ଆମ୍ଭମାନଙ୍କ ପକ୍ଷରେ ମୃତ ନ ହୋଇ ସଜୀବ ହୁଏ, ଯେପରି ଗୋଟିଏ ଆଧୁନିକ ବିଚିତ୍ର ଶବ୍ଦରେ ପର୍ଯ୍ୟବସିତ ନ ହୁଏ, ପୁଣି ଯେପରି ଆମର ଶିରା ପ୍ରଶିରାରେ ମିଶିଯାଇ ସମାଜ ଓ ରାଷ୍ଟ୍ରର ଗୋଟିଏ ମୌଳିକ ଅଂଶ ହୋଇ ରହେ, ସେଥିପ୍ରତି ଆମ୍ଭମାନଙ୍କ ଦୃଷ୍ଟି ସର୍ବଦା ରହିବା ଉଚିତ ।’’ ଲେନିନ୍‌ଙ୍କର ଏହି ଉକ୍ତି ରୁଷିଆର ଶିକ୍ଷା କ୍ଷେତ୍ରରେ କି ବିପ୍ଳବ ସୃଷ୍ଟି କରି ନାହିଁ ?

 

୧୯୨୭ରେ ସମଗ୍ର ବିଦ୍ୟାର୍ଥୀମାନଙ୍କର ଶତକଡ଼ା ୨୮ ବାଳିକା ଥିଲେ, କିନ୍ତୁ ତା ପରବର୍ଷ ଶତକଡ଼ା ପ୍ରାୟ ୫୦ ଜଣ ବାଳିକା ବିଦ୍ୟାର୍ଥୀ ଥିଲେ । ବିଶ୍ୱବିଦ୍ୟାଳୟରେ ୧୯୩୦ ସାଲରେ ପ୍ରାୟ ଶତକଡ଼ା ୪୧ ଜଣ ମହିଳାଛାତ୍ରୀ ପ୍ରବେଶ ଲଭିଥିଲେ । ମେଡିକାଲ କଲେଜମାନଙ୍କରେ ଶତକଡ଼ା ୭୫, ଗୁରୁ ଟ୍ରେନିଂରେ ଶତକଡ଼ା ୫୧, ପ୍ରଥମ ଦ୍ୱିତୀୟ ଶ୍ରେଣୀ ସ୍କୁଲ ଶିକ୍ଷକରୂପେ ପ୍ରାୟ ଶତକଡ଼ା ୬୭ ଜଣ କାର୍ଯ୍ୟ କରୁଥିଲେ । ମାସିକ, ସାପ୍ତାହିକ ପତ୍ରିକା ପରିଚାଳନାରେ ମଧ୍ୟ ନାରୀର ସ୍ଥାନ କମ୍‌ ନୁହେଁ ।

 

ସମ୍ପାଦକୀୟ ବିଭାଗରେ ବହୁସଂଖ୍ୟକ ନାରୀ କାର୍ଯ୍ୟ କରୁଅଛନ୍ତି । ପୁସ୍ତକ ଲେଖାଲେଖିରେ ମଧ୍ୟ ନାରୀମାନଙ୍କ କୃତିତ୍ୱ ଅସାମାନ୍ୟ ହୋଇଅଛି । ସେଇଫୁଲିନା (Sheyfullina) ମେରୀଏଟା ସେଗିନା (Marietta Shaginyam) ପ୍ରଭୃତି ଅନେକ ନାମଜାଦା ଲେଖିକା ବର୍ତ୍ତମାନ ରୁଷିଆର ସାହିତ୍ୟରଥୀରୂପେ ସେଠାର ସାହିତ୍ୟକ୍ଷେତ୍ରକୁ ପ୍ରଭାବିତ କରୁଅଛନ୍ତି ।

 

ଚିତ୍ରକଳା, ନାଟ୍ୟକଳା, ଛାୟାଚିତ୍ର ପ୍ରଭୃତି ବିଭାଗରେ ମଧ୍ୟ ନାରୀମାନେ ପ୍ରବେଶ ଲଭିଛନ୍ତି ।

 

ସୋଭିଏଟ୍‌ ୟୁନିୟନର ପାଞ୍ଚବର୍ଷି ଖସଡ଼ା କାର୍ଯ୍ୟରେ ବହୁ ନାରୀ ଯୋଗଦାନ କରିଛନ୍ତି-। ୧୯୩୧ ସାଲରେ ପ୍ରାୟ ୬୦ ଲକ୍ଷ, ୧୯୩୨ ସାଲରେ ପ୍ରାୟ ୭୫ ଲକ୍ଷ ମହିଳା କାର୍ଯ୍ୟ କରୁଥିଲେ, ଅର୍ଥାତ୍‌ ସମଗ୍ର କର୍ମୀସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ ମହିଳା କାର୍ଯ୍ୟ କରୁଛନ୍ତି । ରୁଷିଆରେ ଖାସ୍‌ ନାରୀପାଇଁ ଯେଉଁସବୁ କଳ କାରଖାନା ଅଛି, ସେଠାରେ ମଧ୍ୟ ବହୁତ ନାରୀ କାର୍ଯ୍ୟ କରୁଛନ୍ତି ।

 

ବିଭିନ୍ନ ଶ୍ରମିକ ସଙ୍ଘର ନାରୀ ସଭ୍ୟମାନଙ୍କ ସଂଖ୍ୟା କମ୍‌ ନୁହେଁ । ଏପରି ପ୍ରତ୍ୟେକ କ୍ଷେତ୍ରରେ ନାରୀମାନଙ୍କ ପ୍ରତିପତ୍ତି ବଢ଼ୁଅଛି । ରୁଷିଆ ଉତ୍ତମରୂପେ ବୁଝି ପାରିଛି, ଯେତେଦିନ ପର୍ଯ୍ୟନ୍ତ ନାରୀଜାତି ଅଚଳ, ନିଷ୍କର୍ମା ଓ ନିର୍ବୋଧ ହୋଇ ପଡ଼ିଥିବ, ସେତେଦିନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ, ସାମାଜିକ ଆର୍ଥିକ କୌଣସି ଦିଗରେ ଉନ୍ନତି ଅସମ୍ଭବ । ଏହି କଥାକୁ ଲକ୍ଷ୍ୟ କରି ଲେନିନ୍‌ କହିଛନ୍ତି–

 

‘‘କୋଟି କୋଟି ନାରୀଙ୍କ ବ୍ୟତୀତ ଆମ ସାମ୍ୟବାଦୀ ସରକାର ନିଜର ଶକ୍ତିକୁ ଉପଲବ୍ଧି କରିବା ଅସମ୍ଭବ; ତେଣୁ ଆମ୍ଭମାନଙ୍କୁ ସେମାନଙ୍କ ଲାଗି ଗୋଟିଏ ନୂତନ ପଥ ଆବିଷ୍କାର କରିବାପାଇଁ ଅବଶ୍ୟ ସଚେଷ୍ଟ ହେବାକୁ ପଡ଼ିବ ।’’

 

ପୃଥିବୀରେ ରୁଷିଆର ନାରୀ ପ୍ରଗତି ବୈଚିତ୍ର୍ୟ ଆନୟନ କରିଅଛି । କ୍ଲାରାଜେଟ୍‌କିନ୍‌ କହିଛନ୍ତି‘‘ପୃଥିବୀର ବିଭିନ୍ନ ସରକାର ମଧ୍ୟରେ ନାରୀମାନଙ୍କର ସମସ୍ୟା ସମାଧାନପାଇଁ ସରକାରୀ କର୍ମକର୍ତ୍ତା ଓ ସମଗ୍ର ଜନସାଧାରଣ ସଚେତ ଭାବରେ କାର୍ଯ୍ୟ କରିବାରେ ସୋଭିଏଟ୍‌ ରୁଷିଆ ସର୍ବପ୍ରଥମ ।

 

‘‘ନାରୀର ମୁକ୍ତି କେବଳ ନାରୀମାନଙ୍କର ବିଷୟ ହୋଇପାରେ ସେତେବେଳେ, ଯେତେବେଳେ କେବଳ ସେମାନେ ସ୍ୱାଧୀନ ଭାବରେ ସ୍ୱାଧୀନ ବ୍ୟକ୍ତିମାନଙ୍କ ସହିତ ସ୍ୱାଧୀନ ଭୂମିରେ ଦଣ୍ଡାୟମାନ ହେବାର ବିମଳ ଆନନ୍ଦ ଉପଭୋଗ କରିପାରିବେ ।’’

 

ଆଜି ରୁଷିଆ କ୍ଳାରାଜେଟ୍‌କିନ୍‌ ଓ ଲେନିନ୍‍ଙ୍କ କଥାକୁ ଅକ୍ଷରେ ଅକ୍ଷରେ ପ୍ରତିପାଳନ କରୁଥିବାର ଜଣାପଡ଼େ ।

 

ଉପଯୁକ୍ତ କ୍ଷେତ୍ର ଓ ସୁବିଧା ପାଇଲେ ନାରୀ ଯେ ସବୁ ଦିଗରେ ଆତ୍ମବିକାଶ କରିପାରେ ଓ କୃତିତ୍ୱ ଦେଖାଇପାରେ, ଏଥିରେ ସନ୍ଦେହ ନାହିଁ । ଏହି ଦେଶର ଜାର୍‌ ଯୁଗର ନାରୀ ଓ ଲେନିନ୍‌ ଯୁଗର ନାରୀର ଅବସ୍ଥାର ତଫାତ୍‌ ସମସ୍ତେ ସହଜରେ ଅନୁଭବ କରି ପାରୁଥିବେ । ନାରୀର ବୁଦ୍ଧିବୃତ୍ତି ପୁରୁଷର ବୁଦ୍ଧି ଓ ମେଧା ସହିତ ସମକକ୍ଷ ନୁହେଁ ଏବଂ କର୍ମ ଶକ୍ତିରେ ମଧ୍ୟ ନାରୀ ପୁରୁଷ ତୁଳନାରେ ଅପାରଗ ବୋଲି ଯେଉଁମାନେ ଧାରଣା କରିଥିବେ, ସେମାନଙ୍କୁ ଏହି ଦେଶର ନାରୀପ୍ରଗତି ନିଶ୍ଚୟ ନୂତନ ଭାବଧାରାର ପଥ ପ୍ରଦର୍ଶନ କରିବ ।

 

ଏ ବିଂଶ ଶତାବ୍ଦୀରେ ରୁଷିଆରେ, ସାମାଜିକ, ଆର୍ଥିକ, ରାଜନୈତିକ ପ୍ରଭୃତି କ୍ଷେତ୍ରରେ ଯେଉଁ ଘୋର ପରିବର୍ତ୍ତନ ଆସିଛି, ତାହା ଦେଖିଲେ ବାସ୍ତବିକ ଆଶ୍ଚର୍ଯ୍ୟ ହେବାକୁ ହୁଏ । କି ପ୍ରାଚ୍ୟ କି ପାଶ୍ଚାତ୍ୟ ସର୍ବଦେଶ ଲୋକେ ଏକ ଦୃଷ୍ଟିରେ ରୁଷିଆ ଆଡ଼କୁ ଚାହିଁ ବସିଅଛନ୍ତି । ଅନେକ ସ୍ଥଳରେ ଅସମ୍ଭବ କଥା ସମ୍ଭବ ହୋଇ ମାନବ ସମାଜକୁ ଚକିତ କରି ଦେଉଅଛି । ରୁଷିଆର ଚିନ୍ତା ଓ କାର୍ଯ୍ୟ ପ୍ରତ୍ୟେକ ଚିନ୍ତାଶୀଳ ଲୋକର ଆଲୋଚନାର ବିଷୟ ହୋଇଛି । ଲୋକେ ରୁଷିଆ ସମ୍ୱନ୍ଧରେ ସମସ୍ତ ପ୍ରକାର ଖବର ରଖିବାକୁ ଆଗ୍ରହାନ୍ୱିତ । ବିଶେଷତଃ ନାରୀ ଓ ପୁରୁଷର ସମ୍ୱନ୍ଧ ବିଷୟରେ ଯେଉଁସବୁ ପରିବର୍ତ୍ତନ ଦେଖାଯାଇଛି, ତାହା ବିଚିତ୍ର ଧରଣର କହିଲେ ଅତ୍ୟୁକ୍ତି ହେବ ନାହିଁ । ରୁଷିଆ କେବଳ ଚିନ୍ତାରେ ନୁହେଁ, କର୍ମରେ ମଧ୍ୟ ନିଜର ଚିନ୍ତାକୁ ପ୍ରକାଶ କରୁଅଛି । ଅବଶ୍ୟ ବିପ୍ଳବର ଏ ଅଳ୍ପକାଳ ମଧ୍ୟରେ ସବୁ କଥା ଭଲ କି ମନ୍ଦ କହି ହେବ ନାହିଁ । ସେ ସବୁ ବର୍ତ୍ତମାନ ପରୀକ୍ଷାର ବିଷୟ (experiment) ହୋଇ ରହିଅଛି ।

 

ବିବାହ ସମ୍ୱନ୍ଧରେ ବର୍ତ୍ତମାନର ରୁଷିଆର ସମାଜ ଯେ ସବୁ ନିୟମ ମାନି ଚଳୁଛି, ବର୍ତ୍ତମାନ ଯୁଗରେ ରକ୍ଷଣଶୀଳ ଲୋକେ ହୁଏତ ଦେଖି ନାସିକା କୁଞ୍ଚନ କରିବେ; କିନ୍ତୁ ଖୁବ୍‌ ତନ୍ନ ତନ୍ନ କରି ବିଶ୍ଳେଷଣ କଲେ ଜଣାପଡ଼େ, ଆଧୁନିକ ଯୁଗର ଚିନ୍ତାଧାରା ଏହି ଦିଗରେ ପ୍ରବାହିତ ହେଉଅଛି । ସଂକ୍ଷେପରେ ରୁଷିଆର ବିବାହ ସମ୍ୱନ୍ଧରେ ନିମ୍ନରେ ବିବୃତ କରାଗଲା ।

 

ସେ ଦେଶରେ ବିବାହ ଏକ ବ୍ୟକ୍ତିଗତ ଜିନିଷ । ଏଥିରେ ସମାଜର କିମ୍ୱା ସରକାରଙ୍କର ବିଶେଷ କିଛି କହିବାର ନାହିଁ । କେବଳ ରେଜିଷ୍ଟ୍ରେସନ ସମ୍ୱନ୍ଧରେ କିଛି ସରକାରୀ ହାତ ଅଛି । ବିବାହରେ ସ୍ତ୍ରୀ ଓ ପୁରୁଷଙ୍କର ସମ୍ପୂର୍ଣ୍ଣ ସମଅଧିକାର ଅଛି । ମନୋନୀତ ନ ହେଲେ ସ୍ତ୍ରୀ କିମ୍ୱା ପୁରୁଷର ବିବାହବନ୍ଧନ ଭାଙ୍ଗି ଦେବାର ଅଧିକାର ଅଛି । ଏଥିପାଇଁ ସେମାନଙ୍କୁ ବେଶି ପରିଶ୍ରମ କରିବାକୁ ହୁଏ ନାହିଁ କିମ୍ୱା ବେଶି କୈଫିୟତ୍‍ ଦେବାକୁ ହୁଏ ନାହିଁ । ଦୁଇପକ୍ଷରୁ ଯେ କୌଣସି ଲୋକ ଇଚ୍ଛା କଲେ ବିବାହ ଭାଙ୍ଗି ଦିଆଯାଇପାରେ । ବିବାହ ପରି ବିବାହବିଚ୍ଛେଦ ମଧ୍ୟ ଗୋଟିଏ ବ୍ୟକ୍ତିଗତ ବିଷୟ । ଆଉ ସରକାର ମଧ୍ୟ ବିବାହ କିମ୍ୱା ବିଚ୍ଛେଦ ରେଜିଷ୍ଟ୍ରି କଲାବେଳେ କିଛି ଫି ଦାବୀ କରନ୍ତି ନାହିଁ । ବିବାହ ସମୟରେ କିମ୍ୱା ପରେ ସ୍ୱାମୀର ଜାତୀୟତା (Nationality)କୁ ସ୍ତ୍ରୀ ଗ୍ରହଣ କରିବାକୁ ବାଧ୍ୟ ନୁହେଁ । ସନ୍ତାନ ସନ୍ତତିପାଇଁ ଜାତୀୟତା ସମ୍ୱନ୍ଧରେ ବାଧା ନାହିଁ । ପିତାମାତାଙ୍କର ଇଚ୍ଛାନୁସାରେ ଜାତୀୟତା ଠିକ୍‌ କରାଯାଏ ।

 

ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସେହି କଥା । ଯେ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଭଲ ପାଇଲା, ସେ ସେହି କ୍ଷେତ୍ର ନିର୍ବାଚନ କଲା । ଘରର ପରିଚାଳନା ଦୁଇପକ୍ଷର ପରସ୍ପର ଇଚ୍ଛା ଓ ସହଯୋଗଦ୍ୱାରା ଚାଳିତ ହୁଏ । ଯଦି ଉଭୟଙ୍କ ମଧ୍ୟରୁ କେହି ଜଣେ ବାସସ୍ଥାନ ପରିବର୍ତ୍ତନ କରେ, ତେବେ ଅନ୍ୟ ଉପରେ ଦାୟିତ୍ୱ ଆଦୌ ପଡ଼େ ନାହିଁ । ସମ୍ପତ୍ତି ସମ୍ୱନ୍ଧରେ ଏହା ଦେଖାଯାଏ ଯେ, ବିବାହ ପୂର୍ବରୁ ନାରୀ ଓ ପୁରୁଷଙ୍କର ଯେଉଁ ସମ୍ପତ୍ତି ଯାହାର ଥିବ, ବିବାହ ପରେ ମଧ୍ୟ ତାହା ସେହିପରି ରହିପାରିବ । କେବଳ ଦାମ୍ପତ୍ୟ ଜୀବନ ନିର୍ବାହ ସମୟରେ ଅର୍ଜିତ ସମ୍ପତ୍ତି ଉପରେ ଉଭୟଙ୍କର ଅଧିକାର ଅଛି । ଅବଶ୍ୟ ଏହି ଇଜିମାଲି ସମ୍ପତ୍ତିରେ କାହାର କେତେ ଭାଗ ଅଛି, ତାହା ଅଦାଲତ ସ୍ଥିର କରେ । ଏ ସମ୍ପର୍କରେ ଗୋଟିଏ ଜିନିଷ ଦେଖିବାର କଥା । ସ୍ତ୍ରୀ ଓ ପୁରୁଷ ଅର୍ଜନ କରିଥିବା ସମ୍ପତ୍ତିର ସମାନ ମୂଲ୍ୟ ରୁଷିଆ ସମାଜ ସ୍ୱୀକାର କରେ । ଯେତେଦିନ ପର୍ଯ୍ୟନ୍ତ ବିବାହବିଚ୍ଛେଦ ଘଟି ନାହିଁ, ସେତେଦିନ ପର୍ଯ୍ୟନ୍ତ ସ୍ତ୍ରୀ ଓ ପୁରୁଷ ଉଭୟେ ପରସ୍ପରକୁ ଜୀବିକା ନିର୍ବାହରେ ସାହାଯ୍ୟ କରିବାକୁ ବାଧ୍ୟ ।

 

ବିବାହ ବ୍ୟାପାରଟି କେବଳ ବ୍ୟକ୍ତିଗତ ବୋଲି ବିବେଚିତ ହୋଇଥିବା ହେତୁ ରୁଷିଆ ସମାଜରେ ବ୍ୟଭିଚାର, ବେଆଇନ ଓ ଅବୈଧ ପ୍ରଭୃତିର ପ୍ରଶ୍ନ ସମାଜରେ ଉଠେ ନାହିଁ ।

 

ଅବଶ୍ୟ ବିବାହ ସମ୍ୱନ୍ଧରେ ଯଥେଷ୍ଟ ସ୍ୱାଧୀନତା ଦିଆଯାଇଥିଲେ ମଧ୍ୟ ସାମାନ୍ୟ କେତୋଟି ସାଧାରଣ ନିୟମ କାନୁନ ରହିଅଛି । ମଧ୍ୟଯୁଗର ବିବାହ ନିୟମ ତୁଳନାରେ ଏହାର କି ଆକାଶ ପାତାଳ ପ୍ରଭେଦ !

 

ସେ ସମୟରେ ସାଧାରଣତଃ ଏହି କେତୋଟି ନିୟମ ଥିଲା । ୧–ସ୍ୱାମୀ ସ୍ତ୍ରୀ ଉଭୟେ ଏକା ସ୍ଥାନରେ ରହିବେ । ୨–ଏହି ହେତୁ ଯେଉଁ ସବୁ କାର୍ଯ୍ୟଦ୍ୱାରା ସେମାନଙ୍କ ବିଚ୍ଛେଦ ଘଟିବ, ତାହା ସବୁ କରାଯାଇ ପାରିବ ନାହିଁ । ୩–ଯଦି ସ୍ୱାମୀ ନିଜର ବାସସ୍ଥାନ ପରିବର୍ତ୍ତନ କରିବ, ତେବେ ସ୍ତ୍ରୀ ମଧ୍ୟ ସ୍ୱାମୀର ନୂତନ ଗୃହକୁ ଯିବାକୁ ବାଧ୍ୟ । ସ୍ୱାମୀକୁ ଗୃହର କର୍ତ୍ତାରୂପେ ସ୍ତ୍ରୀ ସ୍ୱୀକାର କରିବ । ସ୍ୱାମୀକୁ ପ୍ରେମ କରିବ, ଭକ୍ତି କରିବ, ଅବମାନନା କରିବ ନାହିଁ । ଏ ହେଲା ସାଧାରଣ ନିୟମ । ସବୁବେଳେ ସ୍ୱାମୀର ଅଧୀନ ହୋଇ ରହିବ, ତା’ର ମନର ସନ୍ତୋଷ ଅନୁଯାୟୀ ସବୁ କାର୍ଯ୍ୟ କରିବ-। କିନ୍ତୁ ବର୍ତ୍ତମାନ ଯେଉଁସବୁ ଆଇନ ପ୍ରଣୟନ ହୋଇଛି, ମଧ୍ୟଯୁଗର କୌଣସି ପ୍ରକାର ଚିହ୍ନ ଏଥିରେ ଲକ୍ଷିତ ହେଉନାହିଁ । କେବଳ ରେଜିଷ୍ଟରୀ କିମ୍ୱା ବିନା ରେଜିଷ୍ଟରୀରେ ଯେ କୌଣସି ପ୍ରକାର ବିବାହ ସଂଘଟିତ ହୋଇ ପାରିଲେ ହେଲା ।

 

ସାଧାରଣତଃ ରେଜିଷ୍ଟ୍ରି ସମ୍ୱନ୍ଧରେ ନିମ୍ନଲିଖିତ ନିୟମମାନ ପାଳନ କରିବାକୁ ହୁଏ । ୧–ବିବାହ ସମୟରେ ସ୍ତ୍ରୀ ଓ ପୁରୁଷକୁ ୧୮ବର୍ଷରୁ ଊର୍ଦ୍ଧ୍ୱ ହୋଇଥିବ । ୨–ରେଜିଷ୍ଟ୍ରେସନ ସମୟରେ ଉଭୟ ପକ୍ଷକୁ ନିଜର ସମ୍ମତି ଜ୍ଞାପନ କରିବାକୁ ହେବ, ଅବଶ୍ୟ ଏଥିପାଇଁ ରେଜିଷ୍ଟ୍ରେସନ ଅଫିସକୁ ନ ଗଲେ ମଧ୍ୟ ଚଳେ । ୩–ପ୍ରତ୍ୟେକ ପକ୍ଷ ଅପର ପକ୍ଷକୁ ନିଜର ସ୍ୱାସ୍ଥ୍ୟ ବିଶେଷତଃ ଯକ୍ଷ୍ମା ଓ ଜନନେନ୍ଦ୍ରିୟଗତ ରୋଗ ସମ୍ୱନ୍ଧରେ ଲିଖିତ ଭାବରେ ବୁଝାଇବାକୁ ହେବ । ଯଦି କୌଣସି ପ୍ରକାର ଲୁଚାଛପା ତହିଁରେ ଥାଏ, ତାହାହେଲେ ସରକାର ଦୋଷୀ ପକ୍ଷକୁ ଦଣ୍ଡ ବିଧାନ କରିବେ । ଯଦି କୌଣସି ପକ୍ଷ ଦୁର୍ବଳ ଓ ଅସ୍ଥିରମସ୍ତିଷ୍କ ହୋଇଥାଏ, ତେବେ ରୁଷିଆର ବିବାହ ଆଇନ ଅନୁସାରେ ବିବାହ ହୋଇ ପାରିବ ନାହିଁ ।

 

ବିପ୍ଳବର ଠିକ୍‌ ପରେ ନାରୀ ଓ ପୁରୁଷ ସମ୍ପର୍କ ନେଇ ରୁଷିଆରେ ଘୋର ଚାଞ୍ଚଲ୍ୟର ସୃଷ୍ଟି ହୋଇଥିଲା । କେତେ କେତେ ଲୋକ କେତେ କେତେ ମତ ଉଦ୍ଭାବନ କରିଥିଲେ । ବିଶେଷତଃ ଯୁବକ ଯୁବତୀମାନଙ୍କର ଏ ସମ୍ୱନ୍ଧରେ ମନୋଭାବ ବିଚିତ୍ର ରକମର ଥିଲା । କେହି କେହି କହୁଥିଲେ—‘‘Sexual life is nothing more to me than a physiological pleasure—ଅର୍ଥାତ୍‌ ଯୌନଜୀବନ ଶାରୀରିକ ଆନନ୍ଦ ଛଡ଼ା ଅନ୍ୟ କିଛି ନୁହେଁ । I change my lovers according to my mood—ମୋର ଇଚ୍ଛାନୁଯାୟୀ ମୋର ପ୍ରଣୟୀକୁ ବଦଳାଇ ପାରେ ।’’

 

ଆଉ କେତେକ ମଧ୍ୟ କହୁଥିଲେ, ‘‘ବର୍ତ୍ତମାନ କର୍ମବହୁଳ ଦାୟିତ୍ୱପୂର୍ଣ୍ଣ ଯୁଗରେ ଅବକାଶର ଅଭାବ ଯଥେଷ୍ଟ ଅଛି । ଏପରି ଅବସ୍ଥାରେ କିଛିକାଳ ଅପେକ୍ଷା କରି ପ୍ରଣୟର ବିକାଶ ଦେଖିବାକୁ ଆମର ଧୈର୍ଯ୍ୟ ନାହିଁ ଏବଂ ସେଥିପାଇଁ ଯେତେବେଳେ ସୁବିଧା ପାଇଲୁ, ସେତେବେଳେ ଶାରୀରିକ ଆନନ୍ଦ ଉପଭୋଗ କରିବାକୁ ଛାଡ଼ିବୁ କିଆଁ ?’’ ଏହି ମତବାଦୀମାନଙ୍କ ମତରେ ଯୌନ ଜୀବନ ଏକ ବ୍ୟକ୍ତିଗତ ସମସ୍ୟା ଏବଂ ଏଥିରେ ଅନ୍ୟ ଲୋକର କିଛି କହିବାର ନାହିଁ । ଆଉ କେତେକ ମଧ୍ୟ ଏପରି କହିବାକୁ ଛାଡ଼ି ନାହାନ୍ତି ଯେ ମନୁଷ୍ୟର ପ୍ରେମ ‘‘ଭ୍ରମରର ପ୍ରେମ’’ ଭଳି ହେବା ଉଚିତ ।

 

ଏହିସବୁ ମତ ନେଇ ଦେଶରେ ବହୁ ଯୁକ୍ତିତର୍କ ହେଉଥିଲା । ସାଧାରଣତଃ ବିପ୍ଳବର ବହ୍ନି ଜଳୁଥିବା ବେଳେ ସବୁଠାରେ ଯାହା ହୁଏ, ରୁଷିଆରେ ମଧ୍ୟ ତାହା ହେଲା । କିଏ କେଉଁ ମତ ଧରି ଚାଲିବେ, କିଛି ସ୍ଥିର କରିପାରିଲେ ନାହିଁ । ରୁଷିଆର ଭାଗ୍ୟବିଧାତା ବିପ୍ଳବର ଗୁରୁ ଲେନିନ୍‌ ଏହିସବୁ ମତ ସମାଲୋଚନା କରି ଯାହା କହିଥିଲେ, ତାହା ସାଧାରଣଙ୍କ ଅବଗତି ନିମିତ୍ତ ଏଠାରେ ଉଦ୍ଧୃତ ହେଲା ।

 

‘‘ଯୌନ ସମସ୍ୟା ସମ୍ୱନ୍ଧରେ, ବର୍ତ୍ତମାନର ଯୁବମଣ୍ଡଳୀର ପରିବର୍ତ୍ତିତ ମତ ଦେଖିଲେ ଏହା ଏକ ମୌଳିକ ନୀତି ଉପରେ ଛିଡ଼ା ହୋଇଥିବାର ଜଣାପଡ଼େ । କେତେକ ତାଙ୍କର ମତକୁ ସାମ୍ୟବାଦୀ ବା ବୈପ୍ଳବିକ ମତ ବୋଲି ଭାବନ୍ତି । ସେମାନେ ମଧ୍ୟ ଏହା ବିଶ୍ୱାସ କରନ୍ତି । ତଥାକଥିତ ନୂତନ ଯୌନଜୀବନ ବାସ୍ତବିକ ସେହି ମଧ୍ୟଯୁଗର ସାମନ୍ତବାଦର ଅସ୍ଥିକଙ୍କାଳ ଏବଂ ବେଶ୍ୟା ଜୀବନର ଗୋଟିଏ ରୂପାନ୍ତର ଛଡ଼ା ଅନ୍ୟକିଛି ନୁହେଁ । ଅବଶ୍ୟ ମୁଁ ଯେ ଗୋଟିଏ ଋଷି ଭଳି ଏହି ମତ ବ୍ୟକ୍ତ କରୁଛି, ଏହା ଯେପରି କେହି ନ ଭାବନ୍ତି କେତେକ ପୁଞ୍ଜିପତି ଧନୀଙ୍କ ମତରେ ସାମ୍ୟବାଦୀମାନଙ୍କର ଯୌନଜୀବନ କେବଳ କେତେକ ପ୍ରବୃତ୍ତି ଚରିତାର୍ଥ କରିବା ଛଡ଼ା ଅନ୍ୟ କିଛି ନୁହେଁ, ଏହା ସେମାନେ ପ୍ରଚାର କରନ୍ତି । ଏହି ସମ୍ୱନ୍ଧକୁ ଅନେକେ ‘‘The drinking of a glass of water’’ ଅର୍ଥାତ୍‌ ଗିଲାସେ ପାଣି ପିଇବା ନ୍ୟାୟ ବୋଲି ଧରିଥାନ୍ତି । ଆମ୍ଭମାନଙ୍କର ଯୁବକ ମଣ୍ଡଳୀକୁ ଏହି ଭାବ ଏକପ୍ରକାର ପାଗଳ କରି ଦେଇଛି । ଏହାଦ୍ୱାରା ବହୁ ଯୁବାଯୁବତୀଙ୍କର ପତନ ଘଟିଅଛି । ମୁଁ ଏହି ନୀତିକୁ କଦାପି ପସନ୍ଦ କରି ପାରୁନାହିଁ-। ସାଧାରଣତଃ ଆମ୍ଭେମାନେ ଦେଖିଥାଉଁ, ଯୌନଜୀବନରେ କେତେକ ପ୍ରାକୃତିକ ଉପାଦାନ କାର୍ଯ୍ୟ କରିଥାଏ । ବଡ଼ ବା ଛୋଟ ହେଉ, ପ୍ରତି ସଭ୍ୟତାରେ ଏହି ଯୌନ ଜୀବନ ଏକ ପ୍ରଧାନ ଉପାଦାନ ହୋଇ ରହେ । କେବଳ ଶାରୀରିକ ତତ୍ତ୍ୱ ଉପରେ ଯୌନ ଜୀବନ ପ୍ରତିଷ୍ଠିତ ବୋଲି କହିହେବ ନାହିଁ-। ମନୁଷ୍ୟର ମାନସିକ ଅବସ୍ଥା ଓ ବୁଦ୍ଧିବୃତ୍ତି ଛାଡ଼ି ଏହାର ଅସ୍ତିତ୍ୱ ନାହିଁ । ସମାଜର ଆର୍ଥିକ ଅବସ୍ଥା ଦୃଷ୍ଟିରେ ତାହାର ଆଲୋଚନା କଲେ ଚଳିବ ନାହିଁ । ପୃଥିବୀର ଭାବଧାରା ସହିତ ଏହାକୁ ମିଳେଇ ମିଶେଇ ଚଳିବାକୁ ହେବ । ଅବଶ୍ୟ ଏ କଥା ସତ୍ୟ, ଶୋଷ କଲେ ଶୋଷ ମାରିବାକୁ ପାଣି ଦରକାର ପଡ଼େ । ଏହା ବୋଲି ସାଧାରଣ ମନୁଷ୍ୟ ସାଧାରଣ ଅବସ୍ଥାରେ ରାସ୍ତା ଧୂଳି ଉପରେ ଗଡ଼ି ନଳାର ପାଣି ପିଇବା ପସନ୍ଦ କରିବ କି ? କିମ୍ୱା ଯେଉଁ ଗିଲାସରେ ଅନେକ ଲୋକ ପାଣି ପିଇଥାନ୍ତି, ତହିଁରେ ପିଇବ କି ? ଏଥିରେ ପ୍ରଧାନ କଥା ହେଉଛି ସାମାଜିକ ଦିଗଟା । ପାଣି ପିଇବା ବାସ୍ତବିକ୍‌ ବ୍ୟକ୍ତିଗତ; କିନ୍ତୁ ପ୍ରେମ କଥାଟାରେ ଦୁଇଜଣ ସ୍ଥଳ ବିଶେଷରେ ତିନୋଟି ଜୀବନ ସହ ସମ୍ୱନ୍ଧ ଥାଏ । ଏହି ତୃତୀୟ ବ୍ୟକ୍ତି ବା ସନ୍ତାନ ସମ୍ୱନ୍ଧରେ ସମାଜର ନିଶ୍ଚୟ ସ୍ୱାର୍ଥ ଓ କର୍ତ୍ତବ୍ୟ ରହିଅଛି ।

 

‘‘ପ୍ରେମକୁ ଅବାଧ କରିଦେଲୁ ବୋଲି ଯେଉଁମାନେ ବାହାଦୂରୀ ନେଉଛନ୍ତି, ସେମାନଙ୍କୁ ମୁଁ ଆଦୌ ପସନ୍ଦ କରୁ ନାହିଁ । ଜୀବନର ଆନନ୍ଦ ଓ ଜୀବନର ଶକ୍ତିପାଇଁ ମୁଁ ସବୁବେଳେ ବ୍ୟାକୁଳ-। ବର୍ତ୍ତମାନ ଯେଉଁ ମତ ଯୁବମଣ୍ଡଳୀ ପ୍ରଚାର କରିବାକୁ ଯାଉଛନ୍ତି, ତଦ୍ଦ୍ୱାରା ଏ ସବୁ ପାଇପାରିବେ ବୋଲି ବିଶ୍ୱାସ ହେଉ ନାହିଁ । ଅବାଧ ପ୍ରଣୟ ସପକ୍ଷରେ ମୋର କାହିଁକି ମନ ହେଉ ନାହିଁ । ଏହି ଅବାଧ ପ୍ରଣୟ ସେହି ବର୍ବର ଯୁଗର ଗୋଟିଏ ଚିହ୍ନ ବୋଲି ମୋର ମତ ।’’

 

କହିବା ବାହୁଲ୍ୟ, ଲେନିନ୍‍ଙ୍କର ଏହି ମତ ଉପରେ ଆଧୁନିକ ରୁଷିଆର ବିବାହ ପଦ୍ଧତି ପ୍ରତିଷ୍ଠା ଲଭିଅଛି । କି ରାଜନୀତି କି ଅର୍ଥନୀତି କି ସମାଜନୀତି ସବୁ କ୍ଷେତ୍ରରେ ପୁରୁଷର ନାରୀ ସମକକ୍ଷ ବିବେଚିତ । ପରିବାରରେ ସେଠାରେ ପରମ୍ପରାଗତ ‘‘ମୁରବିପଣ’’ ଲୋପ ପାଇଅଛି । ଅର୍ଥାତ୍‌ ପରିବାରରେ ପୁରୁଷ ଓ ସ୍ତ୍ରୀ ସମାନ ।

Image

 

ଇଂଲଣ୍ଡର ମହିଳା ପ୍ରଗତିର ସଂକ୍ଷିପ୍ତ ଇତିହାସ

 

ଯେତେବେଳେ ପୃଥିବୀରେ ସଭ୍ୟତାର ଅଭ୍ୟୁଦୟ ହୋଇ ନ ଥିଲା, ସମାଜ ଗଠିତ ହୋଇ ନ ଥିଲା, ସେତେବେଳେ ଗୋଟିଏ ପ୍ରପିତାମହ ନିୟନ୍ତ୍ରିତ-ପରିବାର ସଭ୍ୟଦେଶ ସମୂହରେ ଚଳୁଥିଲା । ହଜାର ବର୍ଷ ପୂର୍ବେ ପିତାମହ ପରିବାରରେ ରାଜତ୍ୱ କରୁଥିଲେ । କ୍ରମେ ଯୌଥ ପରିବାରର ବନ୍ଧନରୁ ପୁରୁଷମାନେ ଖସି ଆସି ନିଜ ନିଜର କୁଟୁମ୍ୱଙ୍କୁ ଧରି ଗୃହସ୍ଥାପନା କରିଥିଲେ । ନାରୀମାନଙ୍କର ଢେର ଦିନ ପରେ ଚେତା ପଶିଥିଲା, ସେମାନେ ସମାଜରେ ଓ ପରିବାରରେ ନିଜର ସ୍ଥାନ କିପରି ଭାବରେ ପ୍ରତିଷ୍ଠିତ କରି ପାରିଥିଲେ, ତାହା ଜାଣିଲେ ଆମ୍ଭେମାନେ ବିସ୍ମୟ ସାଗରରେ ବୁଡ଼ି ଯିବୁଁ ।

 

ପ୍ରଥମେ ଇଂଲଣ୍ଡର ପୁରୁଷ ସମାଜ ଧର୍ମ, ପାପ, ପୁଣ୍ୟ, ରୀତି, ନୀତିର ବନ୍ଧନ ଦେଇ ନାରୀଜାତିର ଏପରି ଗଳା ଚିପି ଦେଇଥିଲେ ଯେ, ନାରୀଜାତି ସେମାନଙ୍କ ଜୁତା ପାହାର ଖାଇ ସୁଦ୍ଧା ଉଁ ଚୁଁ କହି ପାରୁ ନ ଥିଲେ; କିନ୍ତୁ କ୍ରମେ ନାରୀଜାତି ଜାଗ୍ରତ ହୋଇ ସେମାନଙ୍କର ଅଧିକାରକୁ ପରିବାରରେ ପ୍ରତିଷ୍ଠା କରିବାକୁ ଚାହିଁଥିଲେ; ଶେଷରେ ସେମାନେ ସେମାନଙ୍କର ଦାବୀକୁ ଆଇନ ରୂପରେ ପରିଣତି ଦେଇଥିଲେ । ସ୍ୱାମୀର ଶତ ଅତ୍ୟାଚାରରେ ସ୍ତ୍ରୀର ବିବାହ ବିଚ୍ଛେଦ କରିବା କି କଚେରୀକୁ ଯାଇ ସ୍ୱାମୀର ବ୍ୟବହାର ବିରୁଦ୍ଧରେ ନାଲିଶ କରି ଡିଗ୍ରୀ କରିବା ସ୍ତ୍ରୀର କଳ୍ପନାତୀତ ଥିଲା । ସେଠାର ସ୍ୱାମୀମାନେ ଯେଉଁ ସ୍ତ୍ରୀମାନଙ୍କୁ ବିବାହ କରୁଥିଲେ, ସଙ୍ଗେ ସଙ୍ଗେ ସେମାନଙ୍କର ସମ୍ପତ୍ତି ଆଦିରେ ମଧ୍ୟ ମାଲିକ ହୋଇ ଯାଉଥିଲେ । ସ୍ତ୍ରୀ ଧନ ବୋଲି ଗୋଟାଏ କିଛି ନ ଥିଲା । ୧୮୮୨ ରେ ବିବାହିତାର ସମ୍ପତ୍ତି ଅଧିକାର ଆଇନ (Women’s Property Act) ହୋଇ ସ୍ୱାମୀମାନଙ୍କୁ ସ୍ତ୍ରୀ ଧନ ଜବରଦସ୍ତି ଅଧିକାର କରିବାରୁ ବଞ୍ଚିତ କରା ଯାଇଥିଲା ।

 

ପୂର୍ବେ ମାତାର ସନ୍ତାନ ଉପରେ କିଛିମାତ୍ର ଅଧିକାର ନ ଥିଲା । ଦଶମାସର ଦାରୁଣ ଦୁଃଖ ଓ ସନ୍ତାନ ପାଳନର କଷ୍ଟ ପୁରୁଷମାନେ ଉପଲବ୍ଧି କରି ପାରୁ ନଥିଲେ । ଏଥିପାଇଁ ୧୮୮୬ରେ ଶିଶୁରକ୍ଷା ଆଇନ (Guardianship and Custody of Infants Act) ହୋଇ ନାରୀମାନଙ୍କୁ କେତେକାଂଶରେ ସନ୍ତାନର ଅଧିକାର ଦିଆଯାଇଥିଲା; ପରେ ୧୯୨୫ରେ ସେହି ଆଇନ ସଂଶୋଧିତ ହୋଇ ନାରୀମାନଙ୍କୁ ସେମାନଙ୍କର ଜନ୍ମିତ ସନ୍ତାନ ଉପରେ ପୂରା ଦାବୀ ଓ ଅଧିକାର ଦିଆ ଯାଇଥିଲା । କହିବାକୁ ଗଲେ ପରେ ଇଂଲଣ୍ଡର ନାରୀ ପୁରୁଷର ସମାନ ଅଧିକାର ପାଇ ଯାଇଥିଲା । ଏହି ଅଧିକାର ଆଣିବାପାଇଁ ମହିଳାମାନେ ଉଦ୍‌ଯୋଗ କରିଥିଲେ । ବହୁ ପରିଶ୍ରମ ଧୈର୍ଯ୍ୟର ସହିତ ପୁରୁଷଙ୍କ ସହିତରେ କାନ୍ଧକୁ କାନ୍ଧ ମିଳାଇ ନିଜର ଦାବୀ ହାସଲ କରିଥିଲେ । ଆଜିକାଲି ଇଂଲଣ୍ଡ ନାରୀ ଆପଣାର ସ୍ୱତନ୍ତ୍ର ସତ୍ତା (Personality) ରଖନ୍ତି । ନିଜେ ସବୁ ଧନ୍ଦାରେ ପଶି କମାନ୍ତି । ପୁରୁଷର କମେଇରେ ପୋଷି ହୋଇ ଆସୁଥିବା ହେତୁ ସେମାନେ ଯେପରି ଭାବରେ ଲାଞ୍ଛନା ବ୍ୟବହାର ପାଉଥିଲେ, ନିଜ କମେଇରେ ନିଜର ଭରଣ ପୋଷଣ କରି ସେମାନେ ପୁରୁଷର ବହୁ ଯୁଗର ଗର୍ବ ଚୂର୍ଣ୍ଣ କରି ଦେଇଛନ୍ତି । ସେ ଦେଶରେ ଓ ବିଦେଶରେ ଇଂରାଜ ଜାତିଙ୍କଦ୍ୱାରା ଯେତେ ଯେତେ ବ୍ୟବସାୟ ବାଣିଜ୍ୟର ପ୍ରସାର ହେଉଛି, ନାରୀର ଧନାଗମ ପନ୍ଥା ସେତେ ସହଜ ହୋଇ ଯାଉଅଛି ।

 

ଆଜି ଇଂରାଜ ମହିଳା କେବଳ ଡାକ୍ତରୀ, ଓକିଲାତିରେ ନୁହେଁ, ବ୍ୟବସାୟ, ବାଣିଜ୍ୟ, କଳକାରଖାନା, ଦେଶର ସମସ୍ତ ପ୍ରକାର ପେଶାରେ ପୁରୁଷଙ୍କ ସହିତ ପଙ୍ଗପାଳ ପରି ଛାଇ ଯାଇଛନ୍ତି । ୧୯୧୯ରେ League of Nationsର ଦ୍ୱାର ସେମାନଙ୍କପାଇଁ ବିନା ବାଧା ବିଘ୍ନରେ ମୁକୁଳାଇ ଦିଆ ଯାଇଥିଲା । ସେଠାକାର ପୁରୁଷ ସମାଜର ଉଦାରତା ଏବଂ ବୀରତ୍ୱ ଅତ୍ୟନ୍ତ ପ୍ରଶଂସନୀୟ ରୂପରେ ପ୍ରତିଭାତ ହୋଇଥିଲା ।

 

ମହାରାଣୀ ଭିକ୍ଟୋରିଆଙ୍କର ସିଂହାସନ ପ୍ରାପ୍ତି ପୂର୍ବ ପର୍ଯ୍ୟନ୍ତ ନାରୀମାନଙ୍କ ଦଶା ଇଂଲଣ୍ଡରେ ନିତାନ୍ତ ଅନୁନ୍ନତ ଥିଲା । ଊନବିଂଶ ଶତାବ୍ଦୀର ପୂର୍ବାର୍ଦ୍ଧ ଶେଷ ନ ହେଉଣୁ ସେଠାର ଲୋକେ ଅନୁଭବ କରିବାକୁ ଆରମ୍ଭ କଲେ ଯେ, ଯେ ପର୍ଯ୍ୟନ୍ତ ଦେଶରେ ନାରୀଶକ୍ତିର ପୂର୍ଣ୍ଣ ବିକାଶ ହୋଇ ନାହିଁ, ସେ ପର୍ଯ୍ୟନ୍ତ ତାଙ୍କର ଜାତୀୟ ବିକାଶର ପଥ ସମ୍ପୂର୍ଣ୍ଣ ମୁକ୍ତ ହୋଇ ପାରିବ ନାହିଁ । ସେହି ଭାବକୁ ପ୍ରଥମ ରୂପ ଦେଇଥିଲେ ଫ୍ରେଡ଼ରିକ୍‌ ଏଡ଼ିସନ ମରିସ ସାହେବ । ସେହି ସମୟରେ ସେ କ୍ୱିନ୍‌ସ୍‌ କଲେଜର ପ୍ରତିଷ୍ଠା କରିଥିଲେ । ଏହା ବିଶ୍ୱବିଦ୍ୟାଳୟରେ ନାରୀମାନେ ପୁରୁଷଙ୍କ ସମକକ୍ଷରେ ଶିକ୍ଷିତା ହେବାକୁ ଲାଗିଲେ । କ୍ରମେ ଦେଶରେ ନାରୀ ଜାଗରଣର ଧୁମ୍‌ ପଡ଼ିଗଲା । ସେହି ସମୟରେ ନାରୀମାନଙ୍କ ମତାଧିକାର ଆନ୍ଦୋଳନର ସୂତ୍ରପାତ ହେଲା ଏବଂ ନାରୀମାନେ ଏକା ନୁହଁନ୍ତି, ଦେଶର ବହୁ ପୁରୁଷମାନେ ମଧ୍ୟ ନାରୀଜାତିର ଆକାଂକ୍ଷା ପୂର୍ଣ୍ଣପାଇଁ ଅଣ୍ଟା ଭିଡ଼ି ବାହାରିଥିଲେ ।

 

ଆମେରିକାରେ କିନ୍ତୁ ନାରୀ ମତାଧିକାର ନେଇ ଆନ୍ଦୋଳନ ପ୍ରଥମେ ସୂତ୍ରପାତ ହୁଏ । କିନ୍ତୁ ସେଠି ବହୁ ପ୍ରଦେଶ ଏବଂ ଦେଶର ବହୁ ସଂଘଙ୍କର ସମ୍ମିଳିତ ମତ ନ ହେଲେ ଗୋଟିଏ ଆଇନ ପ୍ରଣୟନ ବା ସଂଶୋଧିତ ହେବା ଅସମ୍ଭବ କଥା । ପୁଣି କୌଣସି ଆଇନ ପରିବର୍ତ୍ତନ ହେବା ବଡ଼ ସହଜ କଥା ନୁହେଁ । ସେଥିପାଇଁ ନାରୀମାନଙ୍କର ଦାବୀ ବହୁଦିନ ଯାବତ୍‌ ସଫଳ ହୋଇ ପାରି ନ ଥିଲା । ଶେଷରେ ୨୭ ଡିସେମ୍ୱର ୧୯୨୦ରେ ସେମାନଙ୍କର ଦାବୀ ସଫଳ ହୋଇଥିଲା । ଇଂଲଣ୍ଡ ହେଉ, ଆମେରିକା ହେଉ ବା ଅନ୍ୟ କେଉଁ ଦେଶ ହେଉ, ସେଠାର ନାରୀମାନଙ୍କର ମତାଧିକାର ଆନ୍ଦୋଳନର ଇତିହାସ ଅତି ମହତ୍ୱପୂର୍ଣ୍ଣ । ବିସ୍ତାରିତ ଭାବରେ ଲେଖିଲେ ପୁସ୍ତକର କଳେବର ବୃଦ୍ଧି ହେବ ବୋଲି ନିରସ୍ତ ହେଲୁଁ ।

 

ଯେଉଁ ଦେଶମାନଙ୍କରେ ନାରୀମାନେ ମତାଧିକାର ପାଇଛନ୍ତି, ସେମାନଙ୍କ ମଧ୍ୟରୁ ନିମ୍ନଲିଖିତ ୭ଟି ରାଜ୍ୟର ନାରୀ ମହାଯୁଦ୍ଧ ପରେ ମତାଧିକାର ପାଇଛନ୍ତି ; ବାକୀ ସବୁଦେଶ ୧୯୨୦ ସାଲର ଶେଷ ଭାଗକୁ ପାଇଛନ୍ତି ।

 

ମହାଯୁଦ୍ଧ ପରେ—ଆମେରିକା, ପାଲେଷ୍ଟାଇନ୍, ଲିଥୁୟାନିୟା, ଇଷ୍ଟୋନିୟା, ଲୋଟେଭିୟା, ପୋଲାଣ୍ଡ, ଜେକୋସ୍ଲୋଭାକିୟା ।

 

୧୯୨୦ର ଶେଷ ଭାଗରେ—ଇଂଲଣ୍ଡ, କାନାଡ଼ା, ଅଷ୍ଟ୍ରେଲିୟା, ନିଉଜିଲାଣ୍ଡ, ଡେନମାର୍କ, ନରଓୟେ, ଜ୍ୟାମେକା, ହଲାଣ୍ଡ, ରୁମାନିୟା, ସର୍ଭିୟା, ଲକେସ୍‌ମବର୍ଗ, ଅଷ୍ଟ୍ରିୟା, ହଙ୍ଗେରୀ, ବ୍ରିଟିଶ୍‌ ପୂର୍ବ ଆଫ୍ରିକା, ଫିନ୍‌ଲାଣ୍ଡ, ରୋଡ଼େଶିୟା, ରୁଷିଆ, ସ୍ପେନ୍‌, ଉତ୍ତର ଆୟର୍ଲଣ୍ଡ, ତୁର୍କ-। ଏହାଛଡ଼ା ଆନ୍ତର୍ଜାତିକ ସଂଘ (League of Nations)ଙ୍କର ଅଫିସ୍‌ମାନଙ୍କରେ ଓ ଶାଖା ସଭାମାନଙ୍କର ଦ୍ୱାର ଯୋଗ୍ୟତା-ପ୍ରାପ୍ତ ନାରୀମାନଙ୍କପାଇଁ ମୁକ୍ତ । ସେମାନେ ସେଠାରେ କାର୍ଯ୍ୟମାନ ଉତ୍ତମରୂପେ ପରିଚାଳନା କରୁଛନ୍ତି । ଏଥିରୁ ବୁଝା ପଡ଼ୁଛି, ରାଷ୍ଟ୍ର ପରିଚାଳନା କ୍ଷେତ୍ରରେ ପାଶ୍ଚାତ୍ୟ ନାରୀ ପ୍ରାଚ୍ୟ ନାରୀମାନଙ୍କଠାରୁ କେତେ ଯୋଜନ ଦୂରରେ ଆଗେଇ ରହିଛନ୍ତି ! ପୁଣି ସେଠାର ଲୋକେ କି ଉଦାରମନା ! କିଛି କାଳପର୍ଯ୍ୟନ୍ତ ପୁରୁଷଙ୍କର ନାରୀମାନଙ୍କ ଉପରେ ଯେଉଁ ଅଧିକାର ଓ ଆଇନ୍‍ଗତ ଅସାମ୍ୟ ଥିଲା, ୧୯୧୯ରେ Sex Disqualification Removal Act ବା ଜାତି ଯୋଗ୍ୟତା ନିବାରଣ ଆଇନ ହୋଇ ସେତକ ବିଭିନ୍ନତା ମଧ୍ୟ ଉଠାଇ ଦିଆଗଲା । ସେମାନଙ୍କୁ ବହୁତ ଅଧିକାର ମିଳି ଯାଇଥିଲା । ଏ ଅଧିକାରପାଇଁ ନାରୀମାନଙ୍କର ଯେ କୌଣସି ଆଇନ୍‍ଗତ ବାଧା ଥିଲା ଓ ବିଶ୍ୱବିଦ୍ୟାଳୟମାନଙ୍କରେ ମଧ୍ୟ ଯେ ବାଧ୍ୟତା ଥିଲା, ସେ ସବୁ ବାଧ୍ୟତା ଉଠିଗଲା । ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀର ଭିନ୍ନତା ମଧ୍ୟ ଲୋପ କରି ଦିଆଯାଇ ଥିଲା । ୧୯୧୮ରେ The Representation of the People Act ବା ନିବେଦନ ଆଇନ ହୋଇ ନାରୀମାନଙ୍କର ରାଜନୈତିକ ଅଧିକାର ମଧ୍ୟ ସଫଳ ହୋଇଗଲା । ପାର୍ଲିଆମେଣ୍ଟ, ଲୋକାଲବୋର୍ଡ଼ରେ ଭୋଟ ଦେବାର ଅଧିକାର ସେମାନେ ପାଇଥିଲେ । ସେମାନଙ୍କର ଭୋଟର ତାଲିକାରେ ୮.୫ ଲକ୍ଷ ସ୍ତ୍ରୀଙ୍କୁ ଭୋଟଦେବା ଅଧିକାର ମିଳିଥିଲା । ଲୋକାଲବୋର୍ଡ଼ ଭୋଟର ସଂଖ୍ୟା ୯ଲକ୍ଷ କରି ଦିଆଯାଇଥିଲା-। ୧୯୧୮ରେ ପାର୍ଲିଆମେଣ୍ଟକୁ ଯିବା ଯୋଗ୍ୟତା (The Parliament Qualification of Women Act) ହୋଇ ସେମାନଙ୍କୁ ପାର୍ଲିଆମେଣ୍ଟ ସଦସ୍ୟରୂପେ ଗ୍ରହଣ କରାହୋଇଥିଲା-। ସେହିକାଳୁ ପୁରୁଷଙ୍କ ବିରୁଦ୍ଧରେ ନାରୀ ପ୍ରତିନିଧିମାନେ ବହୁତ ସଂଖ୍ୟାରେ ଛିଡ଼ା ହେଉଛନ୍ତି-। ବର୍ତ୍ତମାନ ଇଂଲଣ୍ଡର ଅକ୍ସଫୋର୍ଡ଼, ନରଉଇଚ ଆଦି ସହରରେ ନାରୀ ମେୟରମାନେ ପ୍ରାୟ ନିର୍ବାଚିତ ହେଉଛନ୍ତି । ୧୯୨୭ରେ ଭାଇକାଉଣ୍ଟେସ୍‌ କାଲଡ୍ରେ କାଲଷ୍ଟେର ପ୍ରଦେଶରେ ସର୍ବପ୍ରଥମ ମହିଳା ଷ୍ଟିଓ୍ୟାର୍ଡ଼ ନିର୍ବାଚିତ ହୋଇଥିଲେ । ଇଂଲଣ୍ଡ ନାରୀ ଏ ସ୍ୱାଧୀନତାରେ ପାଗଳ ହୋଇ ଉଠିଛନ୍ତି-। ସେଠାର ଲୋକାଲବୋର୍ଡ଼ ପରିଚାଳନା ଆଦି କରିବାର କ୍ଷମତା ୧୮୭୦ରେ ମିଳିଥିଲା । ଫଳରେ ନାରୀମାନେ ଲୋକାଲବୋର୍ଡ଼ରେ ପଶି ସେଠାର ଦୀନ ଦୁଃଖୀ ଅନାଥମାନଙ୍କର ଉପକାର ନିମିତ୍ତ ଓ ଚଳିବା ନିମିତ୍ତ ବହୁତ ଫନ୍ଦା କରି ପାରିଛନ୍ତି । ୧୮୭୦ରେ ଶିକ୍ଷା ଆଇନ (Education Act) କରି ସେମାନେ ଶିକ୍ଷା କମିଟିମାନଙ୍କରେ ମେମ୍ୱର ହୋଇ ପାରିବାର ଅଧିକାର ପାଇଥିଲେ । ଲଣ୍ଡନ, ମାଞ୍ଚେଷ୍ଟର ଆଦି ସ୍ଥାନର ସ୍କୁଲମାନଙ୍କର କମିଟିରେ ଅନେକ ସ୍ତ୍ରୀ ସଦସ୍ୟ ରହିଛନ୍ତି । ଆଗେ ସହରରେ ଯେଉଁମାନେ ସ୍ୱାଧୀନ ଭାବରେ ରହିଥିଲେ, ପରିବାର ବନ୍ଧନ ଯେଉଁମାନଙ୍କର ନ ଥିଲା, ସେମାନେ ଏହି କମିଟିର ସଦସ୍ୟ ହୋଇ ପାରୁଥିଲେ । ପାରିବାରିକ ବନ୍ଧନରେ ଯେଉଁ ନାରୀମାନେ ରହୁଥିଲେ, ସେମାନଙ୍କର ଏ ଅଧିକାର ନ ଥିଲା । ୧୯୧୮ରେ ଏ ଅନ୍ୟାୟ ପର ଆଇନର ସଂଶୋଧନ ହୋଇ ସ୍ତ୍ରୀମାନଙ୍କର ଏହି ବାଧା ଦୂର କରି ଦିଆଗଲା । ପ୍ରଥମେ ୩୦ବର୍ଷରୁ କମ୍‍ ବୟସର ସ୍ତ୍ରୀମାନେ ସଦସ୍ୟ ହୋଇ ପାରୁ ନ ଥିଲେ; ତାଙ୍କର ମତାଧିକାର ନ ଥିଲା । କିନ୍ତୁ ୧୯୨୮ରେ ସେ ବାଧା ବି ଦୂର ହୋଇଗଲା-। ପୁଣି ନାରୀଙ୍କୁ ପୁରୁଷ ତୁଲ୍ୟ ୨୧ ବର୍ଷ ବୟସରେ ମତାଧିକାର ମିଳିଗଲା ।

 

ପାର୍ଲିଆମେଣ୍ଟରେ ନାରୀମାନଙ୍କୁ ସଦସ୍ୟପଣ ଦେବାରେ ଇଂରାଜ ପୁରୁଷମାନେ ଘୋର ବିରୋଧୀ ଥିଲେ । ଯେଉଁ ନାରୀ-ହିତାକାଂକ୍ଷୀମାନେ ଏ କଥା କହୁଥିଲେ, ତାଙ୍କୁ ପାର୍ଲିଆମେଣ୍ଟ ଲୋକେ ଛିଛାକର କରୁଥିଲେ । ପହିଲେ ଜନ୍‌ ଷ୍ଟୁଆର୍ଟ ମିଲ ୧୮୧୭ରେ ଏହି ପ୍ରସ୍ତାବ ପାର୍ଲିଆମେଣ୍ଟରେ ପ୍ରଥମେ ଉପସ୍ଥାପିତ କରି ଭର୍ତ୍ସିତ ଓ ଅପମାନିତ ହୋଇଥିଲେ । ପାର୍ଲିଆମେଣ୍ଟ ପ୍ରସ୍ତାବ ଗ୍ରହଣ ନ କଲେ କ’ଣ ହେବ ? ସେହି ପ୍ରସ୍ତାବ ସାରା ଦେଶରେ ତୁମୁଳ ବିପ୍ଳବ ସୃଷ୍ଟି କରି ଦେଲା । ସମସ୍ତେ ନାରୀଙ୍କର ଦାବୀ ସ୍ୱୀକାର କରିବାକୁ ଉନ୍ମୁଖ ହୋଇ ଉଠିଥିଲେ । ପରେ ଏହି ସମ୍ପର୍କରେ ହାଉସ୍‌ ଅଫ୍‌ କମନ୍‌ସରେ ୧୮୭୦, ୧୮୮୬, ୧୮୯୭, ୧୯୦୮, ୧୯୦୯, ୧୯୧୧ ପ୍ରସ୍ତାବ ସମର୍ଥିତ ହୋଇ ପାସ୍‌ ହୋଇଥିଲା ଓ ତାହାର ପୁନରାବୃତ୍ତି ଘଟିଥିଲା । ଦଳେ ବଦମଗଜୀ ପୁରୁଷ ବରାବର ନାରୀଙ୍କ ଅଧିକାର ବିରୋଧରେ ରହି ସବୁ କଥାରେ ବିରୋଧୀ ହୋଇ ଛିଡ଼ା ହେବାରେ ସବୁ ଇଂରାଜ ନାରୀମାନେ ଏହି ବାଧାରେ ଅଗ୍ନି ରୂପ ଧରିଥିଲେ । ଏ ଅପମାନ ସେମାନେ ସହ୍ୟ ନ କରି ମରିବାକୁ ମାରିବାକୁ ତିୟାର ହୋଇ ଯାଇଥିଲେ ।

 

୧୯୧୪ର ପ୍ରଳୟକାରୀ ମହାଯୁଦ୍ଧ ଆସି ପହଞ୍ଚିଲା । ସେଠାର ନାରୀ ଏହି ସମୟରେ କ୍ଷୁଦ୍ର ସ୍ୱାର୍ଥ ଓ ଗୃହବିବାଦ ଭୁଲି ରାଷ୍ଟ୍ରର ମାନ ମହତ୍ୱ ରଖିବାପାଇଁ କାୟ ମନ ବାକ୍ୟ ଓ ଧନ ଦେଇ ପୁରୁଷଙ୍କ ସହିତରେ ଛିଡ଼ା ହୋଇଗଲେ । ସେମାନେ ଯୁଦ୍ଧ-ଡାକ୍ତରଖାନାମାନଙ୍କରେ ଧାତ୍ରୀ କାର୍ଯ୍ୟମାନ କରିବାକୁ ଲାଗିଲେ । ଜୀବନର ସବୁ ମୋହ ଛାଡ଼ି ସେମାନେ ଯେପରି ଭାବରେ ଜନ୍ମଭୂମିର ସେବା କରିଥିଲେ, ତାହା ବାସ୍ତବରେ ଲୋକକୁ ବିସ୍ମିତ କରି ଦେଇଥିଲା । ନାରୀମାନଙ୍କର ଜାତୀୟ ସଙ୍ଘ (National Union) ନାମକ ଅନୁଷ୍ଠାନ କେବଳ ଦେଶର ଯୁଦ୍ଧସମିତିକି ୪,୨୯,୦୦୦ ପାଉଣ୍ଡ ଅର୍ଥ ଦାନ କରିଥିଲା । ଏହା ଛଡ଼ା ସେମାନେ ସବୁ ବିଷୟରେ ଆବଶ୍ୟକ ମତେ ଯେତେ ଯେତେ କାର୍ଯ୍ୟ କରୁଥିଲେ, ତହିଁରେ ପୁରୁଷମାନେ ସେମାନଙ୍କର ବଚସ୍କର ପରି ହୋଇ ଯାଇଥିଲେ । ଫଳତଃ ସେମାନଙ୍କର ଦାବୀ ସେମାନେ ଅତି ସହଜରେ ନେଇ ପାରିଥିଲେ । ୧୯୧୬ରେ (Speakers Conference) ବା ସଭାପତି ସମ୍ମିଳନୀ ବସିଥିଲା । ମତାଧିକାର ସମସ୍ୟାର ଆଲୋଚନା ଓ ପରାମର୍ଶ ଦେବାପାଇଁ ଏ ଅନୁଷ୍ଠାନ ଗଠିତ ହୋଇଥିଲା । ଜାନୁଆରୀ ୧୯୧୭ରେ ସେହି କନଫରେନ୍‌ସ ନାରୀ ମତାଧିକାରପାଇଁ ପୂର୍ଣ୍ଣ ସ୍ୱରରେ ସୁପାରିସ୍‌ କରିଥିଲେ । ସେତେବେଳେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଲୟେଡ଼ ଜର୍ଜ ଥିଲେ-। ସେ ସହାନୁଭୂତି ପୂର୍ବକ ଏହି ସୁପାରିସକୁ ହାଉସ୍‌ ଅଫ କମନ୍‌ସରେ ଉପସ୍ଥାପିତ କରିଥିଲେ । ୧୯୧୪ରେ ନାରୀମାନଙ୍କର ଯୁଦ୍ଧକୌଶଳ ଓ ସହଯୋଗିତା ଦେଖି ନାରୀ ମତାଧିକାରର ଘୋର ବିରୋଧୀ ଲର୍ଡ଼ ଏସ୍‌କୁଇଥ୍‌ ମଧ୍ୟ ପ୍ରସ୍ତାବର ବିରୋଧ କରି ନ ଥିଲେ । ଅନ୍ୟାନ୍ୟ ବିରୋଧୀ ସଦସ୍ୟମାନେ ମଧ୍ୟ ଏକସ୍ୱରରେ ନାରୀଙ୍କ ଦାବୀ ସ୍ୱୀକାର କରିଥିଲେ ଓ ହାଉସ୍‌ ଅଫ କମନ୍‌ସରେ ପ୍ରସ୍ତାବ ପାସ୍‌ ହୋଇଥିଲା । ଫେବୃୟାରୀ ୧୦ତାରିଖ ୧୯୧୮ରେ ହାଉସ୍‌ ଅବ ଲର୍ଡ଼ସ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରି ଦେଇଥିଲେ । ଫେବୃୟାରୀ ୬ତାରିଖ ୧୯୧୮ରେ ରାଜା ପଞ୍ଚମଜର୍ଜ ଏହି ପ୍ରସ୍ତାବକୁ ସମର୍ଥନ କରି ଏହି ପ୍ରସ୍ତାବକୁ ଆଇନରେ ପରିଣତ କରି ଦେଇଥିଲେ । ଦେଶ ସାରା ଖବର କାଗଜ ଆଦିରେ ଏହି ସମ୍ୱନ୍ଧରେ ବହୁତ ଉତ୍ସାହପୂର୍ଣ୍ଣ ପ୍ରବନ୍ଧମାନ ବାହାରି ନାରୀର ଜୟଗାନରେ ଇଂରାଜ ରାଜ୍ୟ ମୁଖରିତ କରିଥିଲା ।

 

ନାରୀମାନେ ପାର୍ଲିଆମେଣ୍ଟରେ ପଶି ଅନେକ ଆଇନ୍‌ ତିୟାର କରିଛନ୍ତି ଓ ଅନେକ ଖରାପ ଆଇନ୍‍କୁ ସଂଶୋଧିତ କରି ପାରିଛନ୍ତି । ଏହାଛଡ଼ା ନାରୀମାନଙ୍କର ହିତକାରୀ ଆଇନ୍‌ମାନ ମଧ୍ୟ ପ୍ରଣୟନ କରିଛନ୍ତି । ୧୯୨୩ରେ Matrimonial Causes Act କରି ବିବାହ ବିଚ୍ଛେଦ ଆଇନ ସେମାନେ ପାସ୍‌ କରିଛନ୍ତି । ଇଂଲଣ୍ଡରେ ବୃଦ୍ଧ ଏବଂ ଅନାଥଙ୍କୁ ସରକାରୀ ଆର୍ଥିକ ସହାୟତା ମିଳେ । ଏହି ଆର୍ଥିକ ସାହାଯ୍ୟରେ ମଧ୍ୟ ନାରୀଙ୍କୁ କମ୍‌, ପୁରୁଷଙ୍କୁ ବେଶି ମିଳୁଥିଲା । ୧୯୨୫ରେ Widow Orphans and old age Contributary pensions Act. ବା ବିଧବା, ଅନାଥ ପିଲା, ବୃଦ୍ଧାମାନଙ୍କ ଭତ୍ତା ଆଇନ କରି ଏହି ଭେଦଭାବ ଦୂରକରି ଦିଆଯିବାରୁ ନାରୀ ପୁରୁଷ ସମାନ ଭାବରେ ଆର୍ଥିକ ସାହାଯ୍ୟ ପାଇଲେ । ୧୯୧୨ର National Health Insurance Act ବା ଜାତୀୟ ସ୍ୱାସ୍ଥ୍ୟବୀମା ଆଇନ ଅନୁସାରେ ନାରୀର ପ୍ରସବ କାଳରେ ସରକାରୀ ଆର୍ଥିକ ସାହାଯ୍ୟମାନ ସେମାନଙ୍କ ସ୍ୱାମୀମାନଙ୍କ ହାତରେ ଅର୍ପଣ କରି ଦିଆଯାଉ ଥିବାରୁ ପ୍ରସୂତିମାନେ ଆର୍ଥିକ ସୁବିଧା ଭଲକରି ପାଇ ପାରୁ ନ ଥିଲେ । ଏହି ଆଇନ ନାରୀ ସଦସ୍ୟାମାନେ ସଂଶୋଧିତ କରି ଥିବାରୁ ବର୍ତ୍ତମାନ ପ୍ରସୂତିମାନଙ୍କ ହାତକୁ ପ୍ରତ୍ୟକ୍ଷ ଭାବରେ ସରକାରୀ ସାହାଯ୍ୟମାନ ଯାଇ ସେମାନଙ୍କର କଷ୍ଟ ଦୂରୀଭୂତ ହୋଇଛି ।

 

ଇଂଲଣ୍ଡର ନାରୀଶିକ୍ଷା ବିଷୟ ସମସ୍ତେ ଜାଣନ୍ତି । ଝିଅମାନଙ୍କୁ ପୁଅଙ୍କ ସାଥିରେ ଶିକ୍ଷା ଦେବା କଥା ପହିଲେ ଡାକ୍ତର ମରିସ୍‌ ୧୮୪୮ରେ ଧାରଣା କରି କ୍ୱୀନ୍‌ସ କଲେଜ ସ୍ଥାପନା କରିଥିଲେ, ପରେ ଲଣ୍ଡନରେ ଆଉ ଏକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇଥିଲା । ସେହି ଅନୁଷ୍ଠାନର ନାମ Bedford College (ବେଡ଼ଫୋର୍ଡ଼ କଲେଜ) । ଲଣ୍ଡନର ଏହା ପ୍ରସିଦ୍ଧ ନାରୀ କଲେଜ ଅଟେ । ଏହି ସମୟରୁ ସେଠାର ଲୋକମତ ନାରୀଶିକ୍ଷାର ସହାୟକ ହୋଇଥିଲା । ୧୮୬୫ରେ ଅକ୍‌ସଫୋର୍ଡ଼ କଲେଜ ନାରୀମାନଙ୍କପାଇଁ ଦ୍ୱାର ମୁକ୍ତ କରିଥିଲା । ୧୯୨୧ରେ ନାରୀଙ୍କୁ ଇଉନିଭର୍ସିଟି ଡିଗ୍ରୀ ଓ ସ୍କଲରସିପ୍‌ ଆଦିର ଅଧିକାର ବି ମିଳିଗଲା । କେମ୍ୱ୍ରିଜ ବିଶ୍ୱବିଦ୍ୟାଳୟ ମଧ୍ୟ ଉଦାରତାର ପରିଚୟ ଦେଇଥିଲେନାରୀମାନଙ୍କପାଇଁ ଦ୍ୱାର ଉନ୍‌ମୁକ୍ତ କରି ୧୯୨୬ରେ ଶିକ୍ଷା ବିଭାଗ ନାରୀମାନଙ୍କୁ ଶିକ୍ଷା ବିଭାଗରେ କାର୍ଯ୍ୟ କରିବା ଓ ଶିକ୍ଷାର ଯାବତୀୟ ଅଧିକାର ଦେଇଥିଲା-। ଏହାର ଫଳରେ ସେଠାରେ ନାରୀ ଅଧ୍ୟାପିକାଙ୍କ ନିଯୁକ୍ତି ଅଧିକ ହୋଇଅଛି । ଇଂଲଣ୍ଡରେ ଅଗଣିତ ସ୍କୁଲ, କଲେଜରେ ଛାତ୍ର ଛାତ୍ରୀ ଏକତ୍ର ପଢ଼ନ୍ତି, ଏକତ୍ର ଡିଗ୍ରୀ ନିଅନ୍ତି । ଶିକ୍ଷାରୁ ସବୁ ବ୍ୟବଧାନ ନାରୀଙ୍କପାଇଁ ଘୁଞ୍ଚି ଯାଇଅଛି ।

 

ନାରୀମାନେ ଉଚ୍ଚ ଉପାଧି ପରୀକ୍ଷାରେ ପାଶ୍‌ କରି ପୁରୁଷଙ୍କ ଚକ୍ଷୁରେ ଚମକ ଆଣିଛନ୍ତି-। ନାରୀ ନିର୍ବୋଧ ଓ ଦୁର୍ବଳ, ଅପାରଗ, ଏପରି ଧାରଣା ସେଠାର ପୁରୁଷମାନଙ୍କ ମନରେ ଏ ଶତାବ୍ଦୀରେ ଆଉ ନାହିଁ, କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଯେଉଁ ନାରୀ ପୁରୁଷର ଭୋଗ ବିଳାସର ସାମଗ୍ରୀ ଥିଲେ, ଏକ ଶତାବ୍ଦୀ ପରେ ସେହି ନାରୀ ଆଜି ରାଷ୍ଟ୍ରର ଭାଗ୍ୟନିୟାମିକା ଭାଗ୍ୟବିଧାତ୍ରୀ ଅଟନ୍ତି ।

 

ଖାଲି ବିନା ମୂଲ୍ୟରେ ଏ ସବୁ ହୋଇ ନାହିଁ । ନାରୀଙ୍କର ପ୍ରାଣପାତ ପରିଶ୍ରମ ଓ ଏକତା ଦ୍ୱାରା ସେମାନଙ୍କର ଏପରି ଉନ୍ନତି ହୋଇଛି; କିନ୍ତୁ ଏଥିରେ ସେମାନେ ସନ୍ତୁଷ୍ଟ ନୁହନ୍ତି । ଆହୁରି ଆଗେଇ ପ୍ରିଭିକାଉନ୍‌ସିଲ ଜଜ୍‌ ପ୍ରଭୃତି କେତେ ପ୍ରକାର ପଦ ସେମାନେ ଚାହାନ୍ତି ଓ ବରାବର ସେ ଦେଶର କେତେ ପ୍ରକାର ଅଧିକାର ପାଇବାର ଆକାଂକ୍ଷା ସେମାନେ ପୋଷଣ କରନ୍ତି । ସେମାନଙ୍କର କଷ୍ଟ ସହନଶୀଳତା ପରିଶ୍ରମ ପ୍ରଭୃତି ଗୁଣଗୁଡ଼ିକ ଓ ସବୁଠାରୁ ବଳି ଏକପ୍ରାଣତା ବାସ୍ତବରେ ଆଧୁନିକ ନାରୀ ସମାଜର ଲକ୍ଷ୍ୟ ହେବା ଉଚିତ ।

Image

 

ଆମେରିକାର ନାରୀ ପ୍ରଗତି

 

ବିଂଶ ଶତାବ୍ଦୀର ସଭ୍ୟତାର କେନ୍ଦ୍ରସ୍ଥଳ ବୋଲି ବିବେଚିତ ଆମେରିକାର ନାରୀ ପ୍ରଗତି ସମ୍ୱନ୍ଧରେ କିଛି ସଂକ୍ଷିପ୍ତ ଭାବରେ ସୂଚନା ଦିଆଗଲା । ଏକଥା କହିବା ବାହୁଲ୍ୟ ମାତ୍ର ଯେ, ଆମେରିକାରେ ନାରୀ ଆଜି ଦେଶର, ସମାଜର ହିତଜନକ କର୍ମମାନଙ୍କରେ ଆତ୍ମନିୟୋଗ କରି ପାରିଛି । ସେ ବ୍ୟାଙ୍କଠାରୁ, ସ୍କୁଲଠାରୁ, କଲେଜଠାରୁ, ଦୋକାନଠାରୁ, କଳଠାରୁ, ଡାକ୍ତରଖାନାଠାରୁ ଆରମ୍ଭ କରି ରାଜନୈତିକ ସମସ୍ତ ପ୍ରକାର ସଂହତିମାନଙ୍କରେ ଯୋଗ ଦେଇଅଛି କହିଲେ ଅଳ୍ପ କୁହା ହେବ । ସେ ସେହି କାର୍ଯ୍ୟ ଓ ସଂଘମାନଙ୍କରେ ଉଦ୍ୟୋକ୍ତା ବା Organiser ଭଳି କାର୍ଯ୍ୟ ମଧ୍ୟ କରୁଅଛି । ସେ ନାନା ଅନୁଷ୍ଠାନମାନଙ୍କଦ୍ୱାରା ଚାଳିତ ହେଉଛି ଏବଂ ଚାଳକ ମଧ୍ୟ ହୋଇ ଅନୁଷ୍ଠାନଗୁଡ଼ିକର ସୁପରିଚାଳନା କରି ପାରୁଅଛି ।

 

ସେମାନେ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ କରିବାପାଇଁ ଲାଗି ପଡ଼ିଛନ୍ତି । ଚାଷ ଜମିରେ ଚାଷ କରିବା, ପାଣିକଳ, ବିଜୁଳିକଳ, ମୋଟରକଳରେ କାର୍ଯ୍ୟ କରିବାଠାରୁ ଆରମ୍ଭ କରି ମାଛ ଧରିବା, ମାଛ ବିକ୍ରି କରିବା, ମାଟି ପଥର ଖୋଳି ବିକ୍ରି କରିବା ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ସେମାନେ କୃତିତ୍ୱ ସହିତ କାର୍ଯ୍ୟ କରୁଛନ୍ତି ।

 

ଯେତେବେଳେ ଆମେରିକାରେ କଳକାରଖାନାର ତେତେ ପ୍ରଚାର ହୋଇ ନ ଥିଲା, ସେତେବେଳେ ଲୋକେ ଭାବୁଥିଲେ ଯେ ନାରୀମାନେ ସନ୍ତାନ ପ୍ରସବ କରିବା ଓ ଘର ପରିଚାଳନାର ସାମାନ୍ୟ କିଛି କାର୍ଯ୍ୟ କରି ପାରିବା ଛଡ଼ା ଅନ୍ୟ କିଛି କାର୍ଯ୍ୟ କରି ପାରିବେ ନାହିଁ । କିନ୍ତୁ କଳକାରଖାନାର ପ୍ରସାର ପରେ ଏହି ଆଶଙ୍କା ଏକାବେଳକେ ଦୂର ହୋଇଯାଇଛି । କଳକାରଖାନା ସେ ଦେଶର ନାରୀଙ୍କୁ ନୂତନ ଆଲୋକ ଦାନ କରିଛି ।

 

କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେବାପରେ ନାରୀମାନଙ୍କର ବହୁ ଅଭିଜ୍ଞତା ଜନ୍ମି ଯାଇଅଛି । ସେମାନେ ଅନେକ ଜ୍ଞାନ ଓ ଦକ୍ଷତା ମଧ୍ୟ ଅର୍ଜନ କରି ପାରୁଛନ୍ତି । କାଳର ଗତି ସଙ୍ଗେ ସଙ୍ଗେ ସେମାନେ ମଧ୍ୟ ଅଗ୍ରଗାମୀ ହୋଇ ଚାଲିଛନ୍ତି । କର୍ମକ୍ଷେତ୍ରରେ ସେମାନଙ୍କର ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଅଛି । କଳକାରଖାନା, କଚିରି, ରାଜ୍ୟ ପରିଚାଳନା ପ୍ରଭୃତିରେ ସେମାନଙ୍କର ସ୍ଥାନ ଉଚ୍ଚରୁ ଉଚ୍ଚତର ହେଉଅଛି । ଯେଉଁମାନେ କଳରେ କାର୍ଯ୍ୟ କରୁ ଅଛନ୍ତି, ସେମାନେ କେତେକ ନିଜ ଇଚ୍ଛାରେ କରୁଛନ୍ତି ଓ ଆଉ କେତେକ ମାଲିକମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରୁ ଅଛନ୍ତି । ବର୍ତ୍ତମାନ କଳ ମାଲିକମାନେ ବୁଝି ପାରିଛନ୍ତି ଯେ ନିଜର ସ୍ତ୍ରୀ ଓ କନ୍ୟାମାନଙ୍କଦ୍ୱାରା କାର୍ଯ୍ୟ କରାଇଲେ ବେଶୀ ଲାଭ ପାଇବାର ସମ୍ଭାବନା । କି ବିବାହିତା କି ଅବିବାହିତା ସମସ୍ତେ କର୍ମକ୍ଷେତ୍ରକୁ ଦୌଡ଼ି ଅଛନ୍ତି । ଯାହାର ଯେପରି ସୁବିଧା ଦର୍କାର, ସେହିପରି ସୁବିଧାର ବ୍ୟବସ୍ଥା ମଧ୍ୟ ଅନେକ ସ୍ଥାନରେ ଦେଖାଯାଏ । ଯେଉଁ ବିବାହିତା ସ୍ତ୍ରୀମାନେ ଗୃହର କର୍ମ ସାରି ଅବସର ସମୟତକ କଳରେ କାର୍ଯ୍ୟ କରିବାକୁ ଚାହାନ୍ତି ସେମାନଙ୍କ ପାଇଁ ମଧ୍ୟ କେତେକ ସ୍ଥାନରେ ସୁବିଧା କରାଇ ଦିଆ ହୋଇଛି ।

 

ସେ ଦେଶର ସ୍ତ୍ରୀମାନଙ୍କର ଉନ୍ନତି ଦେଖିଲେ ବାସ୍ତବିକ୍‌ ଆଶ୍ଚର୍ଯ୍ୟ ହେବାକୁ ହୁଏ । ପ୍ରତିବର୍ଷ ଲକ୍ଷ ଲକ୍ଷ ବାଳିକା ସ୍କୁଲ, କଲେଜମାନଙ୍କରୁ ଉତ୍ତୀର୍ଣ୍ଣ ହେଉଛନ୍ତି । ପ୍ରତିବର୍ଷ ହଜାର ହଜାର ସ୍ତ୍ରୀ ଓକିଲ, ଅଧ୍ୟାପିକା, କିରାନୀ, ପୁଲିସ୍‍, ଗ୍ରନ୍ଥକର୍ତ୍ତୀ, ସମ୍ପାଦିକା ଇତ୍ୟାଦି ହେଉଛନ୍ତି । କେବଳ ନିଉୟର୍କ ଷ୍ଟେଟରେ ନାରୀ ପ୍ରଗତି ଦେଖିଲେ ଆଶ୍ଚର୍ଯ୍ୟ ନ ହୋଇ ରହି ପାରିବ ନାହିଁ । ବର୍ତ୍ତମାନ ପ୍ରାୟ ଦଶଲକ୍ଷରୁ ଅଧିକ ନାରୀ ବିଭିନ୍ନ ବିଭାଗରେ ବେତନ ପାଇ ଚାକିରି କରୁଛନ୍ତି । ତିନି ହଜାର ଚିତ୍ରକର, ପ୍ରାୟ ହଜାରେ ସମ୍ପାଦକ ଓ ରିପୋର୍ଟର, ହଜାରେ ଚିକିତ୍ସକ, ଶହେ ଧର୍ମ ପ୍ରଚାରକ, ପାଞ୍ଚଶହ ବ୍ୟାଙ୍କ ଏଜେଣ୍ଟ, ହଜାରେ ବୀମା ଏଜେଣ୍ଟ ନାରୀମାନଙ୍କ ଭିତରେ ଦେଖିବାକୁ ମିଳୁଛି । ଇଞ୍ଜିନିୟରିଂ, ଆଇନ ପ୍ରଭୃତି ବିଭାଗରେ ମଧ୍ୟ ସେମାନଙ୍କର ସଂଖ୍ୟା ଊଣା ନୁହେଁ । ୧୯୧୦ରେ ଯେତେ ଓକିଲ ଥିଲେ ବର୍ତ୍ତମାନ ସରିକି ତା’ର ଦୁଇ ଗୁଣାରୁ ବେଶି ହୋଇ ଯାଇଛନ୍ତି ।

 

ଏହିଥିରୁ ସେଠାର ନାରୀ ପ୍ରଗତି ସମ୍ୱନ୍ଧରେ ମୋଟାମୋଟି ଗୋଟାଏ ଧାରଣା କରାଯାଇ ପାରିବ ।

Image

 

ଚୀନ ଦେଶରେ ନାରୀ ଆନ୍ଦୋଳନ

 

ଚୀନ ଦେଶରେ ନାରୀମାନଙ୍କର ଅବସ୍ଥା ଭାରତୀୟ ନାରୀମାନଙ୍କ ଅପେକ୍ଷା କୌଣସି ଅଂଶରେ ଉନ୍ନତ ନ ଥିଲା । ଏକାନ୍ନବର୍ତ୍ତୀ ପରିବାରର ଗଣ୍ଡି ଭିତରେ ସେଠାର ନାରୀମାନେ ଆଜୀବନ ଏକ ଧରାବନ୍ଧା ନିୟମରେ ଜୀବନ କାଳାତିପାତ କରି ଆସୁଥିଲେ । ବସ୍ତୁତଃ ସେଠାରେ ନାରୀଜାତିର ବୈଶିଷ୍ଟ୍ୟ କିଛି ନଥିଲା । ବର୍ତ୍ତମାନ ଏହି କେତେବର୍ଷ ହେଲା ନାରୀମାନଙ୍କ ମଧ୍ୟରେ ଜାଗରଣ ଦେଖାଦେଇଛି । ଯେଉଁ କେତୋଟି ଅନୁଷ୍ଠାନ ଏ ଦିଗରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ମଧ୍ୟରେ ପ୍ରଧାନ ହେଉଛି ‘‘ମହିଳାର ରାଷ୍ଟ୍ରାଧିକାର ସଂଘ’’ (Women’s Suffrage Association) ଏବଂ ନାରୀ ଅଧିକାର ସଂଘ (Women’s Rights League) ପ୍ରଧାନ । ଦେଶର ପ୍ରତ୍ୟେକ ଅଞ୍ଚଳରେ ଏଗୁଡ଼ିକର ଶାଖା ସମିତି ଅଛି । ସମାଜରେ ଓ ରାଷ୍ଟ୍ରରେ ନାରୀମାନଙ୍କର ଅଧିକାର କିପରି ଉପଯୁକ୍ତ ଭାବରେ ରକ୍ଷା କରାଯିବ, ଏହି ଲକ୍ଷ୍ୟରେ ଆନ୍ଦୋଳନ ଚାଲିଛି । ନିମ୍ନଲିଖିତ ବିଷୟ ପ୍ରତି ବିଶେଷ ଭାବରେ ଦୃଷ୍ଟି ଦିଆଯାଇଛି ।

 

୧.

ରାଷ୍ଟ୍ରରେ ପୁରୁଷ ସହିତ ନାରୀର ସମଅଧିକାର ପ୍ରତିଷ୍ଠା ।

୨.

ପୁରୁଷର ବହୁ ବିବାହର ନିରୋଧ କରଣ ।

୩.

ସହବାସ ସମ୍ମତି ଆଇନ ବିଧାନ ।

୪.

ପୁରୁଷମାନଙ୍କ ତୁଲ୍ୟ ଶିକ୍ଷାରେ ସମାନ ସୁଯୋଗ ଦିଆହେବାପାଇଁ ଚେଷ୍ଟା କରିବା ।

୫.

ପୁରୁଷର ବ୍ୟଭିଚାର ନିରାକରଣ ।

୬.

ଉତ୍ତରାଧିକାରୀତ୍ୱ ଆଇନରେ ପୁରୁଷ ଓ ନାରୀର ସମାନ ଅଧିକାର ପ୍ରତିଷ୍ଠା ।

୭.

ଚୀନା ରମଣୀମାନେ ପିଲାଦିନରୁ ଲୌହ ଓ କାଷ୍ଠପାଦୁକା ବ୍ୟବହାର କରିବା ପ୍ରଥା ସେ ସମାଜରେ ପ୍ରଚଳିତ ଅଛି । କାରଣ ସେ ଜାତିରେ ଯେଉଁ ନାରୀର ପାଦ ଯେତେ ଛୋଟ, ସେ ସେତେ ସୁନ୍ଦରୀ ବୋଲି ଆଦୃତ ହୁଅନ୍ତି । ସେଥିପାଇଁ ନାରୀମାନଙ୍କର ପ୍ରାଣାନ୍ତ ଯତ୍ନ ଯେ କିପରି ପାଦର ଆଙ୍ଗୁଳି ପ୍ରଭୃତି ସଢ଼ି ଛିଣ୍ଡିଯାଇ ପାଦ ଏକ ମାଂସପିଣ୍ଡ ପରି ରହିବ । ଏହି ପାଦ ବନ୍ଧନ ଦୂର କରି ପାଦକୁ ସ୍ୱାଭାବିକ ପରିଣତି ଦେବା ।

୮.

ରକ୍ଷିତା ଦାସୀ ପ୍ରଥା ବନ୍ଦ କରିବା ।

ଏହି ଆନ୍ଦୋଳନ ସେଠାରେ ବିପୁଳ ବେଗରେ ଅଗ୍ରସର ହୋଇଚାଲିଛି ।

Image

 

ପାଶ୍ଚାତ୍ୟ ନାରୀର ଅବସ୍ଥା

 

କହିବାକୁ ଗଲେ ପାଶ୍ଚାତ୍ୟ ଦେଶମାନଙ୍କରେ ନାରୀମାନଙ୍କର ଆନ୍ଦୋଳନ ଯୁଗ ଯାଇଛି-। ବର୍ତ୍ତମାନ ସେଠାର ନାରୀ ବିଶ୍ୱର ବିଶାଳ କର୍ମକ୍ଷେତ୍ରରେ ନିଜର ଆସନ ପାତି ବସିଛି । ସେ ଦେଖୁଛି, ସମସ୍ତ ପ୍ରକାର କାର୍ଯ୍ୟ କରିବାର କ୍ଷମତା ତା’ର ଅଛି । ମନୁଷ୍ୟର ଯାହା ସାଧ୍ୟ ତାହାର ତାହା ସାଧ୍ୟ । ସେଥିପାଇଁ ବିଗତ ଶତାବ୍ଦୀର ମଧ୍ୟଭାଗରୁ ତାହାର ସାଧନା ଆରମ୍ଭ ହୋଇଛି । ଇଂଲଣ୍ଡରେ ନାରୀ ପ୍ରଗତିର ଇତିହାସ ଲେଖା ସରିଛି । ତହିଁରୁ ଏହିତକ ଜଣାପଡ଼େ, ନାରୀ ତାହାର ଆକାଂକ୍ଷାକୁ ବାସ୍ତବରେ ପ୍ରତିଫଳିତ କରିବାକୁ ଯାଇ କେତେ ଅପମାନ, କେତେ ଅତ୍ୟାଚାର ଓ ଅବିଚାର ବରଦାସ୍ତ କରିଛି । କେବଳ ସମାଜ ନୁହେଁ, ରାଜତନ୍ତ୍ର ମଧ୍ୟ ତା’ର ଆନ୍ଦୋଳନକୁ କ’ଣ ବାରମ୍ୱାର ଆଇନର ପେଞ୍ଚରେ ପୂରାଇ ପେଷିଦେବାକୁ ନ ଚାହିଁଛି ? ଆମେରିକାରେ ମଧ୍ୟ ସେହି ଦଶା । ନାରୀ ତା’ର ଇପ୍ସିତ ଲାଭ କରିବା ପଥରେ ପ୍ରବଳ ପ୍ରତିକୂଳ ଲୋକମତ ଓ ରାଜନୈତିକ-ବିଧି-ନିଷେଧଯୁକ୍ତ ଆଇନର ବାଧା ପାଇଛି । ଫ୍ରାନ୍ସରେ ମଧ୍ୟ ସେହି ଏକା ଦଶା । ଫ୍ରାନ୍ସର ନାରୀ ଏ ପର୍ଯ୍ୟନ୍ତ ମଧ୍ୟ କେତେଟା ବଡ଼ ରାଜନୈତିକ ଅଧିକାର ପାଇ ପାରି ନାହିଁ । ଏହି ସବୁ ଦେଶମାନଙ୍କର ନାରୀର ଭୋଟ ଅଧିକାର ବା ନାଗରିକ ଜୀବନର ପ୍ରତିଷ୍ଠା ଖୁବ୍‌ ବେଶି କାଳର କଥା ନୁହେଁ । ଇଂଲଣ୍ଡରେ କେତେ ବଡ଼ ଘରର ଘରଣୀ ଯେ ଏହି ନାରୀର ଦାବୀ ରକ୍ଷା ନିମନ୍ତେ ଜେଲରେ ପଡ଼ି ସହୀଦତ୍ୱ ଲଭିଛନ୍ତି, ସେମାନଙ୍କୁ ସାରା ଦେଶର କି ଶ୍ଳେଷ, ବିଦ୍ରୂପ, ବ୍ୟଙ୍ଗ ଓ ବିରୋଧିତାକୁ ସାବଧାନରେ ସହିଷ୍ଣୁ ଭାବରେ ଅତିକ୍ରମ କରିବାକୁ ହୋଇଛି, ତାହା ଭାବିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ । ଆମ ଦେଶର ମହିଳା ଆନ୍ଦୋଳନ ଯେ ସବୁ ପ୍ରଦେଶରେ କାର୍ଯ୍ୟ କରୁଛି ଓ ସମିତିମାନ ଗଠିତ ହୋଇଛି, ପଶ୍ଚିମ ଦେଶର ନାରୀ ଆନ୍ଦୋଳନକୁ ଚାହିଁଲେ ବାମନ ସହିତ ଚନ୍ଦ୍ରର ତୁଳନା ମନେ ପଡ଼େ । ଆମ୍ଭମାନଙ୍କର ପ୍ରଚେଷ୍ଟା କି କ୍ଷୁଦ୍ରଅଭିଳାଷ କେତେ ସୀମାବଦ୍ଧ; ତ୍ୟାଗ କି ଅକିଞ୍ଚିତ୍‌କର, ଧୈର୍ଯ୍ୟର କି ନିଃସ୍ୱତା ! ଗୋଟାଏ ବାଧାର ଟାଣୁଆ ଢେଉ ଆସିଲେ ଆମ ଆନ୍ଦୋଳନକୁ ଭସାଇ ନେଇ ସମୁଦ୍ର ଭିତରେ ମିଶାଇ ଦେବ ।

 

କିନ୍ତୁ ପଶ୍ଚିମ ଦେଶର ନାରୀ ଆନ୍ଦୋଳନର ମୂଳନୀତି ନେଇ ଆମ୍ଭମାନଙ୍କ ସହିତ ଯେ ପାର୍ଥକ୍ୟ ଥାଉ ନା କାହିଁକି, ସେମାନଙ୍କ ଭିତରେ ଯେ ଅଗ୍ନି ଜଳୁଥିଲା ସେହି ଅଗ୍ନି ଆମ୍ଭମାନଙ୍କ ଆନ୍ଦୋଳନ ଭିତରେ ନାହିଁ । ଅଛି କେବଳ ପୋଷାକୀ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଧାର୍ଯ୍ୟ କରି ସଭା ଭଙ୍ଗ କରିବା ବା ବାର୍ଷିକ ନାରୀ ସମ୍ମେଳନ କରି ସାଙ୍ଗେ ସାଙ୍ଗେ ଉଦ୍‌ଯାପନ କରି ତୁନି ପଡ଼ିଯିବା । କର୍ମ ଓ ତା’ର ଉଦ୍ଦେଶ୍ୟ ଆମ୍ଭମାନଙ୍କ ପକ୍ଷରେ ଏ ଯାବତ୍‌ ଗୋଟାଏ ଖେଳଘର ଭଳି ରହିଛି । ତା’ର ଗୁରୁତ୍ୱ ବୁଝି ସେ ଦିଗରେ ଆତ୍ମନିୟୋଗ କରିବାର ଶକ୍ତି ଆମ୍ଭମାନଙ୍କଠାରେ ନାହିଁ । ପଶ୍ଚିମ ନାରୀମାନଙ୍କର ଆଦର୍ଶକୁ ଯେଉଁମାନେ ପସନ୍ଦ କରନ୍ତି ନାହିଁ, ଅନ୍ତତଃ ସେମାନଙ୍କର ସୁଚାରୁ ସମ୍ପାଦିତ କର୍ମପ୍ରଣାଳୀ ଓ ପନ୍ଥା ନେଇ ସେମାନେ ଦ୍ୱିମତ ହେବେ ନାହିଁ—ବୋଧ ହୁଏ ।

 

ରୁଷିଆ

 

ୟୁରୋପରେ ନାରୀମାନଙ୍କର ଅବସ୍ଥିତି ସର୍ବତ୍ର ସମାନ ନୁହେଁ । ରୁଷିଆରେ ନରନାରୀଙ୍କ ଭିତରେ ବ୍ୟବହାରିକ ଜଗତରେ କୌଣସି ପାର୍ଥକ୍ୟ ଲକ୍ଷିତ ହୁଏ ନାହିଁ । ସୋଭିଏଟ୍‌ ରୁଷିଆରେ ନାରୀମାନଙ୍କ ଧର୍ମ ଦାସତ୍ୱ ଓ ଅତ୍ୟାଚାରର ଗୋଟିଏ ସ୍ମାରକ ବୋଲି ଶିକ୍ଷା ଦିଆଯାଏ-। ଷ୍ଟାଲିନ୍‌ ରୁଷର ନାରୀମାନଙ୍କୁ ତାଙ୍କର ସମ୍ମିଳିତ କୃଷି ପ୍ରଥାକୁ ବିଶେଷ ଭାବରେ ଜଗି ରଖିବାକୁ ଉପଦେଶ ଦେଉଥିଲେ ; କାରଣ ତହିଁରେ ସ୍ତ୍ରୀ ପୁରୁଷଙ୍କର ସମଅଧିକାରର କ୍ରମବୃଦ୍ଧି ଘଟିବାର ସୁବିଧା ଅଛି । ରୁଷ୍‍ ସମ୍ରାଟ ଜାରମାନଙ୍କ ଅଧୀନରେ ନାରୀମାନଙ୍କ ଅବସ୍ଥା ଅତିଶୟ ଅନୁନ୍ନତ ଓ ଶୋଚନୀୟ ଥିଲା । ରୁଷ୍‍ ଦେଶର କିମ୍ୱଦନ୍ତୀ ଥିଲା, ‘‘କୁକୁଡ଼ା ପକ୍ଷୀ ନୁହେଁ କି ସ୍ତ୍ରୀ ମନୁଷ୍ୟ ନୁହେଁ ।’’ ପୁରୁଷର ଅନୁମତି ବ୍ୟତୀତ ସ୍ତ୍ରୀ ବାହାରକୁ ବାହାରିବା ବେଆଇନ୍‌ ଥିଲା, କିନ୍ତୁ ସୋଭିଏଟ୍‌ ରୁଷିଆରେ ସମସ୍ତ ପ୍ରତିବନ୍ଧକ ଉଠି ଯାଇଛି ଏବଂ ବର୍ତ୍ତମାନ ରୁଷ୍‍ନାରୀ ସ୍ୱାଧୀନ ଭାବରେ ତା’ର ପ୍ରୀତି ଆଦାନ ପ୍ରଦାନ କରିପାରେ, ପରିଣିତା ହୋଇପାରେ କିମ୍ୱା ବିବାହ ବନ୍ଧନ ଛିନ୍ନ କରିପାରେ-। ଇଚ୍ଛା ହେଲେ ମାତୃତ୍ୱ ସ୍ୱୀକାର କରିପାରେ ବା ନ କରିପାରେ । ବର୍ତ୍ତମାନ ରୁଷ୍‌ ପରିବାରରେ କୌଣସି କର୍ତ୍ତା ନାହିଁ, ନରନାରୀ ସମାନ । ଉଭୟେ ସନ୍ତାନମାନଙ୍କ ଯତ୍ନ ସକାଶେ ରାଜ୍ୟ ନିକଟରେ ସମ ପରିମାଣରେ ଦାୟୀ । ନାରୀ କେବଳ ପାକଶାଳାରେ ଆବଦ୍ଧ ହୋଇ ନ ପାରେ କିମ୍ୱା ପୁରୁଷ ଏକା ଯନ୍ତ୍ର ନିକଟରେ କାର୍ଯ୍ୟ କରି ନ ପାରେ । ଭାବି ଯୁଦ୍ଧର ଆଶଙ୍କା ଚାହୁଁଛି ଯେ ନାରୀ ଏପରି ଶିକ୍ଷିତା ହୁଅନ୍ତୁ ଯେ, ପୁରୁଷ ଯୁଦ୍ଧରେ ଅଗ୍ରସର ହେଲେ ନାରୀ ତାଙ୍କର ସ୍ଥାନ ପୂରଣ କରିବ ।

 

୧୯୩୦ ଏବଂ ୧୯୩୩ ମଧ୍ୟରେ ରୁଷ୍‌ ଦେଶରେ ବିଭିନ୍ନ କାରଖାନାରେ ପ୍ରାୟ କୋଡ଼ିଏ ଲକ୍ଷ ନାରୀ ନିଯୁକ୍ତ ଅଛନ୍ତି । କମ୍ୟୁନିଷ୍ଟ ଦଳରେ ପାଞ୍ଚ ଲକ୍ଷ ନାରୀ ସଭ୍ୟା ଅଛନ୍ତି । ଦୋକାନରେ ସତୁରି ହଜାର ନାରୀ କାମ କରୁଛନ୍ତି ଏବଂ ତିନି ଲକ୍ଷ ପଚାଶ ହଜାର ସରକାରୀ କର୍ମଚାରୀ ଅଛନ୍ତି । ସୋଭିଏଟ୍‌ ରୁଷିଆରେ ନାରୀ ନର ସହ ଶିକ୍ଷା ପାଆନ୍ତି । ବିଶ୍ୱବିଦ୍ୟାଳୟର ଉଚ୍ଚତମ ଚିକିତ୍ସା ଓ ବିଜ୍ଞାନ ମନ୍ଦିରମାନଙ୍କରେ ଚାରିଭାଗରୁ ତିନିଭାଗ ନାରୀ ଛାତ୍ରୀ ଏବଂ ଅନେକ କ୍ଷେତ୍ରରେ ନାରୀମାନେ ପୁରୁଷମାନଙ୍କ ଅପେକ୍ଷା ଅଧିକ ଦକ୍ଷତାର ପରିଚୟ ଦେଇ ଅଛନ୍ତି ।

 

ଜର୍ମାନୀ

 

ଜର୍ମାନୀରେ ନାରୀଙ୍କ ପ୍ରତି ସ୍ୱତନ୍ତ୍ରତାର ମୂଲ୍ୟ ପୃଥକ୍‌ । ସେମାନେ ଗୃହଜୀବନକୁ ଭଲ ପାଆନ୍ତି । କେତେକ ସ୍ତ୍ରୀ ଲୋକ ତାଙ୍କର ସ୍ୱାଧୀନ ଜୀବନ ଗଠନ କରିବାକୁ ଚେଷ୍ଟା କରି ଅକୃତୀ ହୋଇଛନ୍ତି; କାରଣ ଯୁଦ୍ଧ ପରେ ଜର୍ମାନୀରେ ଜୀବିକା ଅର୍ଜନ କରିବା ବଡ଼ କଷ୍ଟକର ହୋଇଛି । ନାରୀମାନେ ବିବାହ କରିବା ଇଚ୍ଛା ଥିଲେ ମଧ୍ୟ ଏପରି ପୁରୁଷ ପାଉ ନାହାନ୍ତି ଯେ କି ତାଙ୍କର ଗ୍ରାସାଚ୍ଛାଦନ ଚଳାଇ ପାରିବେ । ହୁଏ ତ ଅନେକ ବିବାହିତା ସ୍ତ୍ରୀ ସେମାନଙ୍କର ବେକାର ସ୍ୱାମୀମାନଙ୍କୁ ପ୍ରତିପୋଷଣ କରିବାକୁ ବାଧ୍ୟ ହେଉ ଅଛନ୍ତି । ବଡ଼ ବଡ଼ ସହରମାନଙ୍କରେ ପାରିବାରିକ ଜୀବନ ବଡ଼ ବିପଦାପନ୍ନ ହେଉଅଛି । ଅଭାବରେ ବହୁ ସଂଖ୍ୟକ ସ୍ତ୍ରୀ ପଥର ଭିଖାରୁଣୀ ହେଉଛନ୍ତି । ସେଠାର ରାଷ୍ଟ୍ରପତି ହିଟ୍‌ଲର ନାରୀମାନଙ୍କୁ ଗୃହ ଏବଂ ସ୍ୱାମୀ ଆଶା ଦେଉଅଛନ୍ତି । ନାରୀମାନେ ଚାରିଆଡ଼ୁ ବିବ୍ରତ ହୋଇ ଅଜ୍ଞାତ କଣ୍ଟକ ପୂର୍ଣ୍ଣ ନୂତନ ପଥରେ ଚାଲିବା ଛାଡ଼ି ନିରାପଦରେ ରହିବା ସକାଶେ ଚାହୁଁଛନ୍ତି । ବର୍ତ୍ତମାନ ଜର୍ମାନୀରେ ନାରୀମାନଙ୍କର ରାଜନୀତିରେ ସ୍ଥାନ ନାହିଁ । ନାଜିମାନଙ୍କ ମତ ହେଉଛି, ‘‘ପୁରୁଷଙ୍କ କାର୍ଯ୍ୟରେ ନାରୀମାନେ ପ୍ରତିଯୋଗୀ ହେବାପାଇଁ ଚେଷ୍ଟା କରିବା ଉଚିତ ନୁହେଁ । ନାରୀମାନଙ୍କର ଜୀବନର ମହତ୍ତମ କାର୍ଯ୍ୟ ତାଙ୍କର ମାତୃତ୍ୱ । ସୁତରାଂ ସେମାନେ ଯେଉଁ କାର୍ଯ୍ୟ ସକାଶେ ଉପଯୋଗୀ ନୁହନ୍ତି ସେପରି କାର୍ଯ୍ୟ ଗ୍ରହଣ କରିବାଦ୍ୱାରା ଜର୍ମାନୀ ଜାତିକୁ କ୍ରମଶଃ ଦୁର୍ବଳ କରୁଅଛନ୍ତି । ବିବାହ ଦ୍ୱାରା ଏବଂ ବଡ଼ ବଡ଼ ସହରରୁ ଯାଇଁ କୃଷି ଅନୁଷ୍ଠାନମାନଙ୍କରେ ରହିବାଦ୍ୱାରା ସେମାନେ ଗୋଟିଏ ପବିତ୍ର ନୂତନ ଜର୍ମାନୀ ଜାତି ତିୟାର କରନ୍ତୁ ।’’ ହିଟ୍‌ଲର ଜର୍ମାନ ରାଜତନ୍ତ୍ରରେ ପ୍ରାଧାନ୍ୟ ଲାଭ କରିବା ଦିନୁଁ ସହସ୍ର ସହସ୍ର ନାରୀ ପରିଶ୍ରମସାପେକ୍ଷ ଜୀବିକାମାନ ଛାଡ଼ିଦେଇଛନ୍ତି । ବିବାହର ଉପଯୋଗୀ ହେବା ନିମିତ୍ତ ଗୃହର ଆବଶ୍ୟକୀୟ ଦ୍ରବ୍ୟ ସରକାରଙ୍କଠାରୁ ଲାଭ କରୁଅଛନ୍ତି ।

 

ଇଟାଲୀ

 

ଇଟାଲୀରେ ଲୋକେ ସ୍ୱାଧୀନତା ପ୍ରୟାସିନୀ ନାରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖନ୍ତି । ବିଶ୍ୱବିଦ୍ୟାଳୟ ଓ ବ୍ୟବସାୟ କ୍ଷେତ୍ର ସ୍ତ୍ରୀମାନଙ୍କ ପ୍ରତି ଆଇନ ଦ୍ୱାରା ବନ୍ଦ କରା ନ ଗଲେ ସୁଦ୍ଧା ପ୍ରଚଳିତ ପ୍ରଥା ଏବଂ ଅଳ୍ପ ବୟସରେ ବିବାହ, ଇଟାଲୀର ନାରୀଙ୍କୁ ମୁଖ୍ୟତଃ ଗୃହସ୍ଥ-ଧର୍ମ ଶିକ୍ଷା ଦେଉଛି । ଇଟାଲୀରେ ନାରୀମାନେ ଏକା ହୋଇ ଅଭିନୟ ଦେଖିବାକୁ ଯାନ୍ତି ନାହିଁ ଏବଂ ଦକ୍ଷିଣ ଇଟାଲୀରେ ପୁରୁଷମାନେ ଗର୍ବ କରନ୍ତି ଯେ ସେମାନେ ନାରୀମାନଙ୍କର ଖୁବ୍‌ ଯତ୍ନ ନିଅନ୍ତି । ଇଟାଲୀରେ କେତେକ ନାରୀ କଳ କାରଖାନାରେ କାର୍ଯ୍ୟ କରନ୍ତି ଏବଂ ସରକାରୀ ଅମଲା ଭାବରେ ଜୀବିକାର୍ଜ୍ଜନ କରନ୍ତି, କିନ୍ତୁ ସେମାନଙ୍କ ସଂଖ୍ୟା କମ୍‌ । ଇଟାଲୀରେ ଅର୍ଥନୀତି କି ରାଜନୀତି ଦିଗରୁ ନାରୀମାନଙ୍କର ସ୍ୱାତନ୍ତ୍ର୍ୟଆଦର୍ଶକୁ ଲୋକେ କୋପ ଦୃଷ୍ଟିରେ ଦେଖିଥାନ୍ତି । ଇଟାଲୀୟ ନାରୀ ଆଧୁନିକ ଶିକ୍ଷାର ସୁବିଧା ଚାହାନ୍ତି ଏବଂ ବ୍ୟକ୍ତିଗତ ଦାୟିତ୍ୱର ଭାବ ବେଶ୍‌ ବୁଝନ୍ତି ଏବଂ ସେମାନେ ନାନାବିଧ ପୁରୁଷସୁଲଭ ବ୍ୟାୟାମ ଓ ଖେଳ ପ୍ରତି ଆଗ୍ରହାନ୍ୱିତା ଅଟନ୍ତି । ଏହି ସବୁରୁ ଜଣାଯାଏ ଯେ ଇଟାଲୀୟ ନାରୀମାନେ ସମୟର ପରିବର୍ତ୍ତନଦ୍ୱାରା ପରିଚାଳିତ ହୁଅନ୍ତି-। ସେଠାର ନାରୀମାନଙ୍କୁ ସ୍ୱତନ୍ତ୍ରତାର ଆଦର୍ଶ ବିଚଳିତ କରି ନାହିଁ । ତାଙ୍କର ପୂର୍ବ ପ୍ରଚଳିତ ପାରିବାରିକ ବନ୍ଧନ ଓ ଶୃଙ୍ଖଳାକୁ ସେମାନେ ସ୍ଥିର ରଖିବା ସପକ୍ଷରେ । ସ୍ତ୍ରୀମାନେ ସର୍ବଦା ତାଙ୍କର ହୃଦୟର ଉତ୍କର୍ଷ ସାଧନ କରିବାକୁ ସଚେଷ୍ଟ ।
 

ଇଟାଲୀ ଏବଂ ଜର୍ମାନୀରେ ନାରୀମାନେ ଗୃହିଣୀରୂପେ ନିଜର ଜ୍ୟୋତିଃ ବିକାଶ କରିବାକୁ ଚାହାନ୍ତି ଏବଂ ସେମାନଙ୍କର ସ୍ୱାମୀମାନଙ୍କୁ ଦେଶସେବା ଓ ଦେଶର ନାନା ହିତକର କାର୍ଯ୍ୟ କରିବାକୁ ପ୍ରେରଣା ଦିଅନ୍ତି । ସ୍ଥୂଳତଃ ସେମାନେ ପୁରୁଷମାନଙ୍କ ସହିତ ଏକ କ୍ଷେତ୍ରରେ କାର୍ଯ୍ୟ କରିବାକୁ କିମ୍ୱା ସର୍ବପ୍ରକାର ରାଜନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ ପ୍ରତିଯୋଗିନୀ ହେବାକୁ ଚାହାନ୍ତି ନାହିଁ ବରଂ ପୁରୁଷଠାରୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରି ପୁରୁଷର ସହାୟତା କରିବାକୁ ଚାହାନ୍ତି । ଏହି ଉଭୟ ଦେଶରେ ମାତୃତ୍ୱ ନାରୀର ଚରମ ଲକ୍ଷ୍ୟ ବୋଲି ଧରାଯାଇପାରେ । ପକ୍ଷାନ୍ତରେ ରୁଷିଆରେ ନାରୀମାନେ ସାମାଜିକ, ରାଜନୈତିକ ଏବଂ ଆର୍ଥିକ କ୍ଷେତ୍ରରେ ନିଜର ଭାଗ୍ୟନିୟନ୍ତ୍ରୀ ହେବାକୁ ଚାହାନ୍ତି । ପୁରୁଷ ସଙ୍ଗେ ସମକକ୍ଷ ହୋଇ ଜାତିର ସର୍ବବିଧ ଉନ୍ନତିବିଧାୟକ କ୍ଷେତ୍ରରେ ପୁରୁଷର ସହଯୋଗିନୀ ହେବାକୁ ଚାହାନ୍ତି । ସେଠାରେ ପୁରୁଷ ନାରୀର ମିଳନ ଗତାନୁଗତିକ ନିୟମରେ ଚାଳିତ ନ ହୋଇ ଏକ ସ୍ୱାଧୀନ ବିଷୟ ରୂପେ ପରିଚାଳିତ ହୁଏ ।

Image

 

ଭାରତୀୟ ନାରୀ ପ୍ରଗତି

 

ଅତୀତ ଭାରତବର୍ଷରେ ନାରୀମାନଙ୍କର ଅବସ୍ଥା ଯେ ବର୍ତ୍ତମାନ ଭାରତୀୟ ନାରୀ ପରିସ୍ଥିତିଠାରୁ ବହୁ ଗୁଣରେ ଉନ୍ନତ ଥିଲା, ତାହା ଦେଶର ଅଧିକାଂଶ ଲୋକେ ଜାଣନ୍ତି । ବୈଦିକ ଯୁଗରେ ନାରୀମାନଙ୍କର ଅବସ୍ଥା ଏତେ ଉନ୍ନତ ଥିଲା ଯେ ସେମାନଙ୍କୁ ଗୋଟାଏ ବିଶେଷ ବିଧି ନିଷେଧର ବେଢ଼ା ଭିତରେ ରଖା ଯାଇ ନ ଥିଲା । ସେମାନେ ପୁରୁଷର ସକଳ କାର୍ଯ୍ୟରେ, ଧର୍ମ ନିୟମାଦିରେ ଓ ଗୃହଚର୍ଯ୍ୟାରେ ଅର୍ଦ୍ଧାଙ୍ଗିନୀ ତୁଲ୍ୟ ବିବେଚିତ ହେଉଥିଲେ । ନାରୀମାନଙ୍କର ଜୀବନଧାରା ସେହି କାଳରେ ଗୋଟିଏ ସହଜ ପ୍ରବାହମାନ ନଦୀସ୍ରୋତ ଭଳି ଅବାଧରେ ବହି ଯାଉଥିଲା । ବିବାହ ସେହି ସମୟରେ ନାରୀପାଇଁ ଗୋଟିଏ ବାଧ୍ୟବାଧକତା ମୂଳକ ପ୍ରଥାରୂପେ ଗଣ୍ୟ ହେଉ ନ ଥିଲା । ଜୀବନର ସୁଉଚ୍ଚ ଅଭିଳାଷ ଓ ଧେୟଲାଭ ଦିଗରେ ନାରୀ ସମାଜରେ ସମ୍ପୂର୍ଣ୍ଣ ସ୍ୱରାଜର ଆନନ୍ଦମୟ ଜୀବନ ଉପଲବ୍ଧି କରି ପାରୁଥିଲା

 

ଯୁଗ । ବୈଦିକଯୁଗରେ ନାରୀର ଯାଯାବର ଜୀବନଧାରା ପୁରାଣଯୁଗରେ ଅଳ୍ପ ବାଧା ପାଇଲା ଭଳି ବୋଧହୁଏ । ତଥାପି ପୁରାଣରେ ନାରୀଜାତିକୁ ଯେପରି ଭାବରେ ବର୍ଣ୍ଣନା କରାଯାଇଛି, ତାହା ନାରୀଜାତି ପ୍ରତି ଶ୍ଳାଘାକର ଏହା ନିଃସନ୍ଦେହରେ କୁହାଯାଇପାରେ । ନାରୀକୁ କେନ୍ଦ୍ରକରି ଗୋଟାଏ ଗୋଟାଏ ଜାତିର ଉତ୍‍ଥାନ ପତନ ହୋଇଛି । ଗୋଟାଏ ଗୋଟାଏ ସମାଜ ବର୍ଦ୍ଧିଷ୍ଣୁ ହୋଇ ଅପରୂପ ସଭ୍ୟତାର ମୂଳ ଭିତ୍ତି ମଧ୍ୟ ପତନ କରି ପାରିଥିଲା । ପୁରୁଷ ଜୀବନରେ ନାରୀର ସମ୍ୱନ୍ଧ ସେହି ସମୟରେ ଏପରି ଅଚ୍ଛେଦ୍ୟ ଯେ, ଧର୍ମ, ଅର୍ଥ, କାମ, ମୋକ୍ଷ ପ୍ରଭୃତି ଚତୁର୍ବର୍ଗର ସିଦ୍ଧିଲାଭ ନାରୀକୁ ଛାଡ଼ି ହୋଇ ପାରୁ ନ ଥିଲା । ହିନ୍ଦୁର ଚତୁରାଶ୍ରମରେ ମଧ୍ୟ ନାରୀ ନିତାନ୍ତ ଅପରିହାର୍ଯ୍ୟ ବିଷୟ ହୋଇ ରହିଥିବାର ପ୍ରମାଣ ମିଳେ । ନାରୀର ବିଶ୍ୱରୂପ ଆମ୍ଭେମାନେ ଯେପରି ପୁରାଣଯୁଗର ମୁକୁରରେ ପ୍ରତିଫଳିତ ଥିବାର ଦେଖିବାକୁ ପାଉଁ । ସେହି ସମୟର ହିନ୍ଦୁସମାଜ ଯେଉଁ ନାରୀକୁ ତିଆର କରିଥିଲା, ସେ ନାରୀ ଜଗଦମ୍ୱାଙ୍କର ପ୍ରତୀକ—ଯୁଦ୍ଧରେ, ଶାନ୍ତିରେ, ଗୃହରେ, ଅରଣ୍ୟରେ, ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ, ଅଳକାପୁରୀର ପ୍ରତ୍ୟେକ ପ୍ରକୋଷ୍ଠରେ, ସପ୍ତମ ସ୍ୱର୍ଗର ସମସ୍ତ ଲୋକରେ, ସ୍ଥାବର ଜଙ୍ଗମାତ୍ମିକ ଏହି ଦୃଶ୍ୟମାନ ପୃଥିବୀର ପ୍ରତ୍ୟେକ କ୍ଷେତ୍ରରେ—ଲୋକସମାଜର ଜୀବନର ସ୍ପନ୍ଦନ ମଳରେ ଆମ୍ଭେମାନେ ଦେଖୁଁ ନାରୀର ଭୁବନେଶ୍ୱରୀ ରୂପ । ନାରୀଜାତିର ବିକାଶ ସେହି କାରଣରୁ ରାମାୟଣ ଓ ମହାଭାରତୀୟ ସମାଜମାନଙ୍କୁ ଗୋଟିଏ ଅପୂର୍ବ—ସ୍ୱୟଂପରିପୂର୍ଣ୍ଣ ଛନ୍ଦ ଦେଇଛି । ସେଥିଯୋଗୁଁ ପୁରାଣଯୁଗ ଆଜି ପର୍ଯ୍ୟନ୍ତ, ଆମ୍ଭମାନଙ୍କର ବିସ୍ମୟ ଓ ଶ୍ରଦ୍ଧା ଆକର୍ଷଣ କରେ ।

 

ସେଇଠୁ ନାରୀର ଆଉ ଗୋଟିଏ ପ୍ରକାର ପରିସ୍ଥିତି ବୌଦ୍ଧଯୁଗରେ ଦେଖିବାକୁ ମିଳେ । ନାରୀର ପୂର୍ବରୁ ସେ ସ୍ଥାନ ସେତେବେଳକୁ ନ ଥିଲା, ସେ ଐଶ୍ୱର୍ଯ୍ୟ ନ ଥିଲା । ତାର ଜ୍ଞାନ, ଶିକ୍ଷା ଦୀକ୍ଷା, ସ୍ୱାଧୀନ ଧାର୍ମିକ ମନୋବୃତ୍ତିକୁ ସେତେବେଳକୁ ସେ ଅନେକ ପରିମାଣରେ ହରାଇ ବସିଥିଲା । ହୃତଗୌରବିଣୀ ନାରୀ ଅଚେତନ ଭାବରେ ସେତେବେଳକୁ ପୁରୁଷ ନିକଟରେ କ୍ରୀତଦାସୀତ୍ୱ ସ୍ୱୀକାର କରି ସାରିଅଛି । ନାରୀର ସମ୍ମାନ କିନ୍ତୁ ସେ ସମୟରେ ସୁଦ୍ଧା ଦେଉଳିଆ ହୋଇ ଯାଇ ନଥିଲା । ମହାପୁରୁଷ ବୁଦ୍ଧଦେବଙ୍କର ଅନିଚ୍ଛା ସହିତ ନାରୀମାନଙ୍କୁ ସ୍ୱୀୟ ଧର୍ମଦୀକ୍ଷା ଦେବାରୁ ଏହାର ପ୍ରମାଣ ମିଳେ । ନାରୀର ସେହି ପତନଯୁଗରେ ମଧ୍ୟ ନାରୀ ଋଷିତ୍ୱ ଲାଭ କରିଛି, ସ୍ୱୟଂବରା ହୋଇଛି, ସନ୍ନ୍ୟାସ ଗ୍ରହଣ କରିବାର ଅଧିକାରରୁ ସମାଜ ତାକୁ ବଞ୍ଚିତ କରି ନାହିଁ । ଅବଗୁଣ୍ଠନର ଆବରଣ ତଳେ ସେହିକାଳ ପର୍ଯ୍ୟନ୍ତ ସୁଦ୍ଧା ସେ ଆତ୍ମଗୋପନ କରିବାର ପ୍ରୟାସ କରି ନାହିଁ । ଏ ସବୁ ସତ୍ତ୍ୱେ ସେ କିନ୍ତୁ ତାହାର ବୈଦିକ ଓ ପୁରାଣ ଯୁଗର ବିଭୂତି ହରାଇ ବସିଥିଲା—ଏ କଥା ନିଃସନ୍ଦେହ ।

 

ତା’ପରେ ମୁସଲମାନ ଯୁଗରେ ନାରୀର ଅବସ୍ଥା ଗୋଟାଏ ସମ୍ପ୍ରାଦାୟଗତ ସ୍ତରକୁ ଖସି ଆସିଥିଲା । ଆର୍ଯ୍ୟ—ଭାରତର ପତନ ହୋଇଯିବାରୁ ହିନ୍ଦୁ ଧର୍ମର, ହିନ୍ଦୁ ସମାଜର ସେତେବେଳେ ଜୀବନ ମରଣ ସମସ୍ୟା ଉପସ୍ଥିତ ହୋଇଥିଲା । ଧର୍ମ ଉପରେ ଯେଉଁ ବିଷମ ଧକ୍କା ବାଜିଲା, ତାହାରି ଅବଶ୍ୟମ୍ଭାବୀ ଫଳରୁ ଭାରତୀୟ ହିନ୍ଦୁ ନାରୀମାନଙ୍କର ଦୁର୍ଦ୍ଦଶା ଶୋଚନୀୟ ହୋଇଉଠିଲା-। ମୁସଲମାନ କର୍ତ୍ତୃକ ନାରୀ ହରଣ, ନାରୀ ଧର୍ଷଣ, ଜବରଦସ୍ତି ଧର୍ମାନ୍ତର ଗ୍ରହଣ କରାଇବା ସ୍ରୋତ ସୁଦୀର୍ଘ ବାରଶହ ବର୍ଷ ଧରି ଚାଲିଲା ଓ ତାହାରି ପ୍ରତିକ୍ରିୟାର ବିଷତକ ଆକଣ୍ଠ ପାନ କରିବାର ଏକାକୀ ଦାୟିତ୍ୱ ବହନ କଲା ଭାରତୀୟ ନାରୀ ସମାଜ ! ବାଲ୍ୟବିବାହ ଜବରଦସ୍ତି ସତୀଦାହର ଅମାନୁଷିକ ପ୍ରଥା, ଅନିଚ୍ଛୁକ ବୈଧବ୍ୟ ବ୍ରତଦ୍ୱାରା ଧର୍ମ ରକ୍ଷା, ଗଙ୍ଗାସାଗରରେ ସନ୍ତାନ ବଳୀ ଦେଇ ସ୍ୱର୍ଗ ଗମନର ସ୍ୱପ୍ନ—ଏ ସମସ୍ତ ପ୍ରଥା ଧର୍ମର ଛଦ୍ମବେଶ ଧରି ନାରୀଜାତିକୁ ଓ ହିନ୍ଦୁ ଭାରତୀୟ ସମାଜକୁ ଅଧଃପତନର ଚରମ ଶିଖରକୁ ଟାଣି ଆଣିଥିଲା ।

 

ହିନ୍ଦୁ ନାରୀର ଚରମ ଦୁର୍ଯ୍ୟୋଗ କାଳରେ ଇଂରେଜ ରାଜତ୍ୱର ପ୍ରାରମ୍ଭ । ଇଂରାଜ ରାଜତ୍ୱର ପ୍ରତିଷ୍ଠା ସମୟରେ ସମାଜର ଅତ୍ୟାଚାର କବଳରୁ ନାରୀରକ୍ଷା ପାଇଲା ସତ୍ୟ; କିନ୍ତୁ ତା’ର ବିଗତ ଯୁଗର ସେହି ସ୍ୱର୍ଣ୍ଣମୟ ଇତିହାସ ତା’ର ଜୀବନରେ ଆଉ ଅଭିନୀତ ହେବାର ସମ୍ଭାବନା ରହି ନ ଥିଲା । ପରାଧୀନତା ଉପରେ ପରାଧୀନତାର ଚାପ ପଡ଼ିବାରୁ ଭାରତୀୟ ଜାତି କ୍ରମେ କ୍ରମେ ମୁମୂର୍ଷୁ ପ୍ରାୟ ହୋଇଗଲା । ନାରୀ ମଧ୍ୟ ଅନ୍ୟ ଦିଗରେ ସେହି ଅନୁପାତରେ ତା’ର ସ୍ୱାଭାବିକ ଜୀବନର ଛନ୍ଦ ହରାଇ ବସିଲା । ଶିକ୍ଷା ସେ ପାଇଲା—ସମୁଦ୍ରକୁ ଶଙ୍ଖେ ପାଣି ଅନୁପାତରେ, ତାହାର ସମ୍ମାନ ରକ୍ଷାର ବ୍ୟବସ୍ଥା ଆଇନ ଦ୍ୱାରା ସୁପ୍ରତିଷ୍ଠିତ ହେଲା, ସହମରଣ ପ୍ରଥାର ବିଭୀଷିକା ଆଇନ ବନ୍ଦ କରିଦେଲା, ସବୁ ହେଲା, କିନ୍ତୁ ନାରୀ ସେହିଦିନୁଁ ରହିଛି ଯେଉଁ ତିମିରେ ସେହି ତିମିରେ ! ଶିକ୍ଷାର ଆଲୋକ କ୍ରମଶଃ ପ୍ରବେଶ କରିବା ସାଙ୍ଗେ ସାଙ୍ଗେ ତା’ ଦେହରେ ପଶ୍ଚିମ ସମୁଦ୍ରଆଡ଼ୁ ବହି ଆସୁଥିବା ପବନ ବାଜିଲା । ତା’ର ମୂର୍ଚ୍ଛିତ ଆତ୍ମା ସଜୀବ ହୋଇଉଠିଲା, ସଚକିତ ହୋଇ ସେ ଆଜି ବିଂଶ ଶତାବ୍ଦୀର ପ୍ରାଥମିକ କାଳରେ ସେ ନିଜକୁ ଚାହୁଁଛି, ଚିହ୍ନିପାରୁ ନାହିଁ । ପୃଥିବୀର ନାରୀଙ୍କଠାରୁ ସେ ବିଚ୍ଛିନ୍ନ,—ସେ ଶୁଣି ଆସିଛି, ସେ ପୃଥିବୀର ସବୁ ନାରୀଙ୍କଠାରୁ ବଡ଼, ତା’ର ଶ୍ରେଷ୍ଠତା ଆଦର୍ଶ କେଉଁ ଜାତିର ନାରୀଙ୍କର ନାହିଁ । ଶୁଣା କଥାକୁ ମିଳେଇ ସେ ବାସ୍ତବତାର ବଟକରାରେ ଓଜନ କରି ଦେଖୁଅଛି—କି ଆକାଶ ପାତାଳ ପାର୍ଥକ୍ୟ ! ଦୁର୍ବଳ ରିକ୍ତ ନାରୀତ୍ୱର କି ଅବଦାନ ନେଇ ସେ ଆଜି ପୃଥିବୀର ନାରୀ ପଞ୍ଚାୟତ (Inter-National Women’s League)ରେ ବଡ଼ିମା କରିବ ? ଯୁଗ ଯୁଗର ମୂର୍ଖତା, ଅନ୍ଧ-କୁସଂସ୍କାର, ଅର୍ଥହୀନ, ଅହେତୁକ ଲଜ୍ଜାର ଭୂଷଣ ନେଇ ସେ କ’ଣ ବୋଲି ପୃଥିବୀର ସମବେତ ଭଗିନୀଗଣଙ୍କୁ ସମ୍ୱୋଧନ କରିବ ? ତା’ ମନର ପୁଞ୍ଜିଭୂତ ଅଭିଯୋଗ ପ୍ରକାଶ କରିବାର ଭାଷା ତାହାର ନାହିଁ । ସେ ଭାବର ଅର୍ଥ ମଧ୍ୟ ତାକୁ ଅବୋଧ୍ୟ ।

 

ସନାତନୀମାନେ ଯେତେବେଳେ ଧର୍ମର ଛଦ୍ମପତାକା ଉଡ଼ାଇ ସ୍ୱାର୍ଥସିଦ୍ଧି ଭାଣରେ ରାଜନୀତିର ମସ୍‌ନଦରେ ବସନ୍ତି, କି ବସିବାର ପ୍ରୟାସ କରନ୍ତି, ସେତେବେଳେ ନାରୀର ପ୍ରମାଦ ସବୁଠାରୁ ବଳିଯାଏ । ବର୍ତ୍ତମାନ ତାହାହିଁ ହୋଇଛି । ନାରୀ ଜୀବନରେ ସୂର୍ଯ୍ୟାଲୋକ ପ୍ରବେଶ କରିବାର ଯେତେଗୁଡ଼ିଏ ବାତାୟନ ଅଛି, ସେହି ସବୁକୁ ସଂହିତାକାରଙ୍କ ବିଧି ନିଷେଧରୁ ଆଇନର କିଳିଣିରେ କିଳି ନ ଦେଲେ ଜାତିର ‘ସ୍ୱରାଜ୍ୟଲାଭ’ ଅସମ୍ଭବ ବୋଲି ମନୁ ପରାଶରଙ୍କର ‘ଆଧୁନିକ ସଂସ୍କରଣମାନେ’ କହୁଛନ୍ତି । ବିଦେଶୀ ସରକାର ଯଦିଓ ଶାନ୍ତିରକ୍ଷା ମାନସରେ ମହାରାଣୀଙ୍କ ଘୋଷଣାକୁ ନ ଅନାଇ ଅର୍ଡ଼ିନାନ୍‌ସ ବା ବିପଦକାଳୀନ ଆଇନ ତିୟାର କରି ପାରୁଥିବାର ପ୍ରମାଣ ପାଇଛୁଁ, ତଥାପି ନାରୀ ପ୍ରସଙ୍ଗରେ ତାଙ୍କର ନିଃସ୍ପୃହ ବୈରାଗ୍ୟ ଦେଖି ଆଶ୍ଚର୍ଯ୍ୟ ହେବାକୁ ହୁଏ ଓ ସରକାର ଯେ ଏ ଦେଶର ସାମାଜିକ ତଥା ରାଜନୈତିକ ଉନ୍ନତି ବିଷୟରେ ଉଦାସୀନ ଏହି କଥା ଜଣାପଡ଼େ । ନାରୀଶିକ୍ଷା ଦିଗରେ ସରକାରଙ୍କ ନୀତି ଯେପରି, ବାଲ୍ୟବିବାହ ସମ୍ପର୍କରେ ସେହିପରି-। ଯଦିଓ ମୁଡିମ୍ୟାନ କମିଟିଙ୍କ କୃପାରୁ ନାରୀ ଭୋଟର ହୋଇପାରିଛି, ଆଜି ଶିକ୍ଷାହୀନତା ଓ ସମ୍ପତ୍ତି-ଅନଧିକାର ହେତୁ ସେ ତାହା ମଧ୍ୟ ଦେଶସମ୍ପର୍କରେ ପ୍ରୟୋଗ କରିବା ଅସମ୍ଭବ ଦିଶୁଛି । ସାଧାରଣ ଶିକ୍ଷା ଓ ଜ୍ଞାନ ଅଭାବରୁ ସେ ଓ ତା’ର ଶିଶୁ ଆଜି ମହାମାରୀର ପ୍ରିୟତମ ଖାଦ୍ୟ ହୋଇ ପାରିଛନ୍ତି । ଏଣେ ତାଙ୍କର ଧୈର୍ଯ୍ୟ, କଷ୍ଟସହନଶୀଳତା ଓ ଜବରଦସ୍ତି ବୈଧବ୍ୟ ଓ ବାଲ୍ୟବିବାହଗତ ସତୀତ୍ୱର ବାହାଦୂରୀ ନେଇ ଯେ ସାହିତ୍ୟ, ଯେ କାବ୍ୟ, ଯେ ଚିତ୍ରଦ୍ୱାରା ସମାଜ ସେମାନଙ୍କୁ ବଞ୍ଚନାଦ୍ୱାରା ତାଙ୍କୁ ୧୪୪ ଜାରି କରାଇ ରଖାଇଅଛି, ତାହା ସେମାନେ ନିଜେ ବୁଝି ମଧ୍ୟ ବୁଝିପାରି ନାହାନ୍ତି ।

 

ନାରୀର ଆତ୍ମାର ସୌରଭ ଉଡ଼ି ଯାଉଛି, ତାହାର ବାହ୍ୟରୂପ ନେଇ ପୁରୁଷ ତାହାର ସ୍ତାବକ ହୋଇ ତାକୁ ନିବେଦନ କରୁଛି—‘‘ତୁମେ କି ସୁନ୍ଦର ।’’ ଏଥିରେ ନାରୀ ଆତ୍ମହରା ହୋଇ ନିଜର ଶ୍ରେୟର ପଥରେ ମୂଳରୁ କଣ୍ଟକ ରୋପି ଦେଉଅଛି । ଆପାତ ପ୍ରେୟ କେବଳ ତା’ର କାମନାର ବସ୍ତୁ ହୋଇ ପଡ଼ୁଅଛି ।

 

ଜାତୀୟ ପରାଧୀନତା ମଧ୍ୟ ନାରୀର ଦୁର୍ଦ୍ଦଶାର କାରଣ ବୋଲି କେତେକ ବଡ଼ ବଡ଼ ପଣ୍ଡିତ କହନ୍ତି । କିନ୍ତୁ ମନେ ହୁଏ, ନାରୀର ଦୁର୍ଦ୍ଦଶା ମଧ୍ୟ ଜାତୀୟଦୁର୍ଦ୍ଦଶାର ଗୋଟିଏ ବଡ଼ ଅର୍ଥପୂର୍ଣ୍ଣ କାରଣ । ନାରୀ ନିଜକୁ ଆଜି ନିଃସ୍ୱ କରି ସଂସାରରେ ରକ୍ତ ଢାଳି ଢାଳି ଚାଲୁଛି—ପ୍ରତିଦାନର ପ୍ରତୀକ୍ଷା ନ ରଖି । ତା’ର ଋଣରେ ସମାଜର ଋଣର ଭାର ବଢ଼ୁଛି ସତ୍ୟ, କିନ୍ତୁ ତାହାର ପରିଶୋଧ କଲା ଭଳି ମନୁଷ୍ୟତା ସମାଜର ନାହିଁ । ସେ ଉଦାରତା ମଧ୍ୟ ସେ ହରାଇ ବସିଛି । ଏ ଦେଶରେ ନାରୀ ଆନ୍ଦୋଳନ ଯେ ହେଉଛି, ତାହା ଦେଶର ଗାଁ ଗଣ୍ଡାର ସବୁ ସ୍ତରରେ ଆଜିପର୍ଯ୍ୟନ୍ତ ପଶି ପାରି ନାହିଁ—ସେଥିପାଇଁ ତ୍ୟାଗ କରିବାକୁ ଓ କାର୍ଯ୍ୟ କରିବାକୁ ଭାରତବର୍ଷରେ ଅଦ୍ୟାପି ସୁକନ୍ୟା ଜନ୍ମ ହୋଇନାହାନ୍ତି । ଯେତେଦିନ ପର୍ଯ୍ୟନ୍ତ ନାରୀ ଆନ୍ଦୋଳନ ଦେଶର ମୂର୍ଖ, ଦରିଦ୍ର, ଅଜ୍ଞ ନାରୀମାନଙ୍କ ଭିତରେ ପ୍ରଭାବ ବିସ୍ତାର କରି ନାହିଁ ଓ ସେଥିପାଇଁ ଦେଶର ଯୁବକମାନେ ଦମ୍ଭ ଧରି ଛିଡ଼ା ହୋଇ ପାରି ନାହାନ୍ତି, ସେତେଦିନ ପର୍ଯ୍ୟନ୍ତ ନାରୀର ଉଦ୍ଧାର ଆଶା ନାହିଁ ।

Image

 

ନାରୀତ୍ୱ

 

‘ସତୀତ୍ୱ’ ଓ ‘ନାରୀତ୍ୱ’ ଏହି ଦୁଇଟି ଯେପରି ଏକ ମାତୃଗର୍ଭଜାତ ଯମଜ ଭଗ୍ନୀ । ନାରୀର ଏହି ଗୁଣ ଦୁଇଟି ଯେପରି ତାହାର ସମ ଅଙ୍ଗ ସ୍ୱରୂପ ।

 

ସତୀନାରୀଠାରେ ନାରୀତ୍ୱର ଚରମ ବିକାଶ ଘଟିଥିବାର ସେମାନଙ୍କ ମହୀୟାନ୍‌ ଜୀବନଚରିତରୁ ପ୍ରମାଣ ମିଳେ । ପୁରୁଷର ଅନ୍ତଃ ଓ ବହିଃ ପ୍ରକୃତିର ପୌରୁଷମୟ ଚାରିତ୍ରିକ ଆଦର୍ଶ ଯେପରି ପ୍ରତିଭାକୁ ଆଶ୍ରୟ କରି ବିବୃଦ୍ଧ ହୋଇ ତାହାକୁ ପୁରୁଷୋତ୍ତମ କରାଏ, ସତୀ ସୁନ୍ଦରୀର ଅମ୍ଳାନ, ଶୋଭନ ଚାରିତ୍ରିକ ଆଦର୍ଶ ସେହି ଅନୁପାତରେ ବୃହତ୍ତର ନାରୀତ୍ୱକୁ ଆଶ୍ରୟ କରି ବିବର୍ଦ୍ଧମାନ ହୋଇ ତାହାକୁ ସୁମହତ୍‌ ଦେବୀତ୍ୱରେ ଉପନୀତ କରାଏ । ଏହା ଏକ ଅଖଣ୍ଡ ଆଦର୍ଶର ଦୁଇଟି ଦିଗ । ସେଥିଯୋଗେ ନାରୀତ୍ୱକୁ ଛାଡ଼ି ଯେ ସତୀତ୍ୱ, ସେ ଶୁଷ୍କନିଃସାର ସତୀତ୍ୱର ମୂଲ୍ୟ କପର୍ଦକ ନୁହେଁ । ସେହିପରି ସତୀତ୍ୱକୁ ବର୍ଜ୍ଜନ କରି ଯେ ଦୁର୍ବଳ ନାରୀତ୍ୱ ତା’ର ମୂଲ୍ୟ ମଧ୍ୟ କପର୍ଦକ ନୁହେଁ ।

 

ସତୀତ୍ୱର ଅର୍ଥ କ’ଣ ? ଅର୍ଥ—କେବଳ ତା’ର ବାହ୍ୟ ଯୌନ-ଶୁଚୀତ୍ୱ ନୁହେଁ, ଦେହ ନିରପେକ୍ଷ କିମ୍ୱା ଦୈହିକତାକୁ ପାର୍ଥିବତାକୁ ଅତିକ୍ରମ କରି ଯେ ନାରୀତ୍ୱର ସମଗ୍ରତା, ଓ ଅପାର୍ଥିବତା,—ନାରୀର ଶୁଭ ବୁଦ୍ଧିର ଓ କଲ୍ୟାଣ ଚିନ୍ତାର ବୃହତ୍ତମ ପରିମଣ୍ଡଳ ତାହାହିଁ । ସ୍ଥୂଳତଃ, ନାରୀତ୍ୱ ମାନେ ମନୁଷ୍ୟତ୍ୱ । ନାରୀତ୍ୱର ଉପାଧି ସଖୀତ୍ୱ, ମାତୃତ୍ୱ, ପତ୍ନୀତ୍ୱ, ଭଗିନୀତ୍ୱ, କନ୍ୟାତ୍ୱ, ପ୍ରଣୟିନୀତ୍ୱରେ । ସତ୍‌ପୁରୁଷ ନରୋତ୍ତମ,—ସତୀନାରୀଉତ୍ତମା । ନାରୀତ୍ୱର ପ୍ରତିଷ୍ଠା ହୃଦୟମର୍ମର ଶୁଭ୍ର ସ୍ୱଚ୍ଛ ବେଦୀକା ଉପରେ–ଅଥଚ ମନୀଷା ସହିତ ତା’ର ବୈମାତୃକ ସମ୍ୱନ୍ଧ ନାହିଁ; ଦୁଇଟି ଭାବ ପରସ୍ପର ସାପେକ୍ଷ; ସୁତରାଂ ‘ସତୀତ୍ୱ’ ସହିତରେ ‘ନାରୀତ୍ୱ’ର ସହୋଦରୀର ମଧୁର ସମ୍ୱନ୍ଧ ।

 

ସାଧାରଣତଃ ଆମ୍ଭେମାନେ ଦେଖୁଁ, ସମାଜର ବିଚାରର ସ୍ତର ଯେଉଁଠି, ଯେଉଁ ମାପକାଠିରେ ସେ ନାରୀର ବିଚାର କରି ବସେ, ସେ ବିଚାର ପଦ୍ଧତି ଅତ୍ୟନ୍ତ ସଂକୀର୍ଣ୍ଣ ଓ ଅସତ୍ୟ ଉପରେ ଭରା ଦେଇ ଛିଡ଼ା ହୋଇଅଛି ।

 

(କ)

ନାରୀପାଇଁ ଯେଉଁ ସବୁ ମାନ୍ଧାତା ଅମଳର ଆଇନ କାନୁନ ଓ ପ୍ରଥା ସୃଷ୍ଟି ହୋଇଅଛି, ସେ ସେହି ସବୁ ବାଧା ନିଷେଧର ତଥା ପ୍ରଥାଜାଲର ଗଣ୍ଡ ସୀମା ମଧ୍ୟରେ ରହି ତା’ର ପ୍ରାତ୍ୟହିକ ଜୀବନ ଅତିବାହିତ କରୁଛି କି ନା ।

 

 

(ଖ)

ସେ ବିବାହିତ ପୁରୁଷ ବ୍ୟତିରେକେ ଅନ୍ୟ ନିଃସମ୍ପର୍କୀୟ ପୁରୁଷ ସହିତ ମିଳାମିଶା କରେ କି ନା—କାର୍ଯ୍ୟକ୍ଷେତ୍ରରେ ହେଉ ବା ଅକାରଣରେ ହେଉ ।

 

ଯଦି ନାରୀ ଏହି ଦୁଇ ସୀମାବଦ୍ଧ ଗଣ୍ଡି ଭିତରେ ନିଜକୁ ଅତି ସତର୍କ ସନ୍ତର୍ପଣତା ସହିତ ଆବଦ୍ଧ ଭାବରେ ବଞ୍ଚାଇ ରଖି ପାରିବାରେ କୃତିତ୍ୱ ଅର୍ଜନ କଲା, ତେବେ ସମାଜ, ଗୃହ, ପରିବାରରେ ତା’ର ଜୟ ଜୟକାର । ଯଦି ତାହା ନ ହେଲା ତେବେ ଏ ଅଗ୍ନିପରୀକ୍ଷାରେ ଅକୃତୀ ହେଲେ ତା’ର ବିପରୀତ ଫଳ । ଏହି ମାପକାଠିରେ ମାପ ହୋଇ ନାରୀର ସତୀତ୍ୱ, ଭ୍ରଷ୍ଟାତ୍ୱ ସବୁ ବିଚାର ହୁଏ । ମୂଳତଃ ଏହି ବିଚାର ବିଭ୍ରାଟ ଆଜି ହିନ୍ଦୁ ସମାଜ, ହିନ୍ଦୁ ସଭ୍ୟତାକୁ ଆଣି ଧୂଳିମଳିନ ଏକ ଗ୍ଲାନିମୟ ପଥରେ ଅବହେଳାରେ ଫିଙ୍ଗି ଦେଇଛି । ସମାଜରେ ସେହି କାରଣରୁ ନାରୀର ବ୍ୟକ୍ତିତ୍ୱ ବା ନାରୀତ୍ୱ ଓ ନାରୀର ମନୁଷ୍ୟତ୍ୱ ବିକାଶ ପ୍ରାପ୍ତିରେ ବାଧା ଘଟୁଛି । ସେ ନିଜକୁ ସମାଜର ନିମ୍ନସ୍ତରର ଆଦର୍ଶ ଓ କ୍ଷୁଦ୍ରତମ ଛାଞ୍ଚର ନମୁନାରେ ସାମିଲ କରିବାକୁ ଯାଇ ନିଜେ କ୍ଷୁଦ୍ର ହୋଇଯାଇଛି । ତା’ଠାରେ ନା ଅଛି ସ୍ୱାଦ, ନା ଅଛି ସୌରଭ, ନା ଅଛି ପୁଣ୍ୟ, ନା ଅଛି ଶୁଚିତା, ନା ଅଛି ନାରୀତ୍ୱ । ଆଜି ବିଶ୍ୱର ଶ୍ରେଷ୍ଠ ସଭ୍ୟତା ଓ ଆଧ୍ୟାତ୍ମିକତାର ଉତ୍ତରଦାୟାଦିନୀ ଭାରତନାରୀ ଜାତୀୟ ସଭ୍ୟତାର ପତନ ସଙ୍ଗେ ସଙ୍ଗେ ଭାଗ୍ୟଦୋଷରେ ଦେଉଳିଆବତୀ ଜାଳି ବସିଛି—ଅମାବାସ୍ୟାର ଦୁର୍ଯ୍ୟୋଗ ରଜନୀର ସୂଚୀଭେଦ୍ୟ ତମସା ନିକଟରେ ଉପହାସର ପ୍ରତୀକ ରୂପରେ !

 

ନାରୀ ତେଲଘଣାରେ ଯୋଡ଼ା ଯାଇଥିବା ନଅଙ୍କ ବାଧିଥିବା ବଳଦ ପରି ଦିନ ନାହିଁ, ରାତି ନାହିଁ ଗତାନୁଗତ ଚକ୍ରରେ ‘ଚକା ଚକା ଭଉଁରୀ’ ଖେଳୁଛି, ଏ ଗଡ଼୍ଗଳିକା ପ୍ରବାହର ଇତି ନାହିଁ । ଏଣେ ଟିକେ ଘଣା ଶୀଥିଳ ହେଲେ ତୈଳକାରର ପାଞ୍ଚଣ ଛାଟ ନୃଶଂସ ଭାବରେ ତା’ର ସ୍ୱଧର୍ମ ପାଳନ କରି ଯାଉଛି । –ସେ ଏକ ମହାଭୈରବ ଭୋଗ—ଜନ୍ମ ଜନ୍ମାର୍ଜ୍ଜିତ ସଞ୍ଚିତ ପାପରାଶିର ତିଳ ତିଳ କରି ପ୍ରାୟଶ୍ଚିତକରଣ । ଯେଣେ ଚାହଁ ତେଣେ ଏହି ଘଣା ବୁଲୁଛି—ତା’ରି; କଦର୍ଯ୍ୟ ଶ୍ରୁତିକଟୁ ଶବ୍ଦ ଶୁଣି କବି ମୁଗ୍ଧ, ଭାବୁକ ପାଗଳ, କର୍ମୀ ପ୍ରେରଣା ପାଏ, ଦାର୍ଶନିକ ମାୟାସଂସାରର ଅନିତ୍ୟତା ଉପଲବ୍ଧି କରେ, ସଂସାରୀ କହେ ସାବାସ୍‌—ସମାଜ କହେ ‘ଏଇଥିପାଇଁ ତ ନାରୀସୃଷ୍ଟି’ । ଏହି ଘଣାରୁ ଯେତେ ମାଲ ଉପାର୍ଜ୍ଜନ ହେବ—ସେତେକ ଲାଭ କଷି ଦେଖିଲେ ଅଙ୍କର ସଂଖ୍ୟା ଯାହାର ଭାଗରେ ଯେତେ ବେଶୀ, ସେତେ ସେ ନାରୀ-ରୂପୀ ବଳଦର ପ୍ରଶଂସାରେ ଗଗନ ପବନ ମୁଖରିତ ହୋଇ ଉଠିବ ! ଦର୍ଶକ ଯେଣେ ମନଶ୍ଚକ୍ଷୁକୁ ବୁଲାଇବେ, ତେଣେ ଘଣାଟଣା ଦୃଶ୍ୟମାନ ଦେଖି ପାରିବେ । କିନ୍ତୁ ଘଣାରେ ସିନା ପଶୁ ଲାଗନ୍ତି —ଏଠି ଯେ ମନୁଷ୍ୟ ! ଏହି ଯାହା ନୂତନତ୍ୱ ! ଏହି କାରଣରୁ ନାରୀ ଆଜି ବିଂଶ ଶତାବ୍ଦୀର ମଧ୍ୟଭାଗରେ ରହି ଦୈହିକ ଓ ମାନସିକ ପଶୁତ୍ୱର ଗୋଟିଏ ବିଚିତ୍ର ଅନନୁଭବଗମ୍ୟସ୍ତରରେ ଉପନୀତ ହୋଇଛି । ତା’ର ଚିନ୍ତାର ବ୍ୟାପକତା, ବୁଦ୍ଧିର ପ୍ରାଖର୍ଯ୍ୟ ଓ ଚିତ୍ତର ଶୁଦ୍ଧତା ନଷ୍ଟ ହୋଇଅଛି । ବୈଦିକଯୁଗର ଆର୍ଯ୍ୟା ବ୍ରାହ୍ମଣୀ ଆଜି ଧର୍ମ ଓ ସଭ୍ୟତାର ପତନ ହେତୁ କଳିଯୁଗର ଶୂଦ୍ରାଣୀ ହୋଇଅଛି । ଏହାର କାରଣ ତା’ର ବିଦ୍ୟା ନାହିଁ–ଅବିଦ୍ୟା ଯେଉଁ ନାରୀତ୍ୱର ନିୟାମକ ସେଠାରେ ତ ନାରୀ ଶୂଦ୍ର ! ଅବିଦ୍ୟା ପରିଚାଳିତ ନାରୀତ୍ୱର ପ୍ରାକୃତ ଅର୍ଥ ଶୂଦ୍ରତ୍ୱ ।

 

ନାରୀପକ୍ଷରେ ମଧ୍ୟ ଉପନିଷଦର ସେହି ଉଦ୍ଦାତ୍ତ ବାଣୀ ‘‘ସତ୍ୟ ଶିବଂ ସୁନ୍ଦରମ୍‌’’ ‘‘ନାୟମାତ୍ମା ବଳହୀନେନ ଲଭ୍ୟଃ’’ ପ୍ରଯୋଜ୍ୟ । ନାରୀ ପ୍ରଥମେ ନାରୀତ୍ୱରେ ପ୍ରତିଷ୍ଠିତ ହେବ–ପରେ ଏହି ସ୍ତରରୁ ତା’ର ସତୀଲୋକକୁ ଅଭୟ ଅଭିଯାନ । କିନ୍ତୁ ଦୁର୍ବଳ, ଅଶକ୍ତ, ଅଜ୍ଞାନ, ମୂର୍ଖ ନାରୀ ‘‘ପ୍ରଳୟଙ୍କରୀ ନାରୀ ବୁଦ୍ଧି’’ ନେଇ ତମସାବୃତ ପଥ ବାହି ମଙ୍ଗଳ ଉଷାରୁଣିମାର ସ୍ନିଗ୍ଧରଶ୍ମି ଝଲକ କିପରି ଦେଖିପାରିବ ? ଉପାୟ ନାସ୍ତି । ସେ ତ ନିଜ ନିକଟରେ ନିଜେ ରହସ୍ୟ ହୋଇଛି । ଅଶ୍ରୁନିରୁଦ୍ଧ ଅନ୍ତରର ଅବଗୁଣ୍ଠିତ କୁଜ୍‌ଝଟୀ ଉଢ଼ାଳରେ ଅବଚେତନାର ବିଲୁପ୍ତି ଗହ୍ୱର ସନ୍ଧିରେ ରହି ସେ ଯେ ନିଜେ ନିଜର ଗୋପନ ଆତ୍ମାର ପରିଚୟ ପାଇ ନାହିଁ । ତା’ର ଉପାୟ କ’ଣ ? ସେ କେଉଁ ପାଥେୟ ଅବଲମ୍ୱନ କରି ତା’ର ଅନ୍ତରର ବିଧାତା ପୁରୁଷଙ୍କ ନିର୍ଦ୍ଦେଶିତ ଶାଶ୍ୱତ ପଥ ଆବିଷ୍କାର କରିବାପାଇଁ ଜୟଯାତ୍ରାରେ ବାହାରିବ ? ସେ କେଉଁଠୁ କି ଉପାୟରେ କି ପ୍ରକାରେ ତା’ର ଅପହୃତ ନାରୀତ୍ୱ ସମ୍ପତ୍ତି ଲାଭ କରିବ ? ସତୀତ୍ୱ ସିଦ୍ଧିର ଦୁର୍ଲ୍ଲଭ ସାଧିକା ହେବାର ମହତୀ ଗୌରବ ତା’ର କାହିଁ ? ବିଜୟିନୀ ହେବାର ସ୍ପର୍ଦ୍ଧା ତା’ର କାହିଁ ? ମ୍ୟୁନିସିପାଲିଟିର ଥାର୍ଡ଼କ୍ଲାସ ଝଟକା ଗାଡ଼ି ବା ବଗୀର କଙ୍କାଳଫୁଟା ଆଖିରେ ଅନ୍ଧପୁଟୁଳି ବନ୍ଧା ଘୋଡ଼ା ପରି ସେ ଖାଲି ସଂସାର, ସମାଜ ତଥା ସାରା ଦୁନିଆର ଜଞ୍ଜାଳ ବୋହି ବୋହି ଥକି ଯାଉଛି—ଅଙ୍ଗ କ୍ଳାନ୍ତିରେ ଅବଶ ହୋଇ ଭାଜି ପଡ଼ୁଅଛି; କିନ୍ତୁ ଶ୍ରାନ୍ତି ହରଣ କରିବାର ଅବସର ତାକୁ କିଏ ସେ ଦେବ ?

 

ଯେଉଁ ପ୍ରାଣୀର ଯେଉଁ ଜାତିର ଏଡ଼େ ଦୂରବସ୍ଥା ସେ ଜାତିର ପ୍ରାକ୍ତନ ଆଚାର୍ଯ୍ୟ ପୁରୁଷମାନେ—‘‘ନାରୀ ନରକସ୍ୟ ଦ୍ୱାରଂ’’ ‘‘ପଥି ନାରୀ ବିବର୍ଜ୍ଜିତା’’ ‘‘ଦିନ୍‍ ମେ ବାଘିନୀ ରାତମେ ଡାକିନୀ, ପଲକେ ପଲକେ ଲହୁ ଚୋଷେ, ଦୁନିଆ ସାରା ବାଉରା ହୋକେ, ଘର ଘର ବାଘିନୀ ପୋଷେ’’ ଇତ୍ୟାଦି ନାନା ପୟାର ତିଆର କରି ତା’ପାଇଁ ଚମତ୍କାର ବ୍ୟବସ୍ଥାମାନ କରିଯାଇ ଅଛନ୍ତି-। ଏପରି ଅବସ୍ଥାରେ ସମାଜରେ ନାରୀର ମହାର୍ହତା ସ୍ୱାଭାବିକ । ସତୀତ୍ୱର ପ୍ରସୂତୀ ନାରୀତ୍ୱ ଯେଉଁଠାରେ ଏତେ ବିରଳ, ସତୀତ୍ୱ ସେଠାରେ ଏତେ ନ ହେବା ମଧ୍ୟ ପ୍ରତ୍ୟାଶା କରାଯାଇ ପାରେ-। ନାରୀତ୍ୱ ବା ସତୀତ୍ୱ, ସାଧିକାନାରୀର ପରମାସିଦ୍ଧି । ଅବଶ୍ୟ Superman ବା ଅତି ମାନବୀୟତାର ପ୍ରତିଭା ନେଇ ଯେପରି କେହି କେହି ଯୋଗଜନ୍ମା ପୁରୁଷ ସଂସାରକ୍ଷେତ୍ରକୁ ଆଶୀର୍ବାଦ କରିବାକୁ ଜନ୍ମଗ୍ରହଣ କରନ୍ତି, ସେହିପରି ଅତି ମାନବୀତ୍ୱ ବା ଚରମ ନାରୀତ୍ୱ ଓ ସତୀତ୍ୱର ଅନାୟାସ ସ୍ୱଭାବସିଦ୍ଧି ଘେନି ସଂସାରକୁ ପୁଣ୍ୟମୟ କରିବାକୁ ଜନ୍ମଗ୍ରହଣ କରନ୍ତି । କିନ୍ତୁ ସାଧାରଣ ପୁରୁଷ ଓ ନାରୀକୁ ଏହି ସ୍ଥାନକୁ ପହଞ୍ଚିବାକୁ ହେଲେ ଅତି ସତର୍କ ହୋଇ ଆୟାସ ଓ ଚେଷ୍ଟା କରିବାକୁ ହୁଏ ।

 

ମନରେ ପ୍ରଶ୍ନ ଉଠେ, ନାରୀତ୍ୱ ବଡ଼ କି ସତୀତ୍ୱ ବଡ଼ ? ଶନି ବଡ଼ କି ଲକ୍ଷ୍ମୀ ବଡ଼ ଏହି ସମସ୍ୟାର ମୀମାଂସା କରିବାକୁ ଯାଇ ଯେପରି ସତୀ ଚିନ୍ତାଙ୍କର ପତିଙ୍କୁ ଶନି କର୍ତ୍ତୃକ ଦ୍ୱାଦଶବର୍ଷ ପର୍ଯ୍ୟନ୍ତ ଅସହ୍ୟ ମନସ୍ତାପ ଭୋଗ କରିବାକୁ ପଡ଼ିଥିଲା, ସେହିପରି ସତୀତ୍ୱ ଓ ନାରୀତ୍ୱ ମଧ୍ୟରୁ କିଏ ଶ୍ରେଷ୍ଠ, କିଏ ଅଶ୍ରେଷ୍ଠ କହିବାକୁ ଗଲେ ସମସ୍ୟାରେ ପଡ଼ିବାକୁ ହୁଏ ।

 

ତେବେ ସାଧାରଣତଃ ମନେ ହୁଏ, ଅତି ମାନବୀୟତା (Superman-hood) ଯେପରି ପୁରୁଷର ଆଦର୍ଶ ହୋଇପାରେ, ସେପରି ଅତିମାନବୀତ୍ୱ ମଧ୍ୟ ନାରୀର ଆଦର୍ଶ ହୋଇପାରେ । କିନ୍ତୁ ସେହି ଆଦର୍ଶ ଲଭ୍ୟ ପଥ ହେଉଛି ନାରୀତ୍ୱ । ଏହି ନାରୀତ୍ୱର ସିଦ୍ଧି ମୂଳରେ ଯେ ଅସାମାନ୍ୟ କୃଚ୍ଛ୍ରସାଧନା ନିହିତ ଅଛି, ସେହି କୃଚ୍ଛ୍ରସାଧନା ଅତି ସାଧାରଣ ନାରୀ ପକ୍ଷରେ ସାଧ୍ୟବସ୍ତୁ ବୋଲି ମନେ ହୁଏ ନାହିଁ । ଯେ ନାରୀ ହୋଇ ପାରିଛି ସେ ସିନା ଶ୍ରେଷ୍ଠ ନାରୀତ୍ୱ ବା ସତୀତ୍ୱର ସୁବର୍ଣ୍ଣବେଦୀ ଉପରେ ଅଧିଷ୍ଠାତ୍ରୀ ଦେବୀ ରୂପରେ ପୂଜା ପାଇପାରେ; ଯେ ମୂଳହୁଁ ନାରୀତ୍ୱହୀନା, ନାରୀଗୁଣବର୍ଜ୍ଜିତା ଅର୍ଥାତ୍‌ ବ୍ୟକ୍ତିତ୍ୱହୀନା, ସେ ସତୀ ହେବ କାହୁଁ ? ସତୀତ୍ୱର ଅକାରଣ ପ୍ରୟାସ ସେଠାରେ କେବଳ ବିଡ଼ମ୍ୱନା ସୃଷ୍ଟିକରେ ସିନା । ଏହି ନାରୀତ୍ୱ ବେଶ୍ୟାଠାରେ ମଧ୍ୟ ଉହ୍ୟ ଭାବରେ ରହିଅଛି । ଜଗତର ପ୍ରତ୍ୟେକ ନାରୀର ଅବଚେତନସ୍ତରରେ ଏହି ଆତ୍ମବିଲୋପିତ ନାରୀତ୍ୱର ବୀଜ ପ୍ରଚ୍ଛନ୍ନ ଭାବରେ ରହିଅଛି । ଉପଯୁକ୍ତ କ୍ଷେତ୍ର ଏବଂ ଜଳବାୟୁ ସେହି ଗୁପ୍ତ ବୀଜକୁ ପାଦପର ନବକଳେବର ଧରି କୁସୁମାୟିତ କରିପାରେ । ପ୍ରତ୍ୟେକ ପୁରୁଷଠାରେ ଯେପରି ଭାଗବତ ସତ୍ତା ଓ ଐଶୀଶକ୍ତିର ପ୍ରେରଣା ପ୍ରଚ୍ଛନ୍ନ ଭାବରେ ତା’ର ଅସ୍ତିତ୍ୱକୁ ବଞ୍ଚାଇ ରଖିଛି, ପ୍ରତି ନାରୀଠାରେ ସେହିପରି କ୍ରିୟାନିରପେକ୍ଷ ସୃଷ୍ଟିଶୀଳ ଶକ୍ତି ବା Potential Beautyର ଅସ୍ତିତ୍ୱ ବର୍ତ୍ତମାନ । ଶକ୍ତିର ଅପୂର୍ବ ବିକାଶ କରିବାକୁ ହେଲେ ତା’ର ପ୍ରାଥମିକ ପ୍ରଣାଳୀମାନ ଧରି ଯେପରି ନିଷ୍ଠାପର ଆୟୋଜନ କରିବାକୁ ହୁଏ, ସେହିପରି ଆୟୋଜନ ନାରୀର ଏହି ଅନ୍ତର୍ନିହିତ ଶକ୍ତିର ବିକାଶପାଇଁ ଅତ୍ୟନ୍ତ ଆବଶ୍ୟକ ଓ ପ୍ରୟୋଜନୀୟ ବିଷୟ । ଏହା ନ ହେଲେ ନାରୀର ନାରୀତ୍ୱ ଏବଂ ସତୀତ୍ୱ ସାଧନା ଅସମ୍ଭବ ଅଥବା ସେହି ସାଧନର ବ୍ରତସିଦ୍ଧି ଅସମ୍ଭବ । ସେ କେବଳ ବେଙ୍ଗଳାବଳଦ ହୋଇ ସଂସାରର ଆବର୍ଜ୍ଜନା ଘଣା ଠେଲି ଠେଲି ଆବର୍ତ୍ତନ କରି ଚାଲୁଥିବ ସେହି ଚିରାଚରିତ, ଗତାନୁଗତ, ଖଡ଼ା ବଡ଼ି ଥୋଡ଼ ଥୋଡ଼ ବଡ଼ି ଖଡ଼ା ପଥରେ, ‘ନାନ୍ୟ ପନ୍ଥା ବିଦ୍ୟତେ ଅୟନାୟ ।’

 

ନାରୀତ୍ୱ ବା ସତୀତ୍ୱ ଜଡ଼ବାଦର ବିଷୟ ନୁହେଁ । ତାହା ପବିତ୍ର ଆଧ୍ୟାତ୍ମିକତାକୁ ଆଶ୍ରୟ କରି ନାରୀ ଜୀବନରେ ବିଚିତ୍ର ଭାବରେ ପ୍ରତିଭାତ ହୁଏ । ଆଧୁନିକ ସମାଜରେ ବର୍ତ୍ତମାନ କାଳରେ ଭାରତବର୍ଷରେ ନାରୀଧର୍ମ ଜଡ଼ଧର୍ମ ହୋଇପଡ଼ିଛି । ଯଦିଓ ଆତ୍ମାର ବା ଜୀବନର କୌଣସି ବିଶିଷ୍ଟ ଧର୍ମ ନାହିଁ, ତଥାପି ଏହି ଜଡ଼ବାଦ ଆଜି ମନୁଷ୍ୟର ସଭ୍ୟତା ମୂଳକୁ ଘୁଣ କରିଛି ଏବଂ ଗର୍ବିତ ଭାରତବର୍ଷର ଚିରନ୍ତନ ଆଧ୍ୟାତ୍ମିକତାର ଉଦାରତମ କ୍ଷେତ୍ରକୁ ଲୁଣ୍ଠନ କରି ନେଇଛି—ଗୋଟିଏ ପରଧନ ଧ୍ୱଂସକାରୀ ଜଡ଼ବାଦ । ଏହା ବସ୍ତୁତ-ନ୍ତ୍ରବିଳାସୀର ଦିବାସ୍ୱପ୍ନକୁ ଚେତାଇ ଦେଇପାରେ, କିନ୍ତୁ ଗଭୀରତର ଭାବ ଏବଂ ଆତ୍ମାନୁଭୂତି ମନୁଷ୍ୟକୁ ଯେଉଁ ସୁମହାନ ଉପଲବ୍ଧି କ୍ଷେତ୍ରରେ ନେଇ ପହୁଞ୍ଚାଇ ଦିଏ, ସେହିଠାରେ ଏହି ବସ୍ତୁତାନ୍ତ୍ରିକତା ତା’ ପକ୍ଷରେ ମୃତ୍ୟୁର ବାଣ ନେଇ ଛିଡ଼ା ହେବ । ଏହି ଜଡ଼ବାଦରେ ନାରୀ ପୂରା ବସ୍ତୁତାନ୍ତ୍ରିକ ହୋଇପଡ଼ିଛି ବୋଲି ଆଜି ତା’ର ଶାରୀରିକ ଓ ମାନସିକ ଅବନତି ଘଟିଛି, ଜଗତର ଚିରନ୍ତନୀ ବ୍ରାହ୍ମଣୀ ଆଜି ଶୂଦ୍ରାଣୀର ଅଧମସ୍ତରରେ । ପୁଣି ପ୍ରତିକୂଳ ସ୍ରୋତ ମୁଖରେ ସଂଗ୍ରାମନିରତ ହେବାକୁ ତା’ର ମନ୍ତ୍ରଶକ୍ତିକି ସମ୍ୱଳ ନାହିଁ; କାରଣ ସମାଜ ତା’ର ଆତ୍ମରକ୍ଷା କବଚକୁ ଆତତାୟୀ କାପୁରୁଷ ଭଳି ଅପହରଣ କରି ନେଇଛି । ଏହି ଅପହୃତ ଶକ୍ତିକବଚ ନାରୀ ପୁନରାୟ ଫେରି ପାଇ ନାରୀତ୍ୱକୁ ନିଜ ଜୀବନରେ ଫୁଟାଇ ତାର ଚତୁର୍ଦ୍ଦିଗକୁ ଏବଂ ସଂସାରକୁ ମହକରେ ଚହଟାଇ ପାରିବ କି ? ସମୟ ସମୟରେ ଏହି ‘‘ନାରୀ ସମସ୍ୟା’’ ମନକୁ ଆନ୍ଦୋଳିତ କରି ବିବ୍ରତ କରିପକାଏ । ଅସୀମ ପାରାବାର ବକ୍ଷରେ କର୍ଣ୍ଣଧାରହୀନ ତରଣୀର ଅବସ୍ଥା କଳ୍ପନାଲୋକରେ ଯେଉଁ ଆଲେଖ୍ୟକୁ ସଜୀବ କରି ଛିଡ଼ା କରିଦିଏ, ମନର ଏହି ବିକ୍ଷିପ୍ତ, ବିବ୍ରତ ଆନ୍ଦୋଳାୟମାନ ଭାବରୂପ ସେପରି ସେହି ଆଲେଖ୍ୟ ସହିତରେ ନିଜର ସାମଞ୍ଜସ୍ୟ ଖୋଜି ପାଏ ।

Image